ରାଷ୍ଟ୍ରପତି ଭବନ ସମ୍ମୁଖରେ ‘ସିଂହ’ର ମୃତଦେହ ରଖି ବିକ୍ଷୋଭ; ସିଂହ ମୃତ୍ୟୁ ପାଇଁ ସରକାରଙ୍କୁ ଦାୟୀ କଲେ ଚିଡ଼ିଆଖାନା କର୍ମଚାରୀ

ଚିଲିର ରାଷ୍ଟ୍ରପତି ଭବନ ସମ୍ମୁଖରେ ନିଆରା ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏଠାକାର ଏକ ଚିଡ଼ିଆଖାନାରେ କାମ କରୁଥିବା କର୍ମଚାରୀ ଚିଲିର ରାଷ୍ଟ୍ରପତି ଭବନ ସମ୍ମୁଖରେ ଏକ ସିଂହର ମୃତଦେହ ରଖି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନଙ୍କ ଅଭିଯୋଗ ମୁତାବକ, ସିଂହର ମୃତ୍ୟୁ ପାଇଁ ଏକ ସରକାରୀ ଏଜେନ୍ସି ହିଁ ଦାୟୀ।

ମୃତ ସିଂହର ନାମ ଜ୍ୟୁସ୍‌ ଏବଂ ତାକୁ ୧୪ ବର୍ଷ ବୟସ ହୋଇଥିଲା। ସିଂହର ମୃତଦେହ ପାଖରେ ବ୍ୟାନର ଧରି କର୍ମଚାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ବ୍ୟାନରରେ ଲେଖା ହୋଇଥିଲା, ‘ସରକାର ଜୀବଜନ୍ତୁମାନଙ୍କୁ ମାରୁଛନ୍ତି’। ତେବେ ଏହି ପ୍ରକାରର ବିକ୍ଷୋଭ ପ୍ରଦର୍ଶନ ଆଖପାଖର ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଥିଲା। ସ୍ଥାନୀୟ ଲୋକେ ଏହାର ଫଟୋ ଏବଂ ଭିଡିଓ କରି ତାହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।

ଚିଡ଼ିଆଖାନାର ମାଲିକ Agricultural and Livestock Service (SAG) ବିରୋଧରେ ଅଭିଯୋଗ ଆଣି ଏହାକୁ ସିଂହ ମୃତ୍ୟୁ ପାଇଁ ଦାୟୀ କରିଛନ୍ତି। ମାଲିକଙ୍କ ଅଭିଯୋଗ ମୁତାବକ, ଏଜେନ୍ସିକୁ ଯେତେବେଳେ ଜୀବଜନ୍ତୁମାନଙ୍କୁ ମାଇକ୍ରୋଚିପ୍ସ ଲଗାଇବାକୁ ହୋଇଥାଏ କିମ୍ବା ବଦଳାଇବାକୁ ପଡ଼ିଥାଏ, ତ ସେମାନେ ଜୀବଜନ୍ତୁମାନଙ୍କୁ ବେହୋସ୍‌ କରିଥାଆନ୍ତି।

ଲସ୍‌ ଏଞ୍ଜେଲସ୍‌ ସିଟି ଜୁ’ର ଆଇନ ପ୍ରତିନିଧି ସିଜର ଚାନମ୍ପାଙ୍କ କହିବା ହେଲା, SAG ସମସ୍ତ ଜୀବଜନ୍ତୁଙ୍କଠାରେ ମାଇକ୍ରୋଚିପ୍ସ ଲଗାଇବା ପାଇଁ ଆମକୁ ଆନାସ୍ଥେସିୟା ଦେବାକୁ ବାଧ୍ୟ କରିଥିଲା। ଏପରି କି, ଆମେ ସେମାନଙ୍କୁ କହିଥିଲୁ ଯେ ଆନାସ୍ଥେସିୟା ଦ୍ୱାରା ଜୀବଜନ୍ତୁଙ୍କୁ ମଧ୍ୟ ସେହିଭଳି କଷ୍ଟ ହୋଇଥାଏ, ଯେପରି ମଣିଷଙ୍କୁ ହୁଏ। କିନ୍ତୁ ସେମାନେ ଆମ ହାତରେ ସିଂହଟିକୁ ମାରିଦେଲେ।

ସେପଟେ SAG ଏକ ବୟାନ ଜାରି କରି କହିଛି ଯେ ପଶୁ ଏବଂ ମଣିଷଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ଏହାର ମାନକ ଧାର୍ଯ୍ୟ କରାଯାଇଛି। କିନ୍ତୁ ଏହା ଦୁର୍ଭାଗ୍ୟର କଥା ଯେ ଏହି ପ୍ରକ୍ରିୟା ଦେଇ ଯାଇଥିବା ପ୍ରାଣୀମାନଙ୍କ ଭିତରୁ ଗୋଟିଏ ସିଂହର ମୃତ୍ୟୁ ହୋଇଯାଇଛି।