ହାଏରେ ଦଇବ କେମିତି ସହିବ ମାଆ, ୧୦ ବର୍ଷ ହେଲା ଶିକୁଳିରେ ବନ୍ଧା ହୋଇଛି ପୁଅ

ଯାଜପୁର ଟାଉନ : ପୁଅରେ ମୋତେ କ୍ଷମା କରିଦେବୁ । ତୋ ମାଆ ହୋଇ ତୋତେ ମୁଁ ଏମିତି ବାନ୍ଧି ରଖିବାକୁ ବାଧ୍ୟ ହେଉଛି । କଣ ଆଉ କରିବି, ଏମିତି ନକଲେ ପା ତୁ ମୋତେ ଛାଡିକି ପଳାଇବୁ । ଡର ଲାଗୁଛି ତୋ ଭାଇ ଭଳି ତୁ ଯଦି ଚାଲିଗଲୁ । ତୋତେ ଜନ୍ମ ଦେଇଛି ତୋ କଷ୍ଟ ମୁଁ କେମିତି ସହିବି କହ । ତୋ ବିନା ଆଉ କିଏ ଅଛି ଯେ ମୋର । ମୁଁ ତ ଦିନ ରାତି ମୁଣ୍ଡିଆ ମାରୁଛି ତୁ ଆଗଭଳି ହେଇଯାଆ, ପୁଣି ମୋ ସୁନା ପୁଅ ହେଇଯା । ଦାଣ୍ଡ ପିଣ୍ଡାରେ ଏସବୁ କଥା ବସି ଭାବୁଛି ମାଆ ।
ଦିନେ ନୁହେଁ କି ଦୁଇ ଦିନ ନୁହେଁ ,ବର୍ଷେ ନୁହେଁ କି ଦୁଇ ବର୍ଷ ଦୀର୍ଘ ୧୦ ବର୍ଷ ଧରି ଗୋଟିଏ ଘରେ ବନ୍ଧା ହୋଇପଡିଛି ଭେଣ୍ଡିଆ ପୁଅ । ଏଭଳି ବାନ୍ଧିବାକୁ ବାଧ୍ୟ ହୋଇଛି ନିଜର ଜନ୍ମକଲା ମା। ସବୁଦିନ ନିଜ ପଣତ କାନିରେ ଘୋଡାଇ ଯିଏ ପୁଅକୁ ସବୁବେଳେ ସୁରକ୍ଷା ଦେଉଥିଲା ସେ ଆଜି ପୁଅକୁ ଜଞ୍ଜିରରେ ବାନ୍ଧିବାକୁ ବାଧ୍ୟ ହୋଇଛି । ତେବେ ଆପଣ ଭାବୁଥିବେ ମାଆ ଏମିତି କରିବାର କାରଣ କଣ ହୋଇପାରେ । ତାହେଲେ ଚାଲନ୍ତୁ ଜାଣିବା ପୂରା ଘଟଣା ।
ଗୋଟିଏ ପୁଅ ଆର ପାରିକୁ ଚାଲିଗଲା । ସ୍ବାମୀ ବି ପୁଅ ରାସ୍ତାରେ ଚାଲିଗଲେ । ଏବେ କେବଳ ଏହି ମାନସିକ ଭାରସାମ୍ୟ ହରାଇଥିବା ପୁଅ ହିଁ ଏକମାତ୍ର ବଂଚିବାର ରାହା ପାଲଟିଛି। ଏ ହେଉଛି ଏଭଳି ଜଣେ ହତଭାଗାର ମା ର କାହାଣୀ ଯିଏ ନିଜ ଛାତିକୁ ପଥର କରି ନିଜ ପୁଅ ଗୋଡ଼ରେ ବେଡି ପକାଇବାକୁ ବାଧ୍ୟ ହୋଇଛି । ଦଶରଥପୁର ବ୍ଲକ ଛଞ୍ଚିଣା ପଞ୍ଚାୟତ ଆରୁହା ଗାଁର ସ୍ବର୍ଗତ ଶତ୍ରୁଘ୍ନ ଜେନାଙ୍କ ପୁଅ ଅଜୟ ଗତ ୧୦ ବର୍ଷ ହେଲା ଗୋଟିଏ ଘରେ ବନ୍ଧା ହୋଇ ପଡିଛି ।
୨୦୧୪ ମସିହାର କଥା…ସେତେବେଳେ ବୈତରଣୀ ନଈର ବନ୍ୟା ଜଳ ଘର ସାମ୍ନା ପୋଖରୀରେ ପୁରି ଯାଇଥିଲା । ଦୁଇ ଭାଇ ପୋଖରୀରେ ଗାଧୋଇବା ସମୟରେ ସାନଭାଇ ଅଜୟ ପାଣିରେ ବୁଡି ଯାଇଥିଲା । ଏହା ଦେଖି ବଡ ଭାଇ ତାକୁ ବଞ୍ଚାଇବାକୁ ଯାଇ ସେ ନିଜେ ପୋଖରୀରେ ବୁଡ଼ି ପ୍ରାଣ ହରାଇଦେଲା । ନିଜ ବଡ ଭାଇର ମୃତ୍ୟୁକୁ ଆଖି ସାମ୍ନାରେ ଦେଖିବା ପରଠାରୁ ନିଜର ମାନସିକ ଭାରସାମ୍ୟ ହରାଇ ବସିଛି ଅଜୟ ।
ଏହି ଘଟଣାର ଛଅ ମାସ ପରେ ଅଜୟ ସମ୍ପୂର୍ଣ ପାଗଳ ହୋଇଗଲେ। ପାଗଳାମି ଦିନକୁ ଦିନ ବଢ଼ି ବଢ଼ି ଚାଲିଲା । ଘରଲୋକଙ୍କୁ କାମୁଡିବା, ମାରିବା, ଘର ଦ୍ୱାରା ଭାଙ୍ଗିବା, ସହ ପଡୋଶୀଙ୍କୁ ମଧ୍ୟ ମାର ଧର କରିବା ଆରମ୍ଭ କରିଦେଲା । ପରିସ୍ତିତିରେ ତି ଏପରି ହେଲା ଯେ ପୁଅ କୌଣସି ଅଘଟଣ ଘଟାଇବା ପୂର୍ବରୁ ନିଜ ପୁଅର ଗୋଡ଼କୁ ଲୁହା ଶିକୁଳିରେ ବାନ୍ଧିବାକୁ ବାଧ୍ୟ ହେଲା ବୃଦ୍ଧା ମାଆ। ଦୁଇ ପୁଅଙ୍କ ଚିନ୍ତାରେ ବାପା ବି ଆରପାରିକୁ ଚାଲିଗଲେ । ଘରେ ନିଜର ମାନସିକ ଭିନ୍ନକ୍ଷମ ପୁଅକୁ ନେଇ ଏକାକି ରହୁଛନ୍ତି ଅସହାୟ ମାଆ । ଯେଉଁଠି ଘରେ ଓଳିଏ ଖାଇଲେ ଓଳିଏ ଉପାସ ରହିବାକୁ ପଡୁଛି ସେଠି ପୁଅର ଚିକିତ୍ସା କଥା ଚିନ୍ତା କରିପାରୁନାହାଁନ୍ତି ମା । ଅଧିକ ଚିକିତ୍ସା କଲେ ଅଜୟ ସୁସ୍ଥ ହୋଇପାରନ୍ତେ ହେଲେ ଚିକିତ୍ସାରେ ଅର୍ଥ ସାଜିଛି ବାଧକ ।
ଅନ୍ୟପଟେ ଚିକିତ୍ସା ପାଇଁ ଆନୁଷଙ୍ଗିକ ସୁବିଧା ଯୋଗାଇ ଦିଆଯାଉଥିବା ବେଳେ ଦିବ୍ୟାଙ୍ଗ ପ୍ରମାଣପତ୍ର ପାଇଁ ବ୍ୟବସ୍ଥା ଖୁବ ଶୀଘ୍ର କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲା ମୁଖ୍ୟ ଚିକିତ୍ସାଧିକାରୀ । ସ୍ଥାନୀୟ ଲୋକଙ୍କ କିଛି ସହାୟତାରେ କେବଳ ଜୀବନ ବଞ୍ଚିଛି। ଏଭଳି ସ୍ଥିତିରେ ଅଜୟଙ୍କୁ ସରକାରୀ ଚିକିତ୍ସା ଯୋଗାଇ ଦେବାକୁ ଅସହାୟ ମାଆ ସହିତ ବୁଦ୍ଧିଜୀବୀ ମାନେ ଅନୁରୋଧ କରିଛନ୍ତି।