ଅନ୍ଧ ବିଶ୍ୱାସର କରୁଣ ପରିଣତି, ମନସ୍କାମନା ପୂରଣ ପାଇଁ ମା’ ଙ୍କ ପୀଠରେ ଗୁହାରିଆ ପଡିଥିଲେ ନିରାଶ ହୋଇ ଜୀବନ ହାରିଛନ୍ତି

ସୋରଡ଼ା: ଆସ୍ଥା ଓ ଅନ୍ଧ ବିଶ୍ୱାସ ଦୁହିଁଙ୍କର ସଂଜ୍ଞା ଭିନ୍ନ ଓ କାର୍ଯ୍ୟ କାରିତା ବି…ଆସ୍ଥା ମଣିଷଙ୍କୁ ଭଗବତ ବିଶ୍ୱାସୀ କରାଏ ଓ ସଠିକ ମାର୍ଗରେ ଯାଇ ନିଜ ଜୀବନର ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରେ । କିନ୍ତୁ ଅନ୍ଧ ବିଶ୍ୱାସ ମଣିଷକୁ ବିପଥ ଗାମୀ କରାଏ । ଆସ୍ଥାର ଦ୍ୱାହି ଦେଇ ଅନ୍ଧ ବିଶ୍ୱାସ ମାଧ୍ୟମରେ ଭଗବତ ପ୍ର୍ରାପ୍ତିର ପ୍ରଚେଷ୍ଟା ସର୍ବଦା ହାନିକାରକ ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ଆଜିର ବିଷୟ ବସ୍ତୁ ।

ବୁଗୁଡା ବ୍ଲକ ନଗୁଡୁ ଗାଁର ପୁରୁଷୋତ୍ତମ ପ୍ରଧାନଙ୍କ କଥା । ଯିଏ ଆଜି ଏହିଭଳି ଏକ ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଜୀବନ ହାରିଛନ୍ତି । ଆମେ କାଳେ କାଳେ ଶୁଣିଛୁ ଯେ ନିଜର ମାନସିକ ପୂରଣ ପାଇଁ ଦୈଵୀ ମନ୍ଦିର ରେ ଲୋକେ ଅଧିଆ ପଡନ୍ତି । କେହି କେହି ନିଜ ମାନସିକ ପୂରଣ ହେବାର ଦାବି କରୁଥିବା ବେଳେ ଆଉ କେହି ହତୋତ୍ସାହିତ ହୋଇ ଖାଲି ହାତରେ ଫେରୁଥିବାର ଶୁଣାଯାଏ କିନ୍ତୁ ତାର ମାନେ ନୁହେଁ ଯେ ନିଜର ଅମୁଲ୍ୟ ଜୀବନକୁ ବାଜି ଲଗାଇବା । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ…?

ବୁଗୁଡା ବ୍ଲକ ଅନ୍ତର୍ଗତ ନଗୁଡୁ ଗାଁର ପୁରୁଷୋତ୍ତମ ପ୍ରଧାନ। ତାଙ୍କ ବୟସ ପାଖା ପାଖି ୬୧ ବର୍ଷ । ସେ ଏମିତି ସେମିତି ଲୋକ ନଥିଲେ । ସେ ଜଣେ ଆଧ୍ୟାତ୍ମିକ ପରାୟଣ ଏବଂ ଶିକ୍ଷିତ, ଜ୍ଞାନୀ ବ୍ୟକ୍ତି ଥିଲେ । ଆଉ ସବୁଠୁ ବଡ଼ କଥା ହେଉଛି ସେ ଜଣେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ । ତାଙ୍କ ଭଳି ଜଣେ ଜ୍ଞାନୀ ଲୋକ ଅନ୍ଧ ବିଶ୍ଵାସର ବଶବର୍ତ୍ତୀ ହୋଇ ଏପରି ନିଷ୍ପତି ନେବା କଥାକୁ କେହି ବିଶ୍ବାସ କରିପାରୁ ନାହାଁନ୍ତି ।

ମନସ୍କାମନା ପୂରଣ ପାଇଁ ଦିର୍ଘ ୨୧ ଦିନ ଧରି ମା’ ଙ୍କ ପୀଠରେ ଗୁହାରିଆ ପଡିଥିଲେ । ଶେଷରେ ନିରାଶ ହୋଇ ମନ୍ଦିର ପରିସରରେ ଜୀବନ ହାରିଛନ୍ତି । ଏପରି ଘଟଣା ଦେଖିବାକୁ ମିଳିଛି ଧରାକୋଟ ବ୍ଲକ ବେଠୁଆର ଗାଁରେ । ପୁରୁଷୋତ୍ତମ ଆଜକୁ ପ୍ରାୟ ଏକ ମାସ ହେଲା ତାଙ୍କ ଘରୁ ବାହାରି ଆସିଥିଲେ ମା ଘୋଡା ଦେବୀଙ୍କ ପୀଠକୁ । ସେ ଉପବାସ ରହି କେବଳ ପାଦୁକା ପାଣି ପିଇ ୨୧ ଦିନ ହେଲା ମା ଙ୍କ ପାଖରେ ଗୁହାରିଆ ପଡ଼ିଥିଲେ । ହେଲେ ତାଙ୍କର କ’ଣ ହୋଇଥିଲା କେଜାଣି ଗତ କାଲି ରାତିରେ ଏଭଳି ଚରମ ନିଷ୍ପତି ନେଇଯାଇଛନ୍ତି ।

ଆଜି ସକାଳୁ ସକାଳୁ ଗାଁ ଲୋକେ ମନ୍ଦିରକୁ ଆସି ତାଙ୍କୁ ଦେଖିଥିଲେ । ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଚଳାଇଛି । ତାଙ୍କ ପରିବାର ଲୋକଙ୍କୁ ଖବର ଦେଇ ଶବ ବ୍ୟବଚ୍ଛେଦ ପାଇଁ ଆସିକା ପଠାଇଛନ୍ତି ପୋଲିସ । ହେଲେ ସେ କାହିଁକି କଣ ପାଇଁ ମା ଙ୍କ ପୀଠରେ ଗୁହାରିଆ ପଡ଼ିଥିଲେ ତାହାର କାରଣ ଅସ୍ପଷ୍ଟରହିଛି । ତାଙ୍କ ପରିବାର ଲୋକେ କହିଛନ୍ତି ବାପା ବହୁତ ଆଧ୍ୟାତ୍ମିକ ପରାୟଣର । ସେ ଭଗବାନଙ୍କୁ ବହୁତ ବିଶ୍ବାସ କରନ୍ତି । ସେ ପୂର୍ବରୁ ମଧ୍ୟ ଅନେକ ଥର ଏପରି ଅଧିଆ ପଡ଼ନ୍ତି ଏଥର ମଧ୍ୟ ସେ ମା’ଙ୍କ ନିକଟରେ ଗୁହାରି ପଡ଼ିଥିଲେ । କିନ୍ତୁ ସେ ଏମତି କିଛି କରି ବସିବେ ବୋଲି ଆମେ କେବେ ଧାରଣା କରିନଥିଲୁ । ବାପାଙ୍କର ଏପରି ମୃତ୍ୟୁ ଆମେ ସହଜରେ ଗ୍ରହଣ କରିପାରୁନୁ ।

You might also like