ଏବେ ଗୋଟିଏ କଥାକୁ ଭାରି ଡରୁଛନ୍ତି ସନ୍ନି ଲିଓନି

ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନି ଏବେ ଯଦିଓ ଏତେ ସକ୍ରିୟ ନାହାନ୍ତି ତେବେ ତାଙ୍କ ପାଖରେ ଅଫର କିଛି କମ୍‌ ନାହିଁ । ବିଭିନ୍ନ ଫିଲ୍ମରେ ଅଭିନୟ କରି ବେଶ୍‌ ଲୋକପ୍ରିୟ ହୋଇଛନ୍ତି । କେବଳ ବଲିଉଡ୍‌ ନୁହେଁ ଦକ୍ଷିଣ ଭାରତୀୟ ସିନେମାରେ ମଧ୍ୟ ତାଙ୍କର ଭଲ ଭାଉ ରହିଛି । ସେ ଏବେ ଖୋଜୁଛନ୍ତି ଭଲ ଚରିତ୍ର । କେବଳ ଆଇଟମ୍‌ ଗାର୍ଲ ହୋଇ ରହିବାକୁ ଚାହୁଁ ନାହାନ୍ତି । ଦୁଇ ବର୍ଷ କୋଭିଡ ପ୍ରଭାବରେ ସିନେମା କ୍ଷେତ୍ର ବେଶ୍‌ ପ୍ରଭାବିତ ହୋଇଥିଲା । ସେଥିରେ ସନ୍ନିଙ୍କ ମଧ୍ୟ ଚୁପ୍‌ ବସିବାକୁ ପଡ଼ିଥିଲା । ଏବେ ଫିଲ୍ମ ଚାଲୁ ତ ସନ୍ନି ବି ବ୍ୟସ୍ତ ରହୁଛନ୍ତି । ତେବେ ଏସବୁ ଭିତରେ ତାଙ୍କ ମନରେ ଗୋଟିଏ ବଡ଼ ଡର ରହି ଯାଇଛି । ଅବଶ୍ୟ ଏହା ଫିଲ୍ମକୁ ନେଇ ନୁହେଁ, ତାଙ୍କ ଅତୀତକୁ ନେଇ ।

ସନ୍ନି ବଲିଉଡ୍‌ରେ ପ୍ରବେଶ କରିବା ପୂର୍ବରୁ ପର୍ଣ୍ଣଷ୍ଟାର୍‌ ଥିଲେ । ତେଣୁ ବଲିଉଡ୍‌କୁ ଆସିବା ପରେ ତାଙ୍କ ନିଜ କ୍ୟାରିୟର ଗଢ଼ିବା ପାଇଁ ଖୁବ୍‌ ସଂଘର୍ଷ କରିବାକୁ ପଡ଼ିଛି । ତେବେ ଲକ୍ଷ୍ୟ ହାସଲ କରିବା ପାଇଁ ସେ ନିଷ୍ଠାର ସହ ପରିଶ୍ରମ କଲେ ଆଉ ସଫଳ ବି ହେଲେ ।

ତଥାପି କାହିଁକି ତାଙ୍କ ମନରେ ଭୟ ରହିଛି ? ପ୍ରକୃତ କଥା ହେଉଛି ସନ୍ନି ଲିଓନି ହେଉଛନ୍ତି ତିନିଟି ପିଲାର ମା । ଗୋଟିଏ ଝିଅ ଓ ଦୁଇ ପୁଅ । ଝିଅଟିକୁ ସେ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି । ଆଉ ପୁଅ ଦୁଇଟି ସରୋଗେସି ମାଧ୍ୟମରେ ଜନ୍ମ ନେଇଛନ୍ତି । ଏଇ ପିଲାମାନଙ୍କୁ ନେଇ ସନ୍ନିଙ୍କର ଡର ରହିଛି । କାଳେ ବଡ଼ ହେଲା ପରେ ସେମାନେ ତାଙ୍କ ଅତୀତକୁ ଜାଣି ତାଙ୍କୁ ଘୃଣା କରିବେ, ସେହି ଭୟ ତାଙ୍କ ମନରେ ରହୁଛି ।

ଯଦିଓ ସେ ନିଜ ମନକୁ ବୁଝାଇ ଦେଉଛନ୍ତି, ତଥାପି ବେଳେ ବେଳେ ଏହି ଚିନ୍ତା କରି ବିବ୍ରତ ହୋଇ ପଡୁଛନ୍ତି । ଘର ବାହାରେ ତାଙ୍କୁ ନେଇ ଅନେକ କଥା ଉଠୁଛି । ଯଦି ପିଲାମାନେ ବାସ୍ତବତା କଣ ନବୁଝି ମୋର ଅତୀତକୁ ନାପସନ୍ଦ କରନ୍ତି ତେବେ ମୋତେ ଖୁବ୍‌ ବାଧିବ । ଅବଶ୍ୟ ଏକଥା ସେମାନଙ୍କୁ ବୁଝାଇବାକୁ ପଡ଼ିବ ଯେ ମୁଁ ଯେମିତି ମୋର କ୍ୟାରିୟରକୁ ପସନ୍ଦ କରିଥିଲି ତୁମେମାନେ ମଧ୍ୟ ନିଜ ଇଚ୍ଛା ଅନୁସାରେ କ୍ୟାରିୟର ଗଢ଼ି ପାରିବ । ସେ ସ୍ୱାଧୀନତା ତୁମର ବି ରହିବ । ତେବେ ତୁମର ଇଚ୍ଛା ବା ଚଏସ୍‌ ଯେମିତି ଅନ୍ୟମାନଙ୍କୁ କୌଣସି ଦୁଃଖ ନଦିଏ ସେକଥାକୁ ଭାବିବା ଦରକାର । ଏକ ସାକ୍ଷାତକାରରେ ସନ୍ନି ଏକଥା କହିଛନ୍ତି ।

ତାଙ୍କ ଝିଅର ନାଁ ହେଉଛି ନିଶା । ଆଉ ଦୁଇ ପୁଅ ଭିତରୁ ଜଣେ ଫାୟାର ଫାଇଟର ବା ଅଗ୍ନିଶମ ବିଭାଗରେ କାମ କରିବାକୁ ଚାହୁଁଛି ବୋଲି ସନ୍ନି କହିଛନ୍ତି । ନିଜର ଏହି ତିନି ପିଲାଙ୍କୁ ସେ ଖୁବ୍‌ ଭଲ ପାଆନ୍ତି । ତାଙ୍କ ସାଙ୍ଗରେ ଧୁମ୍‌ ଏନଜୟ କରନ୍ତି ଏବଂ ସୋସିଆଲ ମିଡିଆରେ ଫଟୋ ବି ଛାଡ଼ନ୍ତି। ତେଣୁ ପିଲାମାନେ କାଳେ ତାଙ୍କ ଅତୀତର ଛବିକୁ ଜାଣି ତାଙ୍କ ଠାରୁ ଦୂରେଇ ଯିବେ କି ଘୃଣା କରିବେ ସେହି ଡର ତାଙ୍କ ମନରେ ବସା ବାନ୍ଧିଥିବା ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.