ବ୍ୟବସାୟୀଙ୍କୁ ହନିଟ୍ରାପରେ ଫସାଇ ଗିରଫ ହେଲେ ୟୁଟ୍ୟୁବର ନାମ୍ରା କାଦିର, ୮୦ ଲକ୍ଷ ଲୁଟିଥିବା ଅଭିଯୋଗ

ବ୍ୟବସାୟୀଙ୍କୁ ହନିଟ୍ରାପରେ ଫସାଇ ଗିରଫ ହୋଇଛନ୍ତି ଜଣାଶୁଣା ୟୁଟ୍ୟୁବର ନାମ୍ରା କାଦିର । ଜଣେ ବ୍ୟବସାୟୀଙ୍କୁ ହନି ଟ୍ରାପରେ ଫସାଇ ୮୦ ଲକ୍ଷ ଲୁଟିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି । ଇନଷ୍ଟାଗ୍ରାମ ଓ ୟୁଟ୍ୟୁବରେ ନାମ୍ରାଙ୍କର ୮ ଲକ୍ଷରୁ ଅଧିକ ଫଲୋଅର୍ସ ରହିଛନ୍ତି । ତେବେ ନାମ୍ରା ନିଜ ପତିଙ୍କ ସହିତ ମିଶି ଗୁରୁଗ୍ରାମର ଜଣେ ବ୍ୟବସାୟୀଙ୍କୁ ଫସାଇଥିଲେ । ଏହା ପରେ ଦୁଷ୍କର୍ମ କେସରେ ଫସାଇବାର ଧମକ ଦେଇ ବ୍ୟବସାୟୀଙ୍କଠାରୁ ୮୦ ଲକ୍ଷ ଟଙ୍କା ଲୁଟିବାରେ ସଫଳ ହୋଇଥିଲେ ନାମ୍ରା ।

ଗୁରୁଗ୍ରାମ ପୋଲିସ ୟୁ-ଟ୍ୟୁବର ନାମ୍ରାଙ୍କୁ ଗିରଫ କରିବା ପରେ ୪ ଦିନିଆ ରିମାଣ୍ଡରେ ନେଇ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛି । ନାମ୍ରା ପୂର୍ବରୁ ବିବାହିତ ଥିବା ବେଳେ ତାଙ୍କର ଏକ ସନ୍ତାନ ରହିଛି । ପୋଲିସ ଏବେ ନାମ୍ରାଙ୍କ ପତି ବିରାଟ ବେନିୱାଲଙ୍କ ଗିରଫଦାରୀ ନେଇ ରେଡ୍ ଚଲାଇଛି । ଏହି ଯୁବତୀଙ୍କ ନାମରେ ଜଣେ ବ୍ୟବସାୟୀଙ୍କୁ ହନିଟ୍ରାପରେ ଫସାଇ ବେଆଇନ ଭାବେ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିବାର ଗମ୍ଭୀର ଅଭିଯୋଗ ରହିଛି ।

କେମିତି ଫସାଇଥିଲେ ନାମ୍ରା :

ବ୍ୟବସାୟୀଙ୍କ ଜଣକ କହିଛନ୍ତି, ମୁଁ ନାମ୍ରାଙ୍କୁ ପୂର୍ବରୁ ଜାଣିଥିଲି। ତେଣୁ ଯେଉଁଦିନ ସେ ମୋତେ ୨ ଲକ୍ଷ ଟଙ୍କା ମାଗିଥିଲେ ମୁଁ ତାଙ୍କୁ ଦେଇଥିଲି। ଏହାପରେ ନାମ୍ରାଙ୍କ ପାଇଁ ଆଡ କାମ ଆଣିଥିଲି, ସେତେବେଳେ ସେ ୫୦ ହଜାର ଟଙ୍କା ମାଗିଥିଲେ। ସେତେବେଳେ ମଧ୍ୟ ତାଙ୍କ ଆକାଉଣ୍ଟକୁ ପଇସା ପଠାଇଥିଲି। କିନ୍ତୁ ପଇସା ପଠାଇବା ପରେ ସେ ମୋ କାମ କରିନଥିଲେ। ତା’ ପରେ ନାମ୍ରା ମୋତେ ପସନ୍ଦ କରନ୍ତି ଏବଂ ବିବାହ କରିବାକୁ ଚାହାନ୍ତି ବୋଲି କହିଥିଲେ। ଆଉ ନାମ୍ରାଙ୍କ ଭଉଣୀ ବାହାଘର ସରିଲେ ବାହାଘର ହେବ ଏବଂ ସବୁ ଟଙ୍କା ସେ ଫେରାଇଦେବେ ବୋଲି କହିଥିଲେ।

