ସରିଲା ଦିନିକିଆ ରିମାଣ୍ଡ, ଜେଲ୍ ଗଲେ ବଣ୍ଟି-ବବଲି
ଭୁବନେଶ୍ଵର : ଦିନିକିଆ ରିମାଣ୍ଡ ଶେଷ ପରେ ଜେଲ୍ ଗଲେ ବଣ୍ଟି-ବବଲି । ସକାଳ ୮ଟାରେ ଉଭୟଙ୍କୁ କୋର୍ଟରେ ହାଜର କରିଥିଲା କମିଶନରେଟ ପୋଲିସର ସ୍ପେଶିଆଲ କ୍ରାଇମ୍ ୟୁନିଟ । ଏହାପରେ ଉଭୟଙ୍କୁ ଝରପଡ଼ା ଜେଲକୁ ପଠାଇ ଦିଆଯାଇଛି । ହାଇପ୍ରୋଫାଇଲ ଠକ ହଂସିତା ଓ ଅନୀଲଙ୍କୁ ଦିନିକିଆ ରିମାଣ୍ଡରେ ଆଣି ମାରାଥନ ଜେରା କରିଥିଲା କମିଶନରେଟ ପୋଲିସ । ହଂସିତାଙ୍କ ପ୍ରଥମ ସ୍ବାମୀ ସରୋଜ ସାହୁଙ୍କ ସହ ମଧ୍ୟ ଉଭୟଙ୍କୁ ମୁହଁ ମୁହିଁ ଜେରା କରାଯାଇଛି । ତଦନ୍ତକାରୀ ଅଧିକାରୀ ମାନସ ସ୍ୱାଇଁ ଓ ଟିମ୍ କରିଥିଲେ ଝାଳବୁହା ଜେରା । କେବେଠାରୁ କ୍ରାଇମ୍ ସିଣ୍ଡିକେଟ ଚାଲିଛି? କାହାକୁ ଠକିଛନ୍ତି? ହଂସିତାଙ୍କ ପ୍ରଥମ ସ୍ବାମୀ ସରୋଜ ସାହୁଙ୍କ ଭୂମିକା କଣ? ଏସବୁ ନେଇ ଗୁଡ଼ାଇତୁଡାଇ ଜେରା କରିଥିଲା ସ୍ପେଶାଲ କ୍ରାଇମ ୟୁନିଟ ।
ହଂସିତା ରହୁଥିବା ଫ୍ଲାଟରେ କାଗଜପତ୍ର ଯାଞ୍ଚ କରିଥିଲା । ପୋଲିସ ସାଙ୍ଗରେ ସାମିଲ ହୋଇଥିଲେ ଆୟକର ଟିମ୍ । ଠକ ଦୁଇ ଜଣଙ୍କ ଆର୍ଥିକ କାରବାରକୁ ନେଇ ତନାଘନା କରାଯାଇଥିଲା । ଅଭିଯୁକ୍ତଙ୍କ ୪ଟି ଫ୍ଲାଟ ଓ ୪ଟି ଦାମୀ ଗାଡ଼ିକୁ ଜବତ କରିଛି । ହଂସିତାଙ୍କ ଠକେଇ ଚେର ଛତିଶଗଡ଼ ଓ ଝାଡ଼ଖଣ୍ଡକୁ ଲମ୍ବିଛି । ତଦନ୍ତକାରୀ ଦଳ ରାଜ୍ୟ ବାହାରକୁ ତଦନ୍ତ ପାଇଁ ଯିବା ଲାଗି ଯୋଜନା ରଖିଛନ୍ତି ।