କ୍ୟାପିଟାଲ ହସପିଟାଲରେ ଘଟିଲା ଘଟଣା, ଶେଷରେ ପିଲାକୁ ଫେରି ପାଇଲେ ସୁମା ସୁମି

କ୍ୟାପିଟାଲ ହସ୍ପିଟାଲର ପ୍ରସୂତୀ ବିଭାଗର ଫାଟକ ପାଖରେ ହୋହାଲ୍ଲା ପାଟି ତୁଣ୍ଡ । ଜଣେ ଯୁବତୀଙ୍କୁ ସମସ୍ତେ ଘେରି ରହିଥାନ୍ତି । ତାରି ଭିତରେ ଜଣେ ମହିଳା ଛୋଟ ଶିଶୁଟିଏ ଧରି ସେମାନଙ୍କ ମଝିରେ ଥାଆନ୍ତି l ଅନ୍ୟ ଜଣେ ଯୁବକ ଆଉ ଯୁବତୀ ମଧ୍ୟ କିଛି କାଗଜ ପତ୍ର ସହିତ ଉପସ୍ଥିତ ଥାଆନ୍ତି l ସେଠାରେ କଣ ଚାଲିଛି ଜାଣିବା ପାଇଁ ଆମେ ଲୋକଙ୍କୁ ପଚାରିଲୁ l ହସପିଟାଲରେ ପିଲା ଚୋରି ହୋଇଥିବା ଅଭିଯୋଗ ସାମନାକୁ ଆସିଲା । ଘଟଣା ଦିନ ଏମାନେ ମେଡିକାଲରେ ପହଞ୍ଚି ଥିଲେ l ତାଙ୍କର ଗୋଟିଏ ଶିଶୁ ପୁତ୍ର ଜନ୍ମ ହୋଇଥିଲା l ପିଲାଟି କୁଆଡ଼େ ଚୋରି ହୋଇ ଯାଇଥିଲା ପୁଣି ପାଇଲେ l ତେବେ ଆସନ୍ତୁ ଜାଣିବା ପୂରା ଘଟଣା କଣ ଥିଲା l
ଏ ଯୁବକଙ୍କ ନାଁ ହେଉଛି ସୁମା ହୋ l ସ୍ତ୍ରୀ ସୁମି ହୋ l ଏମାନଙ୍କ ଘର ମୟୁରଭଞ୍ଜ ଜିଲ୍ଲାରେ । ସ୍ବାମୀ ସ୍ତ୍ରୀ ଚନ୍ଦକା ଥାନା ଅଞ୍ଚଳରେ ଭଡାରେ ରୁହନ୍ତି l ଦିନ ମଜୁରିଆ ଭାବରେ କାମ କରନ୍ତି ସୁମା ଓ ସୁମି । ସୁମି ହୋ’ଙ୍କର ଚାରିଟି ପିଲା ଥିବା ବେଳେ ଗତ ୯ ତାରିଖ ଦିନ ପୁଣି କ୍ୟାପିଟାଲ ହସ୍ପିଟାଲ ଆସି ପହଞ୍ଚି ଥିଲେ । ଗର୍ଭବତୀ ଥିବା ସୁମିଙ୍କର ଗୋଟିଏ ପୁଅଟିଏ ଜନ୍ମ ହୋଇଥିଲା l ପୁଅ ଜନ୍ମ ହେବାର କେଇ ମିନିଟ ଭିତରେ ପ୍ରସୂତୀ ବିଭାଗ ପରିସରରୁ ଗାୟବ ହୋଇଯାଇଥିଲା ସେମାନଙ୍କର ପୁଅ l ସ୍ବାମୀ ସ୍ତ୍ରୀ ମୁଣ୍ଡରେ ଚଡକ ପଡିଗଲା ପରି ମନେ ହେଲା l ପାଦତଳୁ ମାଟି ଖସି ଯାଇଥିଲା ପୁଅ ହଜିବା ଘଟଣା ଶୁଣି l ଚଉଦିଗ ଅନ୍ଧାର ଲାଗିଲା l ଶେଷରେ ପୋଲିସ ଆଉ ମେଡିକାଲ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହେଲେ l କ୍ୟାପିଟାଲ ଥାନା ଅଧିକାରୀ ତାଙ୍କ ଟିମ୍ ନେଇ ଛାନଭିନ୍ କଲେ l ସିସିଟିଭି ବି ଯାଞ୍ଚ ହେଲା l ତାପରେ ପହଞ୍ଚିଥିଲେ ପିଲା ଚୋରି କରିଥିବା ଚୋର ନିକଟରେ l ଛୁଆକୁ ଉଦ୍ଧାର କରି ପୋଲିସ ସୁମାଙ୍କୁ ହସ୍ତାନ୍ତର କଲେ l ପୁଅକୁ ପାଇ ସୁମା ସୁମିଙ୍କ ଖୁସି କହିଲେ ନସରେ l
ଏହି ଘଟଣାକୁ ନେଇ କ୍ୟାପିଟାଲ ଥାନା ଅଧିକାରୀଙ୍କୁ ପଚାରିବାରୁ ସେ କହିଲେ ଭୁଲରେ ଜଣେ ଆଉ ଜଣଙ୍କ ଛୁଆ ନେଇ ଯାଇଥିଲେ l ତେବେ ଏମିତି ଭୁଲ ହେଲା କେମିତି ? ଯଦି ଜଣେ ଆଉ ଜଣଙ୍କ ଛୁଆକୁ ଏଭଳି ଭାବେ ନେଇ ଯିବ ତେବେ ତ କଥା ସରିଲା । ଏମିତି ଭୁଲ ଆଗରୁ ବି ହୋଇଥିବା ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ସାଧାରଣ ଲୋକ l ଆମେ ଏ ନେଇ କ୍ୟାପିଟାଲ ହସପିଟାଲ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା ନେବାକୁ ଚାହିଁଲୁ । ସେ କହିଲେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ଛୁଆ ଚୋରି ଘଟଣାର ତଦନ୍ତ କରିଥିଲୁ । କ୍ୟାମେରାରେ କହି ନଥିଲେ ମଧ୍ୟ ଆଗକୁ ଏଭଳି ଭୁଲ ନହେବା ପାଇଁ ଚିଠି ମଧ୍ୟ ଲେଖିଛନ୍ତି ବୋଲି ଆମ ଆଗରେ ପ୍ରକାଶ କରିଛନ୍ତି l
ତେବେ କ୍ୟାପିଟାଲ ହସ୍ପିଟାଲରେ କିଛି ଦିନ ତଳେ ଘଟିଥିଲା ଆଉ ଏକ ଘଟଣା । ପିଲା ଚୋରି ଅଭିଯୋଗରେ ଜଣେ ଯୁବତୀଙ୍କୁ ଥାନାରେ ଜିମା ଦିଆ ଯାଇଥିଲା । ଅବଶ୍ୟ ପରେ ତାଙ୍କୁ ଛାଡି ଦିଆଯାଇଥିଲା l ସେ ଘଟଣାର କିଛି ଦିନ ନପୂରୁଣୁ ପୁଣି ଛୁଆ ଚୋରି ଅଭିଯୋଗ ଘଟଣା ଚର୍ଚ୍ଚାକୁ ଆସିଛି । ତେଣୁ ଏ ନେଇ ମେଡିକାଲ କର୍ତ୍ତୃପକ୍ଷ ସୁରକ୍ଷା ଓ ବ୍ୟବସ୍ଥାକୁ ଅଧିକ ଦୃଢ଼ କରିବା ଦରକାର ।
Also Read:ଚାକିରୀରୁ ବହିଷ୍କୃତ ହେଲେ ୩ IRB ଯବାନ, ପୋଲିସ ବାରାକରେ ଗଞ୍ଜେଇ ରଖିବା ଘଟଣା