ନ୍ୟୁୟର୍କ : ଆମେରିକାର ନ୍ୟୁୟର୍କ ସିଟିର ମେୟର ଭାବେ ନିର୍ବାଚିତ ହୋଇଛନ୍ତି ଜୋହରାନ୍ ମମଦାନି । ସ୍ବାଧୀନ ପ୍ରାର୍ଥୀ ତଥା ପୂର୍ବତନ ଗଭର୍ଣ୍ଣର ଆଣ୍ଡ୍ରିୟୁ କୁମୋ ଓ ରିପବ୍ଲିକାନ ପାର୍ଟିର କର୍ଟିସ୍ ସ୍ଲିଲୱାଙ୍କୁ ପରାସ୍ତ କରି ଜୋହରାନ୍ ୧୧୭ ତମ ମେୟର ଭାବେ ନିର୍ବାଚିତ ହୋଇଛନ୍ତି । ବିଜୟ ସହ ଦକ୍ଷିଣ ଏସୀୟ ବଂଶୋଦ୍ଭବ ଭାବେ ନ୍ୟୁୟର୍କର ପ୍ରଥମ ମେୟର ହୋଇଛନ୍ତି ଜୋହରାନ ମମଦାନୀ । ଜୋହରାନ ୧୯୯୧ରେ ଉଗାଣ୍ଡାର କାମ୍ପାଲାରେ ଜନ୍ମଗ୍ରହଣ କରିଥିଲେ । ପରେ ଜୋହରାନ୍ ଦକ୍ଷିଣ ଆଫ୍ରିକାର କେପ୍ ଟାଉନରେ ବଢ଼ିଥିଲେ । ଦକ୍ଷିଣ ଏସୀୟ ବଂଶୋଦ୍ଭବ ଭାବେ ପ୍ରଥମ ବ୍ୟକ୍ତି ଏବଂ ଏହି ପଦବୀରେ ଥିବା ପ୍ରଥମ ଆଫ୍ରିକୀୟ-ଆମେରିକୀୟ ଭାବରେ ଇତିହାସ ସୃଷ୍ଟି କରିଛନ୍ତି ।
ନ୍ୟୁୟର୍କ ମେୟର ଜୋହରାନ ହେବା ପରେ ଓଡ଼ିଶା ଲିଙ୍କ ନେଇ ଏବେ ଚର୍ଚ୍ଚା । ଜୋହରାନଙ୍କ ମାଆ ତଥା ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମତା ମୀରା ନାୟାରଙ୍କର ଓଡ଼ିଶାରେ ଜନ୍ମ । ମୀରା ୧୯୫୭ ମସିହା ଅକ୍ଟୋବର ୧୫ରେ ରାଉରକେଲାରେ ଜନ୍ମଗ୍ରହଣ କରିଥିଲେ । ରାଉରକେଲାର ଇସ୍ପାତ ଇଂଲିଶ ମିଡିୟମ ସ୍କୁଲରେ ପଢ଼ିଥିଲେ । ରାଉରକେଲା ଓ ଭୁବନେଶ୍ୱରରେ ବଢ଼ିଥିଲେ ମୀରା । ମୀରାଙ୍କ ବାପା ଅମୃତଲାଲ ନାୟାର ଜଣେ IAS ଅଧିକାରୀ ଥିଲେ । ୧୯୫୦ରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ମୀରାଙ୍କ ବାପା ।
ମୀରାଙ୍କ ବାପାଙ୍କ ସମ୍ମାନରେ ରାଜଗାଙ୍ଗପୁରରେ ରହିଛି ନାୟାର ଛକ ଏବଂ ସୁନ୍ଦରଗଡ଼ର ସରକାରୀ ମହାବିଦ୍ୟାଳୟରେ ଅଛି ନାୟାର ଷ୍ଟାଡିୟମ। ବାପା ମାହମୁଦ ମମଦାନୀ ମଧ୍ୟ ଜଣେ ଭାରତୀୟ ବଂଶୋଦ୍ଭବ । ୭ ବର୍ଷ ବୟସରେ ଜୋହରାନ ପରିବାର ସହ ନ୍ୟୁୟର୍କ ଆସିଥିଲେ । କଲମ୍ବିଆ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଅଛନ୍ତି ଜୋହରାନଙ୍କ ବାପା । ମାଆ ମୀରା ନାୟାର ‘ସଲାମ ବମ୍ବେ’, ‘ମନସୁନ ଓ୍ୱେଡିଂ’ ପରି ଚଳଚ୍ଚିତ୍ର ପାଇଁ ଲୋକପ୍ରିୟ । ମୀରା ନାୟାର, ତାଙ୍କ ମୂଳକୁ କେବେ ବି ଭୁଲି ନାହାଁନ୍ତି। ଆଜି ବି ତାଙ୍କ ସ୍ମୃତିରେ ରାଉରକେଲା ରହିଛି ।
Also Read : ଆମେରିକାରରେ କ୍ରାସ ହେଲା UPS ମାଲବାହୀ ବିମାନ, ଦୁର୍ଘଟଣାରେ ୩ ମୃତ ୧୦ରୁ ଅଧିକ ଆହତ