ମଶାଣି ମଣିଷ ଜୟ ହୋ ଭାଇ, ଯିଏ ଏବେ ସୁଦ୍ଧା କରିସାରିଲେଣି ୧୦ ହଜାରରୁ ଅଧିକ ଶବ ସତ୍କାର

ବାଲେଶ୍ୱର (କେନ୍ୟୁଜ) : ଭଗବାନଙ୍କ ସୃଷ୍ଟି ବଡ଼ ବିଚିତ୍ର । ବିଭିନ୍ନ ମଣିଷଙ୍କ ନିକଟରେ ଭିନ୍ନ ଭିନ୍ନ ଗୁଣ ସବୁ ପ୍ରକଟିତ ହୋଇଛି । ଏତେ ବଡ଼ ଦୁନିଆରେ ଯଦି ଦୟା, ଦାନ, ଧର୍ମ, କର୍ମ ଓ ସେବା ନା ରହିଥାନ୍ତି ତା ହେଲେ ଏ ପୃଥିବୀ କେବେଠାରୁ ସମୁଦ୍ରରେ ବିଲୀନ ହୋଇଯାଇ ସାରନ୍ତାଣି । ଆଜି ଆମେ ସେଭଳି ଜଣେ ମଣିଷକୁ ଭେଟିବା ଯିଏ କି ନିଜର ଉତ୍ସର୍ଗୀକୃତ ସେବା ମନବୃତି ପାଇଁ ସମସ୍ତଙ୍କର ପ୍ରିୟର ପାତ୍ର ହୋଇ ପାରିଛନ୍ତି । ଜଣେ ପ୍ରତିଷ୍ଠିତ ପରିବାରରେ ଜନ୍ମ ହୋଇଥିଲେ ବି କୌଣସି କାର୍ଯ୍ଯକୁ ସେ ଛୋଟ ମନେ କରିନାହାନ୍ତି । ନିଜ ପରିବାର ଓ ବୃତ୍ତିରେ ଥାଇ ମଧ୍ୟ ଶ୍ମଶାନରେ କଟୁଛି ତାଙ୍କର ପୁରା ସମୟ । ଶବକୁ ସତ୍କାର କରି ସେ ପାଇଛନ୍ତି ଅପୂର୍ବ ଆନନ୍ଦ । ଆଜି ପର୍ଯ୍ଯନ୍ତ ୧୦ ହଜାରରୁ ଉର୍ଦ୍ଧ୍ଵ ଶବକୁ ସତ୍କାର କରି ସେ ଏକ ଉଦାହରଣ ପାଲଟି ଯାଇଛନ୍ତି । ଆମେ କହୁଛୁ ବାଲେଶ୍ୱର ସହର ଅରଡ ବଜାର ର ଅରୁଣ କୁମାର କର , ବ୍ରଜ ଓରଫ ଜୟ ହୋ ଭାଇ ଙ୍କ କଥା ।

muktiଦିନେ କ୍ଯାମେରା ଲେନ୍ସ ରେ ଅନେକ ପ୍ରତିବିମ୍ବକୁ ସାଉଁଟି ଖୁସି ପାଉଥିବା ମଣିଷ ଟି ହଠାତ କଣ ହେଲା ଯେ ଆଜି ଶ୍ମଶାନ ରେ ଶବ ସତ୍କାର କରୁଛି । ଏକଥା ଭାବିଲା ବେଳକୁ ହୁଏତ ଆପଣଙ୍କ ମୁଣ୍ଡ ଘୁରେଇବ । ଦିନେ ଦାନ ବୀର ରାଜା ହରିଶ୍ଚନ୍ଦ୍ରଙ୍କୁ ସତ୍ୟ ରକ୍ଷା ପାଇଁ ଶ୍ମଶାନରେ ଦିନ କାଟିବାକୁ ପଡୁଥିଲା । କିନ୍ତୁ ଏ ବାବୁ ଜଣକ କୌଣସି ପୌରାଣିକ କଥା ବସ୍ତୁର ଚରିତ୍ର ନୁହନ୍ତି ସତ, ହେଲେ ଜଣେ ସମାଜ ସଂସ୍କାରକ ଭାବେ ଆଜି ସମସ୍ତଙ୍କର ପ୍ରିୟପାତ୍ର ହୋଇ ପାରିଛନ୍ତି । ଅଣ୍ଟାରେ ଏକ ଗାମୁଛା ଆଉ ମୁଣ୍ଡରେ ମୁହଁ ଓ ନାକ କୁ ଢାଙ୍କି ମଶାଣିରେ ଶବଙ୍କ ସହ ଦିନ ବିତାଉଥିବା ଏହି ବ୍ଯକ୍ତି ଜଣକ ହେଉଛନ୍ତି ବାଲେଶ୍‌ର ସହର ଅରଡ ବଜାର ର ଅରୁଣ କୁମାର କର ଓରଫ ବ୍ରଜ ଓରଫ ସବୁରି ପ୍ରିୟ ଜୟ ହୋ ଭାଇ । ତାଙ୍କରି ନାମ ଜୟ ହୋ କାହିଁକି ହେଲା ହୁଏତ ଏହା ଆପଣଙ୍କୁ ଆଶ୍ଚର୍ଯ୍ଯ ଲାଗୁଥିବ ନିଶ୍ଚିତ । କିନ୍ତୁ ଅସଲ କଥା ଟି ହେଲା ମନୁଷ୍ଯ ମୃତ୍ୟୁ ପରେ ଯେତେବେଳେ ତାର ମରଶରୀରକୁ ଅଗ୍ନି ସଂଯୋଗ କରାଯାଇ ସତ୍କାର କରାଯାଏ ସେତେବେଳେ ଅରୁଣ ନିଷ୍ଠାର ସହକାରେ କର୍ତ୍ତବ୍ଯ ସମ୍ପାଦନ କରନ୍ତି । ତେଣୁ ତାଙ୍କୁ ସମନ୍ତେ ଖୁସି ରେ ଜୟ ହୋ ଭାଇ ବୋଲି ଡାକନ୍ତି ।

