ଛାତ୍ରଛାତ୍ରୀ ସାଜିଛନ୍ତି ଶ୍ରମିକ, ବାସନ ମାଜୁଥିବା ଦେଖି ଅସନ୍ତୁଷ୍ଟ ହେଉଛନ୍ତି ଅଭିଭାବକ

ଯେଉଁ ହାତରେ ଖାତା କଲମ ଧରିବା କଥା ସେଇ କଅଁଳ ହାତରେ ବାସନ ମାଜୁଛନ୍ତି ଛାତ୍ରଛାତ୍ରୀ । ବାପା ମା ନିର୍ଭୟରେ ପିଲାଙ୍କୁ ପାଠ ପଢିବାକୁ ସ୍କୁଲ ଛାଡ଼ୁଛନ୍ତି କିନ୍ତୁ ଏଠାରେ ଦେଖା ଯାଇଛି ସମ୍ପୂର୍ଣ୍ଣ ଭିନ୍ନ ପରିସ୍ଥିତି । ଜଗତସିଂହପୁର ଜିଲ୍ଲାରେ ପାଠପଢା ଛାଡ଼ି ସ୍କୁଲରେ ଶିକ୍ଷକଙ୍କ ବାସନ ମାଜିବା ଛାତ୍ରଛାତ୍ରୀମାନଙ୍କ ନିତିଦିନିଆ କାମ ହୋଇଗଲାଣି । ଏଭଳି ଅଭାବନୀୟ ଘଟଣା ଏରସମା ବ୍ଲକ ଜାନକାଦେଇପୁର ପଞ୍ଚାୟତର ସାହାଡ଼ା ଲଛମାକଣ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି । ଏଠାରେ ପିଲାମାନଙ୍କ ପାଠପଢ଼ା ଶୂନ। ଅଇଁଠା ବାସନକୁସନକୁ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପାଳି କରି ମାଜନ୍ତି । ଏ କଥାକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ଅଭିଭାବକ ଓ ସ୍ଥାନୀୟଲୋକେ । ଅଭିଭାବକମାନେ ପିଲାମାନଙ୍କୁ ସ୍କୁଲ ଛାଡ଼ୁଛନ୍ତି କିନ୍ତୁ ପିଲା ଏଠି ବାସନା ମାଜିବାରେ ବ୍ୟସ୍ତ ।

ପିଲାମାନେ ସ୍କୁଲରେ ଯଦି ବାସନ ମାଜୁଛନ୍ତି ତେବେ ପାଠ ପଢୁଛନ୍ତି କେତେବେଳେ ? ବିଦ୍ୟାଳୟକୁ ଆସୁଥିବା କଣ୍ଟି ଜେନ୍ସି ପଇସା ଠିକ୍ ଭାବରେ ବିନିଯୋଗ ହେଉନାହିଁ କି ? ଏଭଳି ପ୍ରଶ୍ନ ଉଠିଛି ଅଭିଭାବକଙ୍କ ମନରେ । ଅନ୍ୟପଟେ ସ୍କୁଲରେ ବାଡ଼ ନାହିଁ କି ପାଚେରି ନାହିଁ । ନଳକୂପ ମୂଳ ଅପରିଷ୍କାର ହୋଇ ପୋକ ସାଲୁବାଲୁ ହେଉଥିବା ବେଳେ ବିଦ୍ୟାଳୟ ପରିମଳ ବ୍ୟବସ୍ଥା ଉପରେ ଉଠିଛି ପ୍ରଶ୍ନ । ତେବେ ଏଠାରେ ପଢ଼ୁଥିବା ପିଲାଙ୍କ ଭବିଷ୍ୟତ ଯେ କଣ ହେବ ତାହା ସନ୍ଦେହରେ ।

ଏବେ ଅନ୍ଧାରରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ । ପାଠ ପଢ଼ିବା ପାଇଁ ଯାଉଥିବା ଛାତ୍ରଛାତ୍ରୀ ପାଠ ପଢୁଛନ୍ତି କି ଏମିତି କାମ କରୁଛନ୍ତି ତା ସନ୍ଦେହ ଘେରରେ । ତେଣୁ ଏବେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବା ପାଇଁ ଦାବି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like