ହାଇଦ୍ରାବାଦର ସିକନ୍ଦରାବାଦରେ ଲଜ୍‌ରେ ଅଗ୍ନିକାଣ୍ଡ ଘଟଣା: ମୃତକଙ୍କ ମଧ୍ୟରେ ଅଛନ୍ତି ଓଡ଼ିଆ ଦମ୍ପତି

କଟକ(କେନ୍ୟୁଜ୍):  ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦର ସିକନ୍ଦରାବାଦରେ ଏକ ଲଜ୍‌ରେ ଅଗ୍ନିକାଣ୍ଡ ଘଟି ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସେଥିରେ କଟକର ଏକ ଦମ୍ପତି ଅଛନ୍ତି। ଗତକାଲି ବିଳମ୍ବିତ ରାତିରେ ହାଇଦ୍ରାବାଦର ସିକନ୍ଦରାବାଦ ଅଞ୍ଚଳରେ ଥିବା ‘ରୁବି ଲଗ୍‌ଜରୀ ପ୍ରାଇଡ’ ନାମକ ଲଜ୍‌ରେ ଏହି ନିଆଁ ଲାଗିଥିଲା। ଏଥିରେ ଶ୍ବାସରୁଦ୍ଧ ହୋଇ ୮ ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ମୃତକଙ୍କ ମଧ୍ୟରେ ଦୁଇ ଜଣ କଟକ କାଫଲା ବଜାର ମହାନ୍ତି ପଡାର ହୋଇଥିବା ସୂଚନା ମିଳିଛି । ସେମାନେ ହେଲେ ଚନ୍ଦନ ଜେଠି ଏବଂ ତାଙ୍କ ପତ୍ନୀ ମିତାଲି ମହାପାତ୍ର। ଓଡ଼ିଆ ଦମ୍ପତିଙ୍କ ମୃତଦେହ ଗାନ୍ଧୀ ହସ୍ପିଟାଲରେ ରହିଛି ।

ମୃତକମାନଙ୍କ ମଧ୍ୟରେ ଜଣେ ମହିଳା ଓ ୭ ଜଣ ପୁରୁଷ ରହିଛନ୍ତି । ଦୁଇ ଓଡିଆଙ୍କ ବ୍ୟତୀତ ଅନ୍ୟ ୬ଜଣ ମୃତକ ହେଲେ ବିଜୟୱାଡା ଅଞ୍ଚଳର ହରିଶ, ଚେନ୍ନାଇର ସୀତାରମଣ ଏବଂ ଦିଲ୍ଲୀର ବୀରେନ୍ଦ୍ର କୁମାର, ରାଜୀବ ମିକେ, ସନ୍ଦୀପ ମଲିକ୍ ଓ ଚେନ୍ନାଇର ବାଲାଜୀ । ସେପଟେ ଆହତମାନଙ୍କ ପରିଚୟ ଜାଣିବାକୁ ପୋଲିସ ଛାନଭିନ୍ କରୁଛି । ଯାହା ସୂଚନା ମିଳିଛି, ଗତକାଲି ବିଳମ୍ବିତ ରାତି ପ୍ରାୟ ୯ଟା ୪୦ ମିନିଟ୍ ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ସିକନ୍ଦରାବାଦ ଅଞ୍ଚଳ ସ୍ଥିତ ଏକ ପାଞ୍ଚ ମହଲା ବିଲ୍ଡିଂର ତଳ ମହଲାରେ(ଗ୍ରାଉଣ୍ଡ ଫ୍ଲୋର) ଥିବା ଇଲେକ୍ଟ୍ରୋନିକ ଗାଡି ସୋ’ ରୁମ୍‌ରେ(Electric vehicle showroom) ହଠାତ୍ ନିଆଁ ଲାଗିଯାଇଥିଲା । ନିଆଁର ଧୂଆଁ ସୋ’ ରୁମ୍ ଉପର ମହଲାରେ ଥିବା ଲଜ୍‌ ମଧ୍ୟକୁ ପ୍ରବେଶ କରିଥିଲା । ଏହାପରେ ଲଜ୍‌ର ସବୁ ରୁମରେ ଧୂଆଁ ଭର୍ତ୍ତି ହୋଇଯାଇଥିଲା ।

Leave A Reply

Your email address will not be published.