ମହିଳାମାନେ ମା’ ମଙ୍ଗଳାଙ୍କ ଉଦ୍ଦେଶ୍ୟରେ ଗାଁ ଦାଣ୍ଡରେ କରୁଛନ୍ତି ପନ୍ଥେଇ ପୂଜା

ପୁରୀ: ବିଶ୍ଵାସ ଆଧାରରେ ପରମ୍ପରା । ପୁଣି ଦୀର୍ଘ ଦିନରୁ ରହି ଆସିଥିବା ଏହି ଇଶ୍ଵର ବିଶ୍ଵାସର ଏ ହେଉଛି ଦୃଷ୍ଟାନ୍ତ । ଯାହାର ନାମ ହେଉଛି ପନ୍ଥେଇ ପୂଜା । ପରମ୍ପରା ଓ ଲୋକ ବିଶ୍ଵାସର କଥା ଉଠିଲେ ଆଉ କହିବାକୁ ପଡ଼ିବ ନାହିଁ ଓଡ଼ିଆ ଘରଣୀର କଥା । ପୁରୀ ଜିଲ୍ଲା ଦାଣ୍ଡମୁକୁନ୍ଦପୁରର ମହିଳାମାନେ ସକାଳୁ ଉଠି ନିଜର ନିତ୍ୟ କର୍ମ ଶେଷ କରିବା ପରେ ନୂତନ ଶାଢୀ ପରିଧାନ କରି ହାତରେ ଭୋଗ ଥାଳୀ ଧରି ସମବେତ ହୁଅନ୍ତି ଗାଁର ମଝି ଭାଗରେ । ମାଟିକୁ ଖୋଳା ଯାଇ ଠାକୁରାଣୀଙ୍କୁ ଆର୍ବିଭାବ କରାଯିବା ପରେ ସେଥିରେ ବିଭିନ୍ନ ରଙ୍ଗର ମୁରୁଜ ପକାଯାଇ ପିଢା ଉପରେ ଗୁଆ ରଖାଯାଇ ଫୁଲରେ ସଜ୍ଜାଯାଏ ମା’ଙ୍କୁ । ଉଚ୍ଚାରଣ କରାଯାଏ ମା’ମଙ୍ଗଳାଙ୍କ ସ୍ମୃତି । ପୂଜା ଶେଷ ହେବା ପରେ ହଳଦି ପାଣି ଏବଂ ପଣା ଅର୍ପଣ କରାଯାଏ ମା’ଙ୍କୁ ।

ବିଶ୍ଵାସ ଡୋରିରେ ବନ୍ଧା ଏ ଜୀବନ । ସେହି ବିଶ୍ଵାସ କେତେବେଳେ ରୂପ ନିଏ ପ୍ରତିମା ପୂଜାର ତ କେତେବେଳେ ସେହି ବିଶ୍ଵାସକୁ ନେଇ ଜୀବନ ପାଏ ନାନାଦି ପରମ୍ପରା । ଚୈତ୍ର ମାସର ପ୍ରତେ୍ୟକ ମଙ୍ଗଳବାରରେ ପୂଜା କରାଯାଉଥିବା ଏହି ପର୍ବ ପଛରେ ରହିଛି ବିଶ୍ଵାସ । ମା’ମଙ୍ଗଳା ଙ୍କ କୃପାଶିଶ ପାଇବା ସହିତ ପରିବାରରେ ସମସ୍ତେ ଭଲରେ ରହିବେ ଏବଂ ସନ୍ତାନମାନେ ଭଲ ରହିବା ପାଇଁ ଏହି ପନ୍ଥେଇ ପୂଜାର ଆୟୋଜନ ହୋଇଥାଏ ବୋଲି ଗବେଷକ ମତ ଦିଅନ୍ତି ।

ପରମ୍ପରା ଋଦ୍ଧିମନ୍ତ କରିଥାଏ ସମାଜିକ ଚଳନି ଓ ସାଂସ୍କୃତିକ ଜୀବନକୁ । ପୁଣି କାହିଁ କେତେ କାଳରୁ ଚାଲି ଆସିଥିବା ପ୍ରାଚୀନ ପରମ୍ପରା ପଛରେ ଲୁଚି ରହିଥାଏ ଅନେକ ଧର୍ମୀୟ ବିଶ୍ଵାସ । ଠାକୁରାଣୀଙ୍କୁ ଆରଧନା କରିବା ପାଇଁ ମଠ ବା ମନ୍ଦିରର ଆବଶ୍ୟକତା ନାହିଁ ଯାହାକି ସ୍ପଷ୍ଟ ବାରି ହୋଇ ପଡ଼ୁଛି ଗାଁ ଦାଣ୍ଡରେ ହେଉଥିବା ଏହି ପନ୍ଥେଇ ପୂଜାକୁ ଦେଖିଲେ ।

 

Also Read:ମାର୍ଚ୍ଚ ୨୯ରେ ବର୍ଷର ପ୍ରଥମ ସୂର୍ଯ୍ୟଗ୍ରହଣ ଏବଂ ଶନି ଗୋଚର ସଂଯୋଗ, ଜାଣନ୍ତୁ କେଉଁ ରାଶି ପାଇଁ ହେବ ଅଶୁଭ?