ଆଜବେଷ୍ଟ ଭାଙ୍ଗି ଘର ଭିତରେ ପଶିଲା, ଚାବି ନେଇ କାର ଚୋରି କଲା ଦୃର୍ବୁତ୍ତ

ବାରିପଦା : ଘର ଟାଇଲ ଖୋଲି ଲୁଟ । ଆଜବେଷ୍ଟ ଭାଙ୍ଗି ଘର ଭିତରେ ପଶିଲା ଆଉ ଚାବି ନେଇ କାର ଚୋରି କଲା ଦୃର୍ବୁତ୍ତ । ଏଭଳି ଏକ ଅଭିନବ ଉପାୟରେ କାର ଚୋରି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏଭଳି ଖବର ସାମ୍ନାକୁ ଆସିଛି ବାରିପଦା ଅଞ୍ଚଳରୁ।

ବାରିପଦା ଟାଉନ ଥାନା ଅର୍ନ୍ତଗତ ଦେଉଳ ସାହିରେ ଏହି ଚୋରି ହୋଇଛି । ଭଡାରେ ରହୁଥିବା ସୋମନାଥ ପାତ୍ର ଗତ କାଲି ରାତିରେ ଶୋଇଥିବା ସମୟରେ ଜଣେ ଦୃର୍ବୁତ୍ତ ତାଙ୍କ ଘରର ଟାଇଲ ଖୋଲି ଘର ଭିତରେ ପଶିଥିଲେ । ରାତି ପ୍ରାୟ ୧.୩୦ ଟାରେ ଘରେ ପଶି କାର ଚାବି ନେଇ ଗାଡ଼ିକୁ ଚୋରୀ କରି ନେଇ ନେଇଯାଇଛି ଦୃର୍ବୁତ୍ତ। ସୋମନାଥ ଭୋର ସମୟରେ ନିଦ ଭାଙ୍ଗିବାରୁ ଘର କବାଟ ଖୋଲା ଥିବା ସହ ଗାଡ଼ି ଚାବି ନଥିବାର ଦେଖିବାକୁ ପାଇଥିଲେ।

ସନ୍ଦେହ ହେବାରୁ ଘର ବାହାରକୁ ଯାଇ କାରଟିକୁ ପାର୍କିଂ କରିଥିବା ସ୍ଥାନରେ ନଥିବାର ଦେଖିବାକୁ ପାଇଥିଲେ। କେବଳ ସେତିକି ନୁହେଁ ଗାଡ଼ି ଚାବି ପାଖରେ ରଖିଥିବା ତାଙ୍କର ଗୋଟିଏ ମୋବାଇଲ ଏବଂ ଅନ୍ୟ ଏକ ଗାଡ଼ିର ଚାବି ମଧ୍ୟ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ଏହାପରେ ଥାନାରେ ଏକ ଲିଖିତ ଅଭିଯୋଗ ପରେ ବାରିପଦା ଟାଉନ ପୋଲିସ ସିସି ଟିଭି ଯାଞ୍ଚ କରି ଅଧିକ ତଦନ୍ତ ଆରମ୍ଭ କରିଛି ।

ତେବେ ବାରମ୍ବାର ଚୋରୀ ଘଟଣା ସାମ୍ନାକୁ ଆସୁଥିଲେ ମଧ୍ୟ ପୋଲିସ କାର୍ଯ୍ୟଦକ୍ଷତା ଉପରେ ଆଙ୍ଗୁଳି ଉଠାଇଛନ୍ତି ଲୋକେ । ଏନେଇ ଖୁବ୍ ଶୀଘ୍ର ତଦନ୍ତ କରି ଦୃର୍ବୁତ୍ତଙ୍କୁ ଧରିବାକୁ ଦାବି କରିଛନ୍ତି ଲୋକେ।

also read:ଗୁପ୍ତ ଗୁଣ୍ଡିଚା ଯାତ୍ରା କରୁଛନ୍ତି ମହାପ୍ରଭୁ, ଆଗାମୀ ଆଠ ଦିନ ପର୍ଯ୍ୟନ୍ତ ଚାଲିବ ଏହି ଯାତ୍ରା