ମୋହନା: ସ୍ଵାମୀ ସ୍ତ୍ରୀର ସମ୍ପର୍କ ହେଉଛି ଏକ ନିବିଡ ସମ୍ପର୍କ । ବିଶ୍ୱାସ ଏବଂ ଭରସାକୁ ନେଇ ମଜଭୁତ ହୋଇଥାଏ ଏହି ସମ୍ପର୍କ । କିନ୍ତୁ ଏହି ସମ୍ପର୍କ ଭିତରେ ଯଦି ବିଶ୍ୱାସ ଏବଂ ଭରସା ଭାଙ୍ଗିଯାଏ ତେବେ ଏହି ସମ୍ପର୍କର ପରିଭାଷା ହିଁ ବଦଳିଯାଏ । ତେବେ ଆମେ ସବୁବେଳେ ପ୍ରାୟତଃ ଶୁଣିଥାନ୍ତି କି ମହିଳାଙ୍କ ଉପରେ ପୁରୁଷଙ୍କ ଅତ୍ୟାଚାର କଥା। କେଉଁଠି ସ୍ତ୍ରୀକୁ ସ୍ଵାମୀ ନିର୍ଯ୍ୟାତନା ଦେଇଥାଏ ତ, କେଉଁଠି ଯୌତୁକ ଜୁଇରେ ଜଳିଥାଏ ନବବଧୂ । ହେଲେ ଆଜିର ଏ ଘଟଣା ଟିକେ ଅଲଗା । ଏଠି ଜଣେ ପୁରୁଷ ନିର୍ଯ୍ୟାତିତ ହୋଇଛି ତା ପୁଣି ନିଜ ସ୍ତ୍ରୀ ଦ୍ୱାରା । ଯେଉଁ ଘଟଣା ସମ୍ପର୍କରେ ଆପଣ ଜାଣିଲେ ଚକିତ ହୋଇଯିବେ ।
ନିଜ ସ୍ଵାମୀଙ୍କୁ ଦୀର୍ଘ ଆଠ ଦିନ ଧରି ଘରର ଏକ କୋଠରୀରେ ଚାବି ପକାଇ ରଖିଥିଲା ସ୍ତ୍ରୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଅଡବା ଥାନା ବିରିକୋଟ ସ୍ଥିତ ବିଜେପୁର ସାହିରେ । ସ୍ତ୍ରୀ ପ୍ରଣ ରଞ୍ଜନୀ ନିଜ ସ୍ୱାମୀ ଆସେସ୍ଥିନ ପରିଛାଙ୍କୁ ଘରେ ବନ୍ଦୀ କରି ରଖିଥିବା ଜଣାପଡିବା ପରେ ସ୍ଥାନୀୟ ବାସିନ୍ଦା ଏବଂ ଜନପ୍ରତିନିଧି ଅଡବା ପୋଲିସକୁ ଘଟଣା ସମ୍ପର୍କରେ ଖବର ଦେଇଥିଲେ ।
ଆଉ ଏକଥା ଜାଣିବା ପରେ ଅଡବା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ବନ୍ଦ ଘରର ତାଲା ଭାଙ୍ଗି ଆସେସ୍ଥିନଙ୍କୁ ଉଦ୍ଧାର କରିଛି । ଉଦ୍ଧାର କରିବା ପରେ ତାଙ୍କ ସ୍ଵାସ୍ଥ୍ୟବସ୍ଥା ଗୁରୁତର ଥିବା ହେତୁ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ଚିକିତ୍ସା ନିମନ୍ତେ ପଠାଇ ଦିଆଯାଇଛି । ତେବେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି ।
ତେବେ ସ୍ଥାନୀୟ ଲୋକଙ୍କ କହିବା ମୁତାବକ ସ୍ତ୍ରୀ ପ୍ରଣ ରଞ୍ଜନୀଙ୍କର ଚରିତ୍ର ଠିକ୍ ନଥିଲା । ବାରମ୍ବାର ସ୍ଵାମୀଙ୍କ ନଜରରେ ପଡୁଥିଲା ସ୍ତ୍ରୀର କାରନାମା । ଯାହାକୁ ବିରୋଧ କରୁଥିଲେ ସ୍ଵାମୀ ଆସେସ୍ଥିନ । କିନ୍ତୁ ଯେତେଥର ସ୍ଵାମୀ ବାରଣ କରୁଥିଲେ ପ୍ରତିବଦଳରେ ନିଜକୁ ସୁଧାରିବା ପରିବର୍ତ୍ତେ ସ୍ଵାମୀଙ୍କୁ ହାତ ଉଠାଇ ବାଡଉଥିଲା ସ୍ତ୍ରୀ । ଶେଷରେ ପରିସ୍ଥିତି ଏହାହେଲା ନିଜ ସ୍ଵାମୀକୁ ଏଭଳି ବନ୍ଦୀ କରି ନିଜ କାମ ଜାରି ରଖିଥିଲା ।
ଏପଟେ ଆସେସ୍ଥିନଙ୍କ ଦେହସାରା ମାଡ ମରା ଯାଇଥିବା ଚିହ୍ନ ବି ଦେଖିବାକୁ ମିଳିଛି । ତେବେ ଏହି ଘଟଣା ପଛରେ ଆଉ କଣ କାରଣ ରହିଛି ପୋଲିସ୍ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ଏପଟେ ସ୍ତ୍ରୀ ପ୍ରଣ ରଞ୍ଜନୀର ଏନେଇ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ଥରେ ଭାବିଲେ ଯଦି ଏଭଳି ନିର୍ଯ୍ୟାତନାର ଶୀକାର ଯଦି ଜଣେ ନାରୀ ହୋଇଥାନ୍ତା ତେବେ ନିର୍ଯ୍ୟାତନା ଦେଇଥିବା ପୁରୁଷ ଏତେବେଳକୁ ଗିରଫ ହୋଇସାରନ୍ତାଣି । ହେଲେ ଏହି ଘଟଣାରେ ଏଯାଏ ଉକ୍ତ ମହିଳାଙ୍କ ବିରୋଧରେ କୌଣସି ବି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।