ରାଜପଥ ଅବରୋଧ କରି ନିଜର ଜନ୍ମଦିନ ପାଳୁଥିଲେ ୟୁଟ୍ୟୁବର୍ ପ୍ରିନ୍ସ; ଭିଡିଓ ଭାଇରାଲ ପରେ ପୋଲିସ କଲା ଗିରଫ
ଗତବର୍ଷ ନଭେମ୍ବର ୧୬ର ଘଟଣା। ସେଦିନର ଏକ ଭିଡିଓ ଭାଇରାଲ ହେବା ପରେ ଦିଲ୍ଲୀ ପୋଲିସ ଏହି ଘଟଣାରେ ୟୁଟ୍ୟୁବର୍ ପ୍ରିନ୍ସଙ୍କୁ ଗିରଫ କରିଛି। ଭିଡିଓରେ ପ୍ରିନ୍ସ ଏବଂ ତାଙ୍କ ସାଙ୍ଗମାନେ ଏକ କାରର ସନ୍ରୁଫରୁ ବାହାରେ ଛିଡ଼ା ହୋଇ ମଜମସ୍ତି କରୁଥିବା ଦେଖିବାକୁ ମିଳିଥିଲା।

ଏକ ଭିଡିଓ ଭାଇରାଲ ହେବା ପରେ ଦିଲ୍ଲୀ ପୋଲିସ ଗୁରୁବାର ୟୁଟ୍ୟୁବର୍ ପ୍ରିନ୍ସଙ୍କୁ ଗିରଫ କରିଛି। ଏହି ଭାଇରାଲ ଭିଡିଓରେ ୟୁଟ୍ୟୁବର ଏବଂ ତାଙ୍କ ସାଙ୍ଗମାନେ ଏକ କାରର ସନ୍ରୁଫରୁ ବାହାରେ ଛିଡ଼ା ହୋଇ ହଙ୍ଗାମା କରୁଥିବା ଦେଖିବାକୁ ମିଳିଥିଲା, ଯେଉଁ କାରଣରୁ ରାସ୍ତାରେ ଟ୍ରାଫିକ ଜାମ୍ ମଧ୍ୟ ରହିଥିଲା। ଘଟଣା ପୂର୍ବ ଦିଲ୍ଲୀର ପାଣ୍ଡବ ନଗର ନିକଟସ୍ଥ NH-24ରେ ଘଟିଥିଲା, ଯାହାକି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।
ପୋଲିସ ମୁତାବକ, ଏହି ଘଟଣା ଗତ ବର୍ଷ ନଭେମ୍ବରର। ଭାଇରାଲ ଭିଡିଓରେ ପ୍ରିନ୍ସ ନିଜ ସାଙ୍ଗ ଗୋଷ୍ଠୀଙ୍କ ସହିତ କାରର ଛାତ ଉପରେ ଛିଡ଼ା ହୋଇଥିବା ଦେଖାଯାଇଥିଲା। ପଚାରିବାରୁ ସେ କହିଥିଲେ ଯେ ସେମାନେ ଜନ୍ମଦିନ ପାଳନ କରୁଥିଲେ।
ସୂଚନା ମୁତାବକ, ଏହି ଘଟଣା ଗତ ବର୍ଷ ନଭେମ୍ବର ୧୬ରେ ଘଟିଥିଲା। ଯେତେବେଳେ ପ୍ରିନ୍ସ ଏବଂ ତାଙ୍କ ସାଙ୍ଗମାନେ ପୂର୍ବ ଦିଲ୍ଲୀର ଶକରପୁର ଯାଉଥିଲେ, ସେହି ସମୟରେ ଏହି ଭିଡିଓ ସୁଟ କରାଯାଇଥିଲା। ଭିଡିଓରେ ପ୍ରିନ୍ସ ସାଙ୍ଗମାନଙ୍କ ସହ ଜନ୍ମଦିନ ପାଳନ ସମୟରେ ନିଜର ଗାଡ଼ି ଅଟକାଇ ଟ୍ରାଫିକ୍ ଜାମ୍ କରୁଥିବା ଦେଖିବାକୁ ମିଳିଥିଲା।
ପୋଲିସ ଏହି ଘଟଣାରେ ଆଇପିସି ଧାରା ୨୭୯, ୨୮୩ ଓ ୨୯୦ ଅନୁଯାୟୀ ମାମଲା ରୁଜୁ କରିଥିଲା। ଭାଇରାଲ ଭିଡିଓରେ ଥିବା ଅନ୍ୟମାନଙ୍କୁ ଚିହ୍ନଟ କରାଯାଉଥିବା ପୋଲିସ ଅଧିକାରୀ କହିଛନ୍ତି। କହି ରଖୁଛୁ, ଏହିପରି ତିନି ଦିନ ପୂର୍ବେ ଗୁରୁଗ୍ରାମର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏଥିରେ ଦେଖିବାକୁ ମିଳିଥିଲା ଯେ କିଛି ଲୋକ ରିଲ୍ କରିବାକୁ ଯାଇ ରାସ୍ତାରେ ଏକ କାରରୁ ନୋଟ୍ ଉଡ଼ାଉଥିଲେ।