arunବୟସ ପାଖାପାଖି ୬୩ ଛୁଇଁଲାଣି ତଥାପି ମନରେ ଭୟ କି ଖାତିର ନାହିଁ । ଖରା ହେଉ ଅବା ବର୍ଷା ଅବା ଶୀତ କାକର ସବୁବେଳେ ସବୁ ପରିସ୍ଥିତିରେ ନିଜକୁ ସେ ପ୍ରସ୍ତୁତ କରି ରଖି ଥାଆନ୍ତି । ବାଲେଶ୍ୱର ଲୁଣିଆ ଝୁଡ଼ି ପୋଲ ନିକଟରେ ଥିବା ବର୍ତ୍ତମାନର ମୁକ୍ତି ଦ୍ୱାରରେ ବହୁ ପୂର୍ବରୁ ନିଜ ବାପା ବଡ଼ ବାପାଙ୍କ ସମାଧି ରହିଥିଲା ସେହି କାରଣରୁ ବିଭିନ୍ନ ସମୟରେ ଅରୁଣ ସମାଧି ସ୍ଥଳ କୁ ସଫା କରିବାକୁ ଆସନ୍ତି । ଯେହେତୁ ବାପାଙ୍କ ସମାଧି ନିକଟରେ ବିଭିନ୍ନ ଶବକୁ ସତ୍କାର ମଧ୍ୟ କରାଯାଏ ସେହିଭଳି ମୃତ ପଶୁକୁ ବି ଲୋକମାନେ ସେହି ସ୍ଥାନରେ ପକାଇ ଦିଅନ୍ତି । ଯାହାକି ଅରୁଣଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହେବା ସହ ସେହି ଦିନ ଠାରୁ ମନରେ ସ୍ଥିର କରିଥିଲେ ଶବକୁ ଉଚିତ ସମ୍ମାନ ଦେବେ । ଅରୁଣଙ୍କ ସହ ପରବର୍ତ୍ତୀ ସମୟରେ ଅନେକ ବଦାନ୍ୟ ବ୍ଯକ୍ତି ଯୋଡ଼ି ହୋଇଯାଇଗଲେ । ଆଉ ଟଙ୍କା ସଂଗ୍ରହ ପରେ ଏକ ଉତ୍ତମ ଶ୍ମଶାନର ପରିକଳ୍ପନା ତିଆରି କରାଗଲା । ୨୦୧୦ ମସିହାରେ ତିଆରି ହେଲା ଶ୍ମଶାନ ଯାହାକି ଏବେ ମୁକ୍ତି ଦ୍ୱାର ଭାବେ ଅବସ୍ଥିତ ।

ଅରୁଣ ଓରଫ ଜୟ ହୋ ଭାଇ ବାଲେଶ୍‌ର ରେଲୱେ ଷ୍ଟେସନ ନିକଟରେ ଏକ ଫଟୋ ଷ୍ଟୁଡିଓ କରିଥିଲେ । ଯାହାକି ରାଜ୍‌ ଷ୍ଟୁଡିଓ ନାମରେ ତାଙ୍କୁ ସ୍‌ତନ୍ତ୍ର ପରିଚୟ ଦେଇଥିଲା । ୧୯୭୨ ମସିହାରେ ଏହି ଷ୍ଟୁଡିଓ କରିଥିବା ବେଳେ ପରବର୍ତୀ ସମୟରେ କୌଣସି କରଣବସତଃ ଷ୍ଟୁଡିଓକୁ ସେ ବନ୍ଦ କରିବାକୁ ବାଧ୍ୟ ହେଲେ ଆଉ ତା ପରେ ପରେ ସମାଜ ସେବା ଆଉ ଆଜି ଜଣେ ମଶାଣି ମଣିଷ ଭାବେ ପରିଚୟ ପାଇଛନ୍ତି । ଅରୁଣ ଓରଫ ଜୟ ହୋ ଭାଇଙ୍କ ପରିବାର ବହୁ ପ୍ରତିଷ୍ଠିତ । ପରିବାରର ସମାଜ ପ୍ରତି ବହୁ ଅବଦାନ ରହିଥିବା ବେଳେ ଅରୁଣ ୬ ଭାଇ ଙ୍କ ମଧ୍ୟରୁ ସେ ହେଉଛନ୍ତି ସାନ ଭାଇ । ସମସ୍ତ ଭାଇ ବିଭିନ୍ନ ଦପ୍ତର ରେ ଚାକିରି ଜୀବନ କଟାଇ ଏବେ ଅରଡ ବଜାର ଘରେ ରହୁଥିବା ବେଳେ ଗୋଟିଏ ମନ ଗୋଟିଏ ପ୍ରାଣ ଭଳି ଗୋଟିଏ ଛାତ ତଳେ ରହିଛନ୍ତି ସମସ୍ତେ । ଏହା ସହ ଘରେ ତାଙ୍କର ଗୋଟିଏ ପୁଅ ଓ ଝିଅ ସହ ସ୍ତ୍ରୀ ରହୁଥିବା ବେଳେ ପୁଅ ତାଙ୍କର ବ୍ଯବସାୟ କଥା ବୁଝନ୍ତି ।

ପ୍ରଥମେ ପ୍ରଥମେ ଅରୁଣଙ୍କ ଏଭଳି କାର୍ଯ୍ୟ କୁ ସ୍ତ୍ରୀ ଓ ପରିବାର ପକ୍ଷରୁ ଅମଙ୍ଗ ପ୍ରକାଶ କରୁଥିବା ବେଳେ ପରେ ଏଥିପାଇଁ ସହମତି ଦେଇଥିଲେ । ଆଉ ପରିବାରର ସହଯୋଗ ଅରୁଣ ଙ୍କ ମନୋବଳକୁ ଆହୁରି ସୁଦୃଢ କରିଦେଇଥିଲା । ୨୦୧୦ ମସିହାରେ ବାଲେଶ୍‌ର ଜୁଣିଆ ଯୋଡ଼ିରେ ଯେବେଠୁ ମୁକ୍ତିଦ୍ଵାର ପ୍ରତିଷ୍ଠା ହେଲା, ସେବେଠୁ ଅରୁଣଙ୍କ ଠିକଣା ବଦଳି ଯାଇଥିଲା । ସ୍ଥାୟୀ ଠିକଣା କେବଳ ଶ୍ମଶାନ ହିଁ ଥିବା ବେଳେ ଅସ୍ଥାୟୀ ଠିକଣା ଥିଲା ତାଙ୍କ ଅରଡ ବଜାର ଘର । ଏବେ ସୁଦ୍ଧା ସେ ପାଖପାଖି ୧୦ ହଜାରରୁ ଅଧିକ ଶବ ସତ୍କାର କରିସାରିଲେଣି। ମୁକ୍ତିଦ୍ୱାର ଉନ୍ନୟନ କମିଟି ପକ୍ଷରୁ ଶବ ସତ୍କାର ପାଇଁ ୨ ହଜାର ଟଙ୍କା ମୂଲ୍ଯ ରଖାଯାଇଥିବା ବେଳେ ଯିଏ ଯାହାଦେଲେ ଗ୍ରହଣ କରାଯାଇଥାଏ। ଏମିତିକି ଅନେକ ନିରୀହ ଲୋକଙ୍କ ଅବସ୍ଥାକୁ ଦେଖି ମାଗଣାରେ ମଧ୍ୟ ଶବ ସତ୍କାର କରାଯାଇଥିବା ବେଳେ ଅନେକ ଅଚିହ୍ନା ଶବ କୁ ନିଜ ପ୍ରଚେଷ୍ଟାରେ ସତ୍କାର କରିଛନ୍ତି ଅରୁଣ । ଖାଲି ସେତିକି ନୁହଁ । କୋଭିଡ ପାଇଁ ଏବେ ପାଦେ ପାଦେ ବିପଦ ରହିଥିବା ବେଳେ ତଥାପି ଖାତିର ନାହିଁ । ସେଭଳି ନିର୍ବିଘ୍ନ ଭାବରେ ସେବାକୁ ଜାରୀ ରଖିଛନ୍ତି ମଶାଣି ମଣିଷ ଅରୁଣ କୁମାର କର ଓରଫ ଜୟ ହୋ ଭାଇ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.