ଏହା ଶୁଣିବା ପରେ ବ୍ୟବସାୟୀ ଜଣକ ତାଙ୍କ ସହିତ ବୁଲିବା ଏବଂ ଖାଇବାକୁ ଯାଆନ୍ତି। ହେଲେ ସବୁବେଳେ ତାଙ୍କ ସହିତ ବିରାଟ ମଧ୍ୟ ରୁହନ୍ତୁ। ଏକ କ୍ଲବକୁ ପାର୍ଟି ପାଇଁ ଯାଇଥିବା ଏହି ସମୟରେ ବ୍ୟବସାୟୀଙ୍କୁ ନାମ୍ରା ଏବଂ ତାଙ୍କ ସ୍ୱାମୀ ବିରାଟ ହୋଟେଲକୁ ନେଇ ଜବରଦସ୍ତ ମଦ ପିଆଇଥିଲେ । ସେଠାରେ ୩ ଜଣ ହୋଟେଲର ରୁମ୍‌ ବୁକ୍‌ କରି ରହିଥିଲେ। ସକାଳୁ ଉଠି ନାମ୍ରା ବ୍ୟବସାୟୀଙ୍କୁ କାର୍ଡ ମାଗିଥିଲେ ଆଉ ଯଦି ସେ କାର୍ଡ ନ ଦିଅନ୍ତି ତେବେ ଦୁଷ୍‌କର୍ମ ମାମଲାରେ ତାଙ୍କୁ ଫସାଇବେ ବୋଲି ଧମକ ଦେଇଥିଲେ ।

ୟୁଟ୍ୟୁବରେ ନାମ୍ରାଙ୍କର ୬ ଲକ୍ଷରୁ ଅଧିକ ଓ ଇନଷ୍ଟାଗ୍ରାମରେ ୨ ଲକ୍ଷରୁ ଅଧିକ ସଂଖ୍ୟକ ଫଲୋଅର୍ସ ରହିଛନ୍ତି । ସେ ନିଜର ପତି ବିରାଟଙ୍କ ସହ ମିଶି ଗୁରୁଗ୍ରାମର ଜଣେ ବ୍ୟବସାୟୀଙ୍କ ସହ ଏହି ହନି ଟ୍ରାପରେ ଫସାଇଥିଲେ। ମିଥ୍ୟା ମାମଲାରେ ଫସାଇବାର ଧମକ ଦେବାରୁ ବ୍ୟବସାୟୀ ଜଣଙ୍କ ଲକ୍ଷ ଲକ୍ଷ ଟଙ୍କା ନାମ୍ରାଙ୍କୁ ଦେବାକୁ ବାଧ୍ୟ ହୋଇଥିଲେ । ଏହାପରେ ଗତ ମାସ ୨୪ ତାରିଖରେ ସେକ୍ଟର ୫୦ ଥାନାରେ ପୀଡ଼ିତ ବ୍ୟବସାୟୀ ଜଣଙ୍କ ଯୁବତୀଙ୍କ ନାମରେ ଅଭିଯୋଗ ଦାୟର କରିଥିଲେ ।

ତେବେ ଏବେ ପୋଲିସ ନାମ୍ରାଙ୍କୁ ଗିରଫ କରିଛି। ୪ ଦିନ ପାଇଁ ରିମାଣ୍ଡରେ ରଖି ମାମଲାର ଯାଞ୍ଚ କରୁଛି । ତାଙ୍କ ସ୍ୱାମୀ ବିରାଟ ଫେରାର ଥିବା ବେଳେ ପୋଲିସ ତାଙ୍କୁ ଖୋଜୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.