ଗିଲ୍ ଜିତିଲେ ସିନା ହେଲେ ତଣ୍ଡ ଗଣିବାକୁ ହେଲା ୧୨ ଲକ୍ଷ, କାହିଁକି ଜାଣନ୍ତୁ

ଶୁବମନ ଗିଲଙ୍କର ଏବେ ସବୁ ଶୁଭ ଚାଲିଥିବା ବେଳେ ଗତକାଲି ଟିକେ ଅଶୁଭ ସମୟ ଚାଲି ଆସିଥିଲା । କାଲିର ମ୍ୟାଚରେ ତାଙ୍କ ଦଳ ଗୁଜରାଟ ଟାଇଟନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ଆକର୍ଷଣୀୟ ବିଜୟ ହାସଲ କରିଥିଲା । ଏହି ବିଜୟ ଫଳରେ ଗୁଜରାଟ ବର୍ତ୍ତମାନ ଆଇପିଏଲ୍ ପଏଣ୍ଟ ତାଲିକାର ଏକ ନମ୍ବର ସ୍ଥାନ ଦଖଲ କରିଛି । ହେଲେ ଏହି ଖୁସି ଭିତରେ ଗୁଜରାଟ ଅଧିନାୟକ ଗିଲଙ୍କୁ ତଣ୍ଡ ଗଣିବାକୁ ପଡ଼ିଛି । ବିସିସିଆଇ ତାଙ୍କ ଉପରେ ଲଗାଇଛି ୧୨ ଲକ୍ଷ ଟଙ୍କାର ଜରିମନା ।
ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗତକାଲି ଦିଲ୍ଲୀକୁ ୭ ୱିକେଟରେ ହରାଇଥିଲା ଗୁଜରାଟ । ଚଳିତ ଆଇପିଏଲରେ ମୋଟ ୭ଟି ମ୍ୟାଚ୍ ଖେଳି ପଞ୍ଚମ ବିଜୟ ସହ ଗିଲଙ୍କ ଦଳ ୧୦ ପଏଣ୍ଟ ହାସଲ କରିଛି । ଯାହାଫଳରେ ତାଲିକାରେ ଶୀର୍ଷରେ ପହଞ୍ଚିଛି । ହେଲେ ଏହି ମ୍ୟାଚ୍ ବେଳେ ତାଙ୍କ ଦଳ ମନ୍ଥର ଗତିରେ ବୋଲିଂ କରିବାରୁ ତାଙ୍କ ଉପରେ ବିସିସିଆଇ ୧୨ ଲକ୍ଷ ଟଙ୍କା ଜରିମାନା ଲଗାଇଛି ।
ଅବଶ୍ୟ ଏଥର ଆଇପିଏଲରେ ଗିଲଙ୍କ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ଅକ୍ଷର ପଟେଲ, ରାଜସ୍ଥାନ ରୟାଲ୍ସର ସଞ୍ଜୁ ସାମସନ୍ ଓ ରିୟାନ୍ ପରାଗ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁର ରଜତ ପାଟିଦାର, ଲକ୍ଷ୍ନୌ ସୁପର ଜାଏଣ୍ଟସର ଋଷଭ ପନ୍ତ ଏବଂ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଜରିମାନାର ଶିକାର ହୋଇଛନ୍ତି ଏହି କାରଣରୁ ।
ଦଳର ମନ୍ଥର ବୋଲିଂ ପାଇଁ ଅଧିନାୟକମାନେ ହିଁ ଦଣ୍ଡିତ ହୁଅନ୍ତି । ଯଦିଓ ପୂର୍ବରୁ ପ୍ରଥମଥ ଭୁଲ କଲେ ଜରିମାନା ଓ ଦ୍ବିତୀୟ ଥର କଲେ ଖେଳାଳିଙ୍କୁ ବ୍ୟାନ କରିବାର ନିୟମ ଥିଲା । ଏହାକୁ ଏଥର ଉଠାଇ ଦିଆଯାଇ ଡିମେରିଟ୍ ପଏଣ୍ଟ ଓ ଇନଗେମ୍ ପେନାଲ୍ଟି ଭଳି ନୂଆ ନିୟମ ଲାଗୁ କାଯାଇଛି ।