ରଥଯାତ୍ରା ଲାଗି ଜୋରସୋରରେ ଚାଲିଛି ତିନି ରଥ ନିର୍ମାଣ କାର୍ଯ୍ୟ
ପୁରୀ : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଲାଗି ଜୋରସୋରରେ ଚାଲିଛି ତିନି ରଥ ନିର୍ମାଣ କାର୍ଯ୍ୟ । ବର୍ତମାନ ସୁଦ୍ଧା ତିନି ରଥର ମୂଳ କଇଞ୍ଚି ଚାରି ନାହାକା ଭିତର ପାର୍ଶ୍ଵ ଉଭୟ ପଟରେ ପଡ଼ିବା ସହ ତିନି ରଥକୁ ବଡଧରା ପୋଟଳ ଉଠିଥିଲା । ତିନି ଭୂଇଁରେ ପଡ଼ିଲା କଇଞ୍ଚି ଓ ଅନ୍ଧାରୀ ତାଗ । ତିନିରଥ ମହାରଣା ସେବକ ଏବଂ ଭୋଇ ସେବକ ମାନଙ୍କ ମିଳିତ ସହଯୋଗରେ ତିନି ରଥର ପ୍ରଥମ ଭୂଇଁରେ କଇଞ୍ଚି ପଡ଼ିବା ସହ ଦ୍ୱିତୀୟ ଭୂଇଁ ଉଭୟ ପାର୍ଶ୍ଵରେ ଅନ୍ଧାରୀ ତାଗ ବାଡିଆ ଯାଇ ଅଗ ଭୂଇଁ ବା ତୃତୀୟ ଭୂଇଁରେ କଇଞ୍ଚି ସହ ଅନ୍ଧାରୀ ତାଗ ବାଡିଆ ଶେଷ ହୋଇଛି ।
ଏଥି ସହ ତିନି ରଥ ବେଦୀ ଚାରି ପାର୍ଶ୍ୱରେ ତାଗ ବା ବଟନ ବାଡିଆ ଶେଷ ହେବା ପରେ ତିନି ରଥ ପଛପାର୍ଶ୍ଵରେ ପାରୁସ ପଟା ପଡ଼ିବା ଶେଷ ହୋଇଛି । ତିନି ରଥର ଦୁଆର ବେଢ଼ା ପାଇଁ ୪ଟି ଲେଖାଏଁ ଚନ୍ଦ୍ରଶାଳୀ ନିର୍ମାଣ ଶେଷ ହୋଇ ରଥ ମାନଙ୍କରେ ସାଇତା ଯାଇଛି। ତିନି ରଥର ଚାରପରିଛା ରଥ ସମ୍ମୁଖ ଭାଗ ଦଣ୍ଡା ମୁହାଁଟି ଉପର ଭାଗ ସାଲଗୁଜ ଫିଟିଙ୍ଗ କରାଯାଇଛି । ତିନି ରଥର ରୂପକାର ସେବକମାନେ ନାଟ ଗୋଡ଼ରେ ରୂପ ଖୋଦେଇ ସହ ତିନି ରଥର ପଟା ଗୁଜରେ ସିଂହ ବିରାଳ, ଗଜ ବିରାଳ,ନର ବିରାଳ ରୂପ ରେଖଦେଇ ଜାରୀ ରଖିଛନ୍ତି ।
ଚିତ୍ରକାର ସେବକମାନେ ରଥ ପାର୍ଶ୍ଵ ଦେବ ଦେବୀ ମାନଙ୍କ ମୂର୍ତ୍ତିରେ ରଙ୍ଗ କାର୍ଯ୍ୟ ସହ ରଥ ବାହ୍ୟ ଅଂଶ କୋଣ ଗୁଜ ,ପଟାଗୁଜ ରେ ଧଳା ପ୍ରାଇମର ଦେବା ପରେ ରୂପ ଗୁଡିକରେ ରଙ୍ଗ କାର୍ଯ୍ୟ ଜାରୀ ରଖିଛନ୍ତି। ଦରଜୀ ସେବକ ମାନେ ତିନି ରଥର କନା କଟିଙ୍ଗ ପରେ ବତା କନାରେ ବିଳାସ ପଟି ସହ ଲେସ ପକା କାର୍ଯ୍ୟ ଜାରୀ ରହିଛି। ଦୋଳ ବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକ ମାନେ ପୋଟଳ ପାଇଁ ଗୋଡ଼ି ସାଲ, ଏବଂ ବାଗିଆ କଣ୍ଟା ନିର୍ମାଣ ଜାରୀ ରହିଛି ।