କ୍ୱାଡ ସମ୍ମିଳନୀରେ ଯୋଗଦେବାକୁ ଜାପାନରେ ପହଞ୍ଚିଲେ ନରେନ୍ଦ୍ର ମୋଦୀ, ଚୀନର ଗତିବିଧି ରୋକିବାକୁ ହେବ ରଣନୀତି

ନୂଆଦିଲ୍ଲୀ : କ୍ୱାଡ ସମ୍ମିଳନୀରେ ଯୋଗଦେବାକୁ ଜାପାନରେ ପହଞ୍ଚିଛନ୍ତି ନରେନ୍ଦ୍ର ମୋଦୀ । ଜାପାନରେ ଆଜି ଓ ଆସନ୍ତାକାଲି ଦୁଇଦିନ ରହିବେ । କ୍ୱାଡ୍ ଶୀର୍ଷ ନେତାଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ଏହା ଦ୍ୱିତୀୟ ବୈଠକ । ବର୍ତ୍ତମାନର ପରିସ୍ଥିତିରେ ଏହା ଉପରେ ସାରା ବିଶ୍ୱର ନଜର ରହିଛି । ଟୋକିଓ ଗସ୍ତ ଅବସରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ମୋଦି । ବିଶେଷକରି ଚୀନର ଗତିବିଧି ରୋକିବାକୁ ରଣନୀତି ହେବ ।

ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ଚୀନର ମନମାନୀ ରୋକିବା ଓ ଗତିବିଧି ଉପରେ ନଜର ରଖିବା ଉଦ୍ଦେଶ୍ୟରେ ଏହି ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହେବ । ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ଦୁଇ ନେତା ଆଲୋଚନା କରିବେ । ଭାରତର ବିକାଶ ଯାତ୍ରାରେ ଜାପାନର ଏକ ମହତ୍ତ୍ଵପୂର୍ଣ୍ଣ ଯୋଗଦାନ ରହିଛି । ଭାରତ ଓ ଜାପାନ ପ୍ରାକୃତିକ ସହଯୋଗୀ, ଉଭୟ ଦେଶ ମଧ୍ୟରେ ଆଧ୍ୟାତ୍ମିକତା ଓ ସହଯୋଗର ବନ୍ଧନ ରହିଛି ବୋଲି କହିଛନ୍ତି ମୋଦି । ଟୋକିଓରେ ଭାରତୀୟ ସଂପ୍ରଦାୟକୁ ଭେଟିଛନ୍ତି । କହିଛନ୍ତି ଭାରତୀୟ ସଂପ୍ରଦାୟ ଦୁଇ ଦେଶ ମଧ୍ୟରେ ଥିବା ସଂପର୍କକୁ ସୁଦୃଢ କରୁଛନ୍ତି । ସେମାନେ ଜାପାନରେ ଭାରତକୁ ନେଇଆସିଛନ୍ତି ।

ବିଶ୍ଵ ସମସ୍ୟାର ସମାଧାନ ପାଇଁ ଭଗବାନ ବୁଦ୍ଧଙ୍କ ପ୍ରଦର୍ଶୀତ ମାର୍ଗର ଅନୁସରଣ କରାଯିବା ଉପରେ ମୋଦି ଜୋର ଦେଇଛନ୍ତି । ସେହିପରି ଜାପାନର ବ୍ୟବସାୟୀଙ୍କ ସହ ମୋଦି ଆଲୋଚନା କରିଛନ୍ତି । ଏପଟେ ଜଣେ ଜାପାନୀ ଶିଶୁର ହିନ୍ଦୀ ପ୍ରତିଭା ଦେଖି ମୁଗ୍ଧ ହୋଇପଡିଥିଲେ ପ୍ରଧାନମନ୍ତ୍ରୀ। ଶିଶୁଟି ମୋଦିଙ୍କୁ ହିନ୍ଦୀରେ ସ୍ୱାଗତ କରିଥିଲା। ଯାହାକୁ ଦେଖି ମୋଦି ବିମୋହିତ ହୋଇପଡିଥିଲେ। କେଉଁଠୁ ହିନ୍ଦୀ ଶିଖିଲ ବୋଲି ଶିଶୁଟିକୁ ପଚାରି ବୁଝିଥିଲେ ।

କ୍ୱାର୍ଡ ହେଉଛି ଭାରତ, ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନର ଏକ ମେଣ୍ଟ । ଟୋକିଓରେ ଚାଲିଥିବା କ୍ଵାଡ୍ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତୀତ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଅନ୍ଥୋନୀ ଆଲବାନିଜ ଓ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଡା ଯୋଗ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.