କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁହାଁମୁହିଁ  : ରାଉରକେଲା ଆଇଜିଏଚ୍‌କୁ ସୁପର ସ୍ପେଶାଲିଟି ହସ୍ପିଟାଲ କରିବା ପ୍ରସଙ୍ଗ

ନୂଆଦିଲ୍ଲୀ : ଦେଶ ଡ଼ିଜିଟାଲ ହେବା ସହ ରାଜନୀତି ମଧ୍ୟ ଡ଼ିଜିଟାଲରେ କଥା କଟାକଟି ଚାଲିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଆକ୍ଷେପ-ପ୍ରତିଆକ୍ଷେପ ଚାଲୁରହିଛି ।ରାହୁଲ ଟ୍ଵିଟ୍‌ କରି ସିଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୀର ମାରିଛନ୍ତି । କହିଛନ୍ତି, ରାଉରକେଲା ଇସ୍ପାତ ଜେନେରାଲ ହସପିଟାଲ-ଆଇଜିଏଚ୍‌କୁ ସୁପର ସ୍ପେଶାଲିଟି  ହସପିଟାଲ କରିବା ପାଇଁ ୨୦୧୫ ଏପ୍ରିଲ ୧ ତାରିଖରେ ମୋଦି ପ୍ରତିଶୃତି ଦେଇ ଓଡ଼ିଶାବାସୀଙ୍କୁ ଏପ୍ରିଲ୍‌ ଫୁଲ୍‌ କରିଥିଲେ । ତାଙ୍କ ପ୍ରତିଶୃତି ଏଯାଏଁ କାର୍ଯ୍ୟକାରୀ ହୋଇନାହିଁ । ଆଇଜିଏଚ୍‌କୁ ସୁପର୍‌ ସ୍ପେଶାଲିଟି ହସପିଟାଲ କରିବା ପାଇଁ ବଦାନ୍ୟତାର ସହ ଆର୍ଥିକ ସହାୟତା ଦେବାକୁ ଜନସାଧାରଣଙ୍କୁ ରାହୁଲ ନିବେଦନ କରିଛନ୍ତି ।

ପୂର୍ବରୁ ଏହି ପ୍ରସଙ୍ଗରେ ଏଆଇସିସି ମଧ୍ୟ ମୁକ୍ତିକାନ୍ତ ବିଶ୍ୱାଳଙ୍କ ରାଉରକେଲାରୁ ଦିଲ୍ଲୀ ଯାଏ ପଦଯାତ୍ରାକୁ ସମର୍ଥନ ଜଣାଇଥିଲା । ଏବେ ମୋଦିଙ୍କୁ ଆକ୍ଷେପ କରି ରାହୁଲ ନିଜେ ଟ୍ଵିଟ କରିଥିବାରୁ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଅପରପକ୍ଷରେ ରାହୁଲଙ୍କ କଟାକ୍ଷ ଉପରେ କଡ଼ା ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର କହିଛନ୍ତି, ରାହୁଲଙ୍କ ମିଛ ଖବର କାରଖାନା ଆଉ ଏକ ନୂଆ ମିଛ ତିଆରି କରିଛି । ରାଉରକେଲା ଇସ୍ପାତ ଜେନେରାଲ ହସପିଟାଲ-ଆଇଜିଏଚ୍‌କୁ ସୁପର ସ୍ପେଶାଲିଟି ହସ୍ପିଟାଲ କରିବା ପାଇଁ ୨୦୦ କୋଟି ଟଙ୍କା ବ୍ୟୟବରାଦ କରାଇଛି । ଏନେଇ ବିସ୍ତତ ପ୍ରକଳ୍ପ ରିପୋର୍ଟ-ଡିପିଆର ବି ଦାଖଲ କରାଯାଇଛି । ବୋଧହୁଏ ରାହୁଲ ତଥ୍ୟ ପ୍ରତି ସଚେତନ ନୁହନ୍ତି । ବିଭିନ୍ନ ସ୍କାମ୍‌ ପରେ ଆଇଜିଏଚ୍‌ ପାଇଁ କଂଗ୍ରେସର ପାଣ୍ଠି ସଂଗ୍ରହ ନାଁରେ ଏକ ନୂଆ ଇଣ୍ଟରେଷ୍ଟିଙ୍ଗ ସ୍କାମ୍‌ ଦେଖିବାକୁ ବାକି ରହିଲା ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.