ଆସନ୍ତାକାଲି କିସ୍‌ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବ: ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ ବୌଦ୍ଧ ଗୁରୁ ଗେତୃଲ୍‌ ଜିଗେ୍‌ମ ରିପୋଞ୍ଚେ

କେନ୍ୟୁଜ୍(ବ୍ୟୁରୋ):ଆସନ୍ତାକାଲି କିସ୍‌ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହେବ। ଏହି ସମାବର୍ତ୍ତନ ସମାରୋହରେ ବୌଦ୍ଧ ଗୁରୁ ତଥା ରିପା ଇଣ୍ଟରନ୍ୟାସଲର ଆଧ୍ୟାତ୍ମିକ ନିର୍ଦ୍ଦେଶକ ଗେତୃଲ୍‌ ଜିଗେ୍‌ମ ରିପୋଞ୍ଚେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ। ଏହି ସମାବର୍ତ୍ତନ ଉତ୍ସବରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଗ୍ରୀନ୍‌ ବେଲ୍‌ଟ ଆଣ୍ଡ ରୋଡ୍‌ ଇନ୍‌ଷ୍ଟିଚ୍ୟୁଟର ଅଧ୍ୟକ୍ଷ, ଗ୍ଲୋବାଲ୍‌ ଆଲିଏନ୍‌ସ ଫର୍‌ ସଷ୍ଟେନେବଲ୍‌ ପ୍ଲାନେଟର ଲିଡରସିପ୍‌ କାଉନ୍‌ସିଲ (ଜିଏଏସ୍‌ପି) ସଦସ୍ୟ ଏରିକ୍‌ ସୋଲେମ୍‌, ୟୁଏନ୍‌ଇପିର ଗ୍ରୀନ୍‌ ଇକୋନମି ଇନିସିଏଟିଭ୍‌ର ମୁଖ୍ୟ ତଥା ସ୍ୱତନ୍ତ୍ର ପରାମର୍ଶଦାତା ବିଶିଷ୍ଟ ପରିବେଶ ଅର୍ଥନୀତିଜ୍ଞ ପବନ ଶୁକଦେବ, ନିତି ଆୟୋଗର ପ୍ରାକ୍ତନ ଉପାଧ୍ୟକ୍ଷ ଡ. ରାଜୀବ କୁମାର, ଦୁଇଦୁଇ ଥର ଗ୍ରାମୀ ପୁରସ୍କାରପ୍ରାପ୍ତ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଭାରତୀୟ ସଂଗୀତକାର ଡ. ରିକି ଜି. କେଜଙ୍କୁ ସମ୍ମାନସୂଚକ ଡକ୍ଟୋରେଟ୍‌ ଡିଗ୍ରୀ ପ୍ରଦାନ କରାଯିବ । ଏହା ବ୍ୟତୀତ ୪ଶହ ଛାତ୍ରଛାତ୍ରୀଙ୍କୁ ସ୍ନାତକୋତ୍ତର ଓ ଏମ୍‌ଫିଲ୍‌ ଡିଗ୍ରୀ ପ୍ରଦାନ କରାଯିବ । ଏହି ଅବସରରେ ବିଶ୍ୱବିଦ୍ୟାଳୟରେ ଉତ୍କର୍ଷତା ପ୍ରତିପାଦନ କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରତିଷ୍ଠାତା ସ୍ୱର୍ଣ୍ଣପଦକ, କୁଳାଧିପତି ସ୍ୱର୍ଣ୍ଣର୍ପଦକ ଏବଂ କୁଳପତି ରୌପ୍ୟ ପଦକ ପ୍ରଦାନ କରାଯିବ ।

ସୂଚନାଯୋଗ୍ୟ, ଶିକ୍ଷା କ୍ଷେତ୍ରରେ ଏକ ନିଜସ୍ୱ ରେକର୍ଡ ସୃଷ୍ଟି କରିବାରେ ସକ୍ଷମ ହୋଇଥିବା କିସ୍‌କୁ ୨୦୧୭ ମସିହାରେ ଭାରତ ସରକାରଙ୍କ ତତ୍କାଳୀନ ମାନବ ସମ୍ବଳ ମନ୍ତ୍ରାଳୟର ଅନୁମୋଦନ କ୍ରମେ କିସ୍‌କୁ ବିଶ୍ୱବିଦ୍ୟାଳୟର ସ୍ୱୀକୃତି ପ୍ରଦାନ କରାଗଲା । କିସ୍‌ ଏହାର ବିଭିନ୍ନ କ୍ଷେତ୍ରରେ ଅଭିବୃଦ୍ଧି ମାଧ୍ୟମରେ ସଦାସର୍ବଦା ଏକ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇବା ପାଇଁ ଚେଷ୍ଟିତ ଥିଲା । କାରଣ ଏହି ଅନୁଷ୍ଠାନରୁ ଜନଜାତି ଛାତ୍ରଛାତ୍ରୀଙ୍କ ଦ୍ୱାରା ଗବେଷଣା ମାଧ୍ୟମରେ ଜନଜାତି ଗବେଷକ ସୃଷ୍ଟି କରିବା ଏହା ଲକ୍ଷ୍ୟ ଥିଲା। ବିଶିଷ୍ଟ ଶିକ୍ଷାବିତ ଓ ଅଭିଜ୍ଞ ପ୍ରଶାସନିକ ଦକ୍ଷତା ଥିବା ବ୍ୟକ୍ତିମାନଙ୍କ ଦ୍ୱାରା କିଛି ନୂତନ ଓ ଅଭିନବ ଶୈକ୍ଷିକ ପ୍ରଣାଳୀ ଦ୍ୱାରା ଏହା ହାସଲ କରିବାକୁ କିସ୍‌ ବର୍ତ୍ତମାନ ୨୩ଜଣ ଶିକ୍ଷାବିତଙ୍କୁ ଏମିରେଟସ୍‌ ପ୍ରଫେସର ଭାବେ ନିଯୁକ୍ତି ପ୍ରଦାନ କରି ବିର୍ସା ମୁଣ୍ଡା ଓ ଲକ୍ଷ୍ମଣ ନାଏକଙ୍କ ନାମରେ ଗବେଷଣା ଚେୟାର ପ୍ରତିଷ୍ଠା କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.