ଜମିଜମା ବିବାଦ: ଦେଢ଼ଶୂର ଶାବଳ ମାଡ଼ରେ ଭାଇବୋହୂର ମୃତ୍ୟୁ

ବାସୁଦେବପୁର (କେନ୍ୟୁଜ): ଦେଢ଼ଶୂର ଶାବଳ ମାଡ଼ରେ ଭାଇବୋହୂର ମୃତ୍ୟୁ । ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ସ୍ଥିତ ୭ ନମ୍ୱର ୱାର୍ଡ ପ୍ରବୋଧପୁର ପାରା ଗାଁରେ ଜମିଜମା ବିବାଦକୁ ନେଇ ଘଟିଛି ଘଟଣା ।
ସୂଚନା ଅନୁସାରେ ଦୀର୍ଘ ଦିନ ଧରି ସେହି ଗାଁର ବାୟାଧର ଜେନାଙ୍କ ଦୁଇ ପୁଅ ଶଶିକାନ୍ତ ଓ ରତିକାନ୍ତ ମଧ୍ୟରେ ଜମିଜମାକୁ ନେଇ କଳହ ଲାଗିରହିଥିଲା । ଘଟଣାକୁ ନେଇ ଭାଇବୋହୂ ଘରେ ଏକୁଟିଆ ଥିବାର ସୁଯୋଗ ନେଇ ରତିକାନ୍ତ ଏକ ଶାବଳରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା । ସେ ଚିତ୍କାର କରିବାରୁ ପଡୋଶୀ ମାନେ ଦୌଡ଼ି ଆସିବାରୁ ରତିକାନ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଗୁରୁତର ଅବସ୍ଥାରେ ଶଶିକାନ୍ତଙ୍କ ସ୍ତ୍ରୀ ପ୍ରୀତିରେଖାଙ୍କୁ ପ୍ରଥମେ ବାସୁଦେବପୁର ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । କିନ୍ତୁ ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ଘଟିଛି । ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି ବାସୁଦେବପୁର ପୋଲିସ ।
ସେହିପରି ଗତକାଲି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅରଣ୍ଡୁଆ ପଂଚାୟତ କିଆପଡା ଗାଁରେ ଦେଖିବାକୁ ମିଳିଥିଲା ଅଭାବନୀୟ ଘଟଣା । ଜମିଜମା ବିବାଦକୁ ନେଇ ସାନ ଭାଇର ଘରକୁ ପୋଡ଼ିଦେଲା ବଡ଼ଭାଇ । ଚାହୂୁଁ ଚାହୁଁ ହୁତୁ ହୁତୁ ହୋଇ ଜଳିଗଲା ଘର । ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିବା ବେଳେ ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆକୁ ଆୟତ୍ତ କରିଥିଲେ । ହେଲେ ସେତେ ବେଳକୁ ଘରେ ଥିବା ସବୁ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିଲା ।