ବାହାଘରକୁ ୫ ମାସ ପୂରିନି ହେଲେ ମାମୁନୀର ହାତ ଛାଡିଦେଲା ଦିପୁ

ଉଦଳା : ‘‘ଉଡିଗଲା ପ୍ରଜାପତି ମଝି ଆକାଶରେ, ଦିପୁ ସଙ୍ଗେ ମାମୁନୀ ରହେ ମହା ଆନନ୍ଦରେ । ନିଡ ରଚେ ମାମୁନୀ ସହ ଦିପୁ ଏହି ଠାରୁ, ଆଶୀର୍ବାଦ ଲଢ଼ି ଗୁରୁଜନ ମାନଙ୍କ ଠାରୁ ।’’ ଦେଖିଲେ ତ କାନ୍ଥରୁ ଏବେ ଯାଏ ବି ଉଠି ନାହିଁ ବାହାଘର ଶୁଭେଚ୍ଛା । ଏଇ ଏବେ ଏବେ ତ ବାହାଘର ହେଇଥିଲା । ଆଉ ଘରକୁ ଆସିଥିଲା ନୂଆ ବୋହୂ । ହେଲେ ଏଇ ହସ ଖୁସି ବେଶିଦିନ ରହିଲାନି । କାହାର କେଜାଣି ନଜର ଲାଗିଗଲା ଦିପୁ ସବୁଦିନ ପାଇଁ ଛାଡି ଚାଲିଗଲା ମାମୁନୀର । ହଁ ଆଜ୍ଞା ଏମାନଙ୍କ ଏ ବାହାଘର ବେଶିଦିନ ଗଲାନି । ମାମୁନୀକୁ ଛାଡି ଚାଲିଗଲା ଦିପୁ । ଜୀବନକୁ ନୂଆ କରି ଆରମ୍ଭ କରିବା ପୂର୍ବରୁ ଏମାନଙ୍କ ଜୀବନରେ ପଡିଗଲା ପୂର୍ଣ୍ଣଛେଦ ।

ହଁ ଆଜ୍ଞା ଏ ମାଆ ନିଜକୁ ସମ୍ଭାଳି ପାରୁନି, ଦେଖୁନାହାଁନ୍ତି ଦିପୁ ଦିପୁ କହି କେମିତି ରାହା ଛାଡି କାନ୍ଦୁଛି। ମଝିରେ ମଝିରେ କହିଦେଉଛି ଦିପୁରେ ତୁ କାହିଁକି ଏମିତି କଲୁ । କଣ ପାଇଁ କଲୁ । ତୋର କଣ ତୋ ମାଆ କଥା ମନେ ପଡିଲାନି । ନୂଆ କରି ବଧୂ ବେଶରେ ସଜାଇ ଆଣିଥିବା ତୋର ସେହି ସ୍ତ୍ରୀ କଥା କଣ ମନେ ପଡିଲାନି । କାହିଁକିରେ ତୁ ଏମିତି କଲୁ । ତୋ ବାପା ତ ମାସେ ତଳେ ଚାଲିଗଲେ, ଏବେ ତୁ ଚାଲିଗଲୁ । କାହିଁକିରେ ଦିପୁ । ଏବେ କେମିତି ବଞ୍ଚିବୁ । ସେ ନୂଆ ବୋହୁଟାର କଣ ହେବ । ସେ ତ ଏଇ କେଇ ଦିନ ହେବ ବଧୂ ସାଜିଥିଲା । ମଥରେ ତାର ସିନ୍ଦୁର ଦାଉ ଦାଉ ହୋଇ ଜଳୁଛି, ସେ କେମିତି ରହିବରେ । ତୁ କାହିଁକି ଏମିତି କଲୁ କହି ଦିପୁ ଦିପୁ କହି ଚେତା ହରାଉଥାନ୍ତି । ପାଟି ପଡିଯାଉଛି ମାଆର । ମା ଜମାବି ଗ୍ରହଣ କରିପାରୁନି ତା ପୁଅ ଆଉ ନାହିଁ ବୋଲି । ଛାଡି ଚାଲିଯାଇଛି ଅଫେରା ରାଇଜକୁ ।

ହଁ ଆଜ୍ଞା ସୁଧ ଟଙ୍କା ପାଇଁ ଆଜି ଏ ମାଆ ତାର ପୁଅକୁ ହରାଇବସିଛି । ଗୋଟେ ନବବଧୂ ମଥାରୁ ସିନ୍ଦୁର ପୋଛି ହୋଇଯାଇଛି । ତେବେ କହିବାକୁ ଚାହିଁବୁ ଯେ ନିଜ ବାହାଘର ସମୟରେ ସ୍ଥାନୀୟ ଅଞ୍ଚଳର ଜଣେ ମହିଳାଙ୍କ ନିକଟରୁ ୧୦ ହଜାର ଟଙ୍କା ୫ ପ୍ରତିଶତ ସୁଧରେ ଆଣିଥିଲେ, ହେଲେ ଟଙ୍କା ଶୁଝିବାରେ ବିଳମ୍ବ ହେବାରୁ ଉକ୍ତ ମହିଳା ଘରକୁ ଡାକି ଦୁର୍ବ୍ୟବହାର ଏବଂ ଗାଳିଗୁଲଜ କଲେ । ଯେଉଁ ଅସମ୍ମାନକୁ ସହି ପାରିଲେନି ଦିପୁ । ଥରଟେ ବି କାହାକଥା ନଭାବି ନିଜେ ନେଇଗଲେ ନିଷ୍ପତ୍ତି ।

ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ଡିବାସାହି ଗାଁରେ। ଡିବାସାହି ଗାଁର ଦୀପକ ପାତ୍ର ଗତ ମାର୍ଚ୍ଚ ୧୦ ତାରିଖରେ ବିବାହ କରିଥିଲେ । ନିଜ ବିବାହ ସମୟରେ ସେ କପ୍ତିପଦା ସେ ଜଣେ ମହିଳାଙ୍କ ଠାରୁ ୧୦ ହଜାର ଟଙ୍କା ୫ ପ୍ରତିଶତ ସୁଧରେ ଆଣିଥିଲେ। ବାହାଘର ପରେ ସେ ନିଜ କର୍ମସ୍ଥଳୀ ଚେନ୍ନାଇ ଚାଲିଯାଇଥିଲେ । କିନ୍ତୁ ଏକ ମାସ ପୂର୍ବରୁ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ବାପାଙ୍କ ମୃତ୍ୟୁ ଖବର ପାଇ ସେ ଘରକୁ ଆସିଥିଲେ। ଗତକାଲି ସେ ପୁଣି ଚେନ୍ନାଇ ଫେରିଯିବାକୁ ପ୍ରସ୍ତୁତି କରିସାରିଥିଲେ । ବ୍ୟାଗ୍‌ ବି ପ୍ୟାକ୍‌ ସରିଥିଲା । ହେଲେ ତାପୂର୍ବରୁ ଘଟିଗଲା ଏମିତି ଏକ ଅଘଟଣ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.