ଇଣ୍ଡିଜ୍ ବିପକ୍ଷରେ ଦ୍ବିତୀୟ ଟେଷ୍ଟ ବି ସହଜରେ ଜିତିବ ଭାରତ ହେଲେ ପଞ୍ଚମ ଦିନରେ

ଦିଲ୍ଲୀ : ପଞ୍ଚମ ଦିନକୁ ଟାଣି ହେଲା ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ବିତୀୟ ଟେଷ୍ଟ ମ୍ୟାଚ୍ । ଶେଷ ଦିନରେ ୫୮ ରନ୍ କଲେ ଭାରତ ମ୍ୟାଚ୍ ଜିତିବ । ପ୍ରଥମ ଟେଷ୍ଟରେ ଇନିଂସ୍ ବିଜୟ ହାସଲ କରି ସିରିଜରେ ୧-୦ରେ ଆଗୁଆ ରହିଛି ଭାରତୀୟ ଦଳ ।

ଦ୍ବିତୀୟ ଟେଷ୍ଟରେ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍ ଦଳ ଫଲୋଅନ୍ ହେବା ପରେ ଦୁଇ ଦୁଇଟି ଶତକ ସହାୟତାରେ ଦ୍ବିତୀୟ ପାଳିରେ କରିଥିଲା ୩୯୦ ରନ୍ । ଓପ୍ନର ଜନ୍ କ୍ୟାମ୍ପବେଲ ୧୧୫ ରନ୍ ଏବଂ ମଧ୍ୟଭାଗ ବ୍ୟାଟର ସାଇ ହୋପ୍ ୧୦୩ ରନ୍ କରିଥିଲେ । ଏମାନଙ୍କ ସହାୟତା ଦେଇ ଅଧିନାୟକ ରୋଷ୍ଟନ୍ ଚେଜ୍ ୪୦, ଜଷ୍ଟିନ୍ ଗ୍ରାଭ୍ସ ଅପରାଜିତ ୫୦ ଏବଂ ଏଗାର ନମ୍ବର ବ୍ୟାଟର ଜାଏଡେନ୍ ସିଲ୍ସ ୩୨ ରନ୍ କରିଥିଲେ । ଫଳରେ ଇଣ୍ଡିଜ୍ ଦଳ ଭାରତର ପ୍ରଥମ ଇନିଂସ୍ ସ୍କୋର ୫୧୮ ରନ୍ ଠାରୁ ଆଗେଇ ଯାଇଥିଲା । ମୋଟ୍ ୧୨୦ ରନର ଅଗ୍ରଣୀ ନେଇଥିଲା । ଭାରତ ପକ୍ଷରୁ କୁଲଦୀପ ଯାଦବ ଓ ଯଶପ୍ରୀତ ବୁମରା ୩ଟି ଲେଖାଏଁ ଏବଂ ସିରାଜ ୨ଟି ୱିକେଟ୍ ଅକ୍ତିୟାର କରିଥିଲେ ।

ପରେ ଭାରତ ୧୨୧ ରନର ବିଜୟଲକ୍ଷ୍ୟ ନେଇ ଆଜି ଚତୁର୍ଥ ଦିବସ ଖେଳ ଶେଷ ସୁଦ୍ଧା ଯଶସ୍ବୀ ଜୟସୱାଲଙ୍କ ୱିକେଟ୍ ହରାଇ ୬୩ ରନ୍ କରିଛି । ଯଶସ୍ବୀ ୮ ରନ୍ କରି ଆଉଟ୍ ହାଇଛନ୍ତି । କେଏଲ୍ ରାହୁଲ ୨୫ ଏବଂ ସାଇ ସୁଦର୍ଶନ ୩୦ ରନ୍ କରି ଅପରାଜିତ ଅଛନ୍ତି ।