ମାୟା ଅଧରଙ୍କ ଶେଷ ମାୟା ବି ଦେଖିବା ଭଳି ଥିଲା

ମୃଗ କର୍ଣର ଭ୍ରମ ତିଆରୁଥିବା, ମକରନ୍ଦ ପଦବ୍ରଜର କନିଷ୍ଠାଙ୍ଗୁଳିରେ, ବାଜେ ଋଷି ଅଭିଶାପର ତୀର ଓ ଓଲଟି ପଡନ୍ତି ମାୟା ଈଶ୍ୱର !
ଶାୟିତ ଲଟାର ଶେଯରେ ପ୍ରାଣ ହରା ପ୍ରତିବିମ୍ବ ଜଳଜଳ ଦିଶୁଥାଏ । ସତରେ ; ମାୟା ଅଧରଙ୍କ ଶେଷ ମାୟା ବି ଦେଖିବା ଭଳି ଥିଲା ।
ଶରୀରରୁ ବାହାରିଯାଏ ଏକ ଊଜ୍ଜ୍ୱଳ ଆଭା ହୋଇପାରେ ଆତ୍ମା ପରମ ଓ ଲୋଟିପଡେ ମାୟା ଶରୀର ।
ସମୟ ବୁକୁଫଟା ଚିତ୍କାର କରେ ଈଶ୍ୱରଙ୍କୁ ହରାଇ
ଓ ବିଚ୍ଛେଦରେ ସଚାରଚର ବିଶ୍ୱ କ୍ଷଣ ମୂର୍ଚ୍ଛା ଯାଏ ।
ମୂର୍ଚ୍ଛା ଯାଏ …. ମହାଭାରତର ରକ୍ତ ହୋଲି ଇତିହାସ ଓ ପଛରେ ଛାଡି ଆସିଥିବା ସମୁଦ୍ର ଭିତର, ନିଶ୍ଚିହ୍ନ ବଂଶ ଧ୍ୱସଂର ଦ୍ୱାରିକା ।
ଏପାଖେ, ସ୍ୱର୍ଗରେ ଈଶ୍ୱରଙ୍କ ସାନିଧ୍ୟ ପାଇବାକୁ ବ୍ୟାକୁଳ ତଥା ବହୁ ଦିନରୁ ଅପେକ୍ଷାରତ ଦେବତା ଗଣ, ନିଜର ନାହିଁ ନଥିବା ପ୍ରେମାଶ୍ରୁ ବୃଷ୍ଟିରେ ମ୍ରିୟମାଣ ଭାବବିହ୍ୱଳ ।
ପ୍ରାପ୍ତି ଅପ୍ରାପ୍ତିରେ ହସିବେ କି କାନ୍ଦିବେ କିଛି ଜାଣି ପାରୁନଥାନ୍ତି ।
ଖୁସିରେ ଆତ୍ମହରା ହେଉଥାନ୍ତି ସେମାନେ ଯେମିତି ଭକ୍ତ ଅମୃତ ପାଇଯାଇଛି ଓ ତପସ୍ୱୀ ଯେମିତି ଅଭିଳଷିତ ମୋକ୍ଷ!
ଓଃ…ମହାଶୂନ୍ୟରେ ଦ୍ରୁଶ୍ୟ ହୁଏ: କାଳବାହୀ ଈଶ୍ୱରଙ୍କ ଯାନ କ୍ଷ ପ୍ରଶ୍ନ ମନରେ ; କଣ ଏହି ଯାନ୍ତ୍ରିକ ଆଗମନ ପଛର କାରଣ ?
ବୋଧେ ; ବୈକୁଣ୍ଠରୁ ଆଗତ ଏହି ଦୈବୀଯାନ ଆରୋହଣ କରି ଯୁଗ ଦ୍ୱାପରରୁ ବିଦାୟ ନେବେ ଈଶ୍ୱର ।
ସ୍ପଷ୍ଟ ଦିଶୁଥାଏ, ଈଶ୍ୱରଙ୍କ ଆଗମନୀ ପାଇଁ କେଉଁଠି ପୌଷ ମାସର ଉତ୍ସବ ମୁଖରିତ ସ୍ୱର୍ଗପୁର ତ ଆଉ କେଉଁଠି ସର୍ବନାଶର ନିଆଁ ଜଳା ମର୍ତ୍ତ୍ୟ ।
ଖବର ରାଷ୍ଟ୍ର ହୁଏ, ଈଶ୍ୱର ଚାଲିଗଲେ ।
ଦୌଡି ଆସନ୍ତି ପାଣ୍ଡବଗଣ, ରାଇଜ ସାରା ଲୋକ
ପୁରୁଷ, ନାରୀ ସମେତ ଆବାଳ ବୃଦ୍ଧ ବନିତା !
ଲୋଟି ପଡନ୍ତି ସମସ୍ତେ ଈଶ୍ୱରଙ୍କୁ ଧରି ! ଛାତି ଫଟା କୋହଲୁହରେ ଥରି ଉଠେ ଶିଆଳୀ ଲଟା ମୂଳ ।
:- ସଖା ସଖା ….ହେ ମୋ ପ୍ରିୟ ସଖା ! ମୋତେ ବଞ୍ଚିଥାଇ ମାରିଦେଲ ହେ ସଖା ! କେମିତି ବଞ୍ଚିବି କୁହ ତୁମ ବିନା ହେ ପ୍ରାଣ ସ୍ୱରୂପ ।
ଧୂଳି ଧୂସରିତ ତୃତୀୟ ପାଣ୍ଡବ ଅର୍ଜୁନ ନିଜ ପିନ୍ଧା ଉତ୍ତରୀୟରେ, ପୋଛି ପକାଉଥାଏ ଈଶ୍ୱରଙ୍କ ଜଡ ପାଲଟିଥିବା ରକ୍ତରଞ୍ଜିତ ଶରୀରକୁ ।
ଏମିତି ପୋଛୁଥାନ୍ତି ଲାଗେ ଯେମିତି କିଛି ହୋଇନି ଈଶ୍ୱରଙ୍କର ।
:- ମୋ ଡାକ କଣ ଶୁଭୁନି କି ନାରାୟଣ, ମୁଁ ବା ଆପଣଙ୍କର ସେ ପ୍ରିୟ ତପରଚା ଦେହଧାରୀ ନର ।
ଯୁଗ ଯୁଗ କଣ ଏଥିପାଇଁ ତପସ୍ୟା ମୁଁ କରିଥିଲି, ମୋତେ ଜୀବନ ଅଧାବାଟରେ ଛାଡି ଚାଲିଯିବ ବୋଲି ।
ଏହି ମର୍ତ୍ତ୍ୟର ଲୀଳା ତଥା ପ୍ରିୟଜନ ଦିବଂଗତ ହେବାର ଚିରାଚରିତ କାନ୍ଦକଟା ଭିତରେ…
ଆରମ୍ଭ