ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଭେଟିଲେ ‘ୟୁଟ୍ୟୁବ’ର ଗ୍ଲୋବାଲ ସିଇଓ ନିଲ୍ ମୋହନ, ଭାରତୀୟ ଶିକ୍ଷା ବ୍ୟବସ୍ଥା ବିଷୟରେ କଲେ ଆଲୋଚନା

ନୂଆଦିଲ୍ଲୀରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି ‘ୟୁଟ୍ୟୁବ’ର ଗ୍ଲୋବାଲ ସିଇଓ ନିଲ୍ ମୋହନ । ଏହି ଅବସରରେ ଟେକ୍ନୋଲୋଜି ମାଧ୍ୟମରେ ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ ସର୍ବବ୍ୟାପୀ କରିବା ସହ ଅତ୍ୟାଧୁନିକ ପଦ୍ଧତିରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପରିପ୍ରେକ୍ଷୀରେ ସେ ଶିକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଭାରତର ଶିକ୍ଷା ପରିସଂସ୍ଥାନରେ ଗ୍ଲୋବାଲ୍ ଅନଲାଇନ୍ ଭିଡିଓ ସେୟାରିଂ ପ୍ଲାଟଫର୍ମ ‘ୟୁଟ୍ୟୁବ’ର କାର୍ଯ୍ୟ ଉପରେ ଫଳପ୍ରଦ ଆଲୋଚନା ହୋଇଥିବା କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ।
ଏ ସମ୍ପର୍କରେ Xରେ ଉଲ୍ଲେଖ କରି ଧର୍ମେନ୍ଦ୍ର କହିଛନ୍ତି ଯେ ଗୁଣାତ୍ମକ ଶିକ୍ଷାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ଟେକ୍ନୋଲୋଜିର ଉପଯୋଗ ଗୁରୁତ୍ୱପୂର୍ଣ୍ଣ । ଏହି ପରିପ୍ରେକ୍ଷୀରେ ‘ୟୁଟ୍ୟୁବ’ର ଗ୍ଲୋବାଲ ସିଇଓ ନିଲ୍ ମୋହନଙ୍କୁ ଭେଟି ସେ ଆନନ୍ଦିତ । କଣ୍ଟେଣ୍ଟ୍ କ୍ରିଏସନ୍ ସହ ଭାରତର କ୍ରିଏଟର ଅର୍ଥନୀତି, ବ୍ୟବହାର, ଆନୁଷଙ୍ଗିକ ବିଷୟବସ୍ତୁ ଓ ଡିଜିଟାଲ କ୍ଷେତ୍ରରେ ଥିବା ବ୍ୟାପକ ସମ୍ଭାବନା ଉପରେ ଫଳପ୍ରଦ ଆଲୋଚନା ହୋଇଥିବା କହିଛନ୍ତି ଧର୍ମେନ୍ଦ୍ର ।