ରକ୍ତ ସମ୍ପର୍କରେ ଭୟଙ୍କର ଧୋକା: ସାମାନ୍ୟ କଥାରୁ ଭାଇକୁ ମାରିଦେଲା ଭାଇ
ହିନ୍ଦୋଳ: ଭାଇକୁ ମାରିଦେଲା ଭାଇ । ରକ୍ତ ସମ୍ପର୍କରେ ଭୟଙ୍କର ଧୋକା । ଅଭିଯୋଗ ରହିଛି ଆଗରୁ ଜନ୍ମ ଦେଇଥିବା ବାପା ମାଆଙ୍କୁ ବି ମାରିଥିଲା । ଆଉ ଏବେ ମାରିଦେଲା ନିଜ ଭାଇକୁ । ଇଏ ମଣିଷ ନା ଶୈତାନ୍ ? ସାଙ୍ଗ ହୋଇ ଖାଇଲେ । ସାମାନ୍ୟ କଥାରୁ ଆରମ୍ଭ ହେଲା ଯୁକ୍ତିତର୍କ । ଆଉ ଖାଇ ସାରିବ ପରେ ସାନ ଭାଇ ମୁଣ୍ଡକୁ ପିତ୍ତ ଚଢ଼ିଲା ଯେ କଟୁରୁ ଆଣି ହାଣି ଦେଲା ବଡ଼ ଭାଇକୁ ।
କଥାରେ ଅଛି ଭାଇ ଭାଇର ସମ୍ପର୍କ ସ୍ନେହ, ଶ୍ରଦ୍ଧା, ଭଲ ପାଇବାରେ ଯୋଡ଼ି ହୋଇ ରହିଥାଏ । ଏ ସମ୍ପର୍କ ରାଗ, ରୁଷା, କଳି ଝଗଡ଼ାର । ଏ ସମ୍ପର୍କ ତ୍ୟାଗର । ଭାଇଟିଏ ଭାଇ ସହ ଯେତେ ଝଗଡା କରୁ, ଯେତେ କଳି କରୁ ଦୁହେଁ ଦୁହିଁଙ୍କୁ ସେତେ ଅଧିକ ଭଲପାଆନ୍ତି । ଜୀବନଠୁ ବେଶି ଯତ୍ନ ନିଅନ୍ତି । ଭାଇର ବପଦରେ ଭାଇ ହିଁ ସାହା ଭରସା ପାଲଟେ । ସ୍ନେହର ଡୋରିରେ ବନ୍ଧା ଏ ସମ୍ପର୍କ । ଜୀବନର ପ୍ରତିଟି ସୁଖ ଦୁଃଖ ସମୟରେ ଭାଇ ଭାଇର ସାହା ହେବନି ତ ଆଉ କିଏ ହେବ । ସେଥି ଲାଗି ତ କୁହାଯାଏ ‘ଯୁଦ୍ଧ ଯଦି କରି ବସିବ ସଂଗେ ଥିବ ଭାଇ’ । ହେଲେ ସମୟର କାଳଚକ୍ରରେ ଭାଇ ଭାଇର ସମ୍ପର୍କ ବଦଳି ଯାଇଛି । ଭାଇ ସାଜୁଛି ଭଗାରୀ । ସେମିତି ଜଣେ କଳିଯୁଗର ଭାଇ ଆଜି ଭଗାରୀ ସାଜି ନିଜ ରକ୍ତର ଭାଇକୁ ମାରି ଶୁଆଇ ଦେଇଛି ।
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନଏସି ୨ନମ୍ବର ୱାର୍ଡର ମୁଣ୍ଡହତାରେ ଘଟିଛି ଏହି ଅଭାବନୀୟ ଘଟଣା । ସାନ ଭାଇର ଚୋଟରେ ଗଲା ମଝିଆଁ ଭାଇର ଜୀବନ । ସୂଚନା ମୁତାବକ ମୃତକ ମଝିଆଁ ଭାଇ ଗୋବିନ୍ଦ ନାଏକ ବାହାର ରାଜ୍ୟରେ ରୁହନ୍ତି । ତେବେ ଗତ ୨୫ ତାରିଖ ଦିନ ଘରକୁ ଆସିଥିଲେ ଗୋବିନ୍ଦ । ଗତକାଲି ଗୋବିନ୍ଦ ଓ ସାନଭାଇ ସୁନନ୍ଦ ଘରେ ଖିଆପିଆ କରୁଥିଲେ । ଏତିକି ବେଳେ ଦୁହିଁଙ୍କ ମଧ୍ୟରେ କୌଣସି କାରଣରୁ ଯୁକ୍ତିତର୍କ ହୋଇଥିଲା । ଯାହାଫଳରେ ସାନ ଭାଇ ଉତ୍ତ୍ୟକ୍ତ ହୋଇ ଏକ ମାରଣାସ୍ତ୍ରରେ ଅତର୍କିତ ଆକ୍ରମଣ କରିଥିଲା । ଆକ୍ରମଣରେ ମଝିଆ ଭାଇ ଗୋବିନ୍ଦ ଗୁରୁତର ଭାବେ ଆହତ ହୋଇଥିଲେ ।
ଘଟଣା ପରେ ତୁରନ୍ତ ଗୋବିନ୍ଦଙ୍କୁ ପ୍ରଥମେ ହିନ୍ଦୋଳ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କକଟାପନ୍ନ ହେବାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ରାତି ୩ଟାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅଭିଯୁକ୍ତ କିଛି ବର୍ଷ ପୂର୍ବରୁ ତାର ବାପା ଏବଂ ମାଆଙ୍କୁ ମଧ୍ୟ ହତ୍ୟା କରିଥିବା ଅଭିଯୋଗ ହୋଇଛି ।
ଏପଟେ ଖବର ପାଇ ହିନ୍ଦୋଳ ପୋଲିସ୍ ସାନ ଭାଇ ସୁନନ୍ଦକୁ ଗିରଫ କରିଥିଲା । ପରେ କ୍ରାଇମ୍ ସିନ୍ ରିକ୍ରିଏସନ କରିଥିଲା । ହତ୍ୟାରେ ବ୍ୟବହୃତ କଟୁରୀ ନିକଟସ୍ଥ ଏକ ବୁଦାରୁ ଜବତ କରିଥିଲା ପୋଲିସ୍ । ସାଇଣ୍ଟିଫିକ ଟିମ୍ ସହ ଅତିରିକ୍ତ ଏସପି ପହଁଚି ଅଧିକ ତଦନ୍ତ କରିଛନ୍ତି । ତେବେ କୁହାଯାଏ କି ସୁନନ୍ଦ ଅତ୍ୟନ୍ତ ଦୁର୍ଦ୍ଦାନ୍ତ ପ୍ରକୃତିର । ପ୍ରଥମେ ନିଜ ବାପା ଓ ପରେ ମାଆଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ହେଲେ ତାକୁ ଭୟ କରି କେହି ଅଭିଯୋଗ କରି ନଥିଲେ । ତେଣୁ ତା ବିରୋଧରେ ମାମଲା ରୁଜୁ ହୋଇ ପାରିନଥିଲା । ଯାହାଫଳରେ ପୁଣି ଏକ ଅଘଟଣ ଘଟିଗଲା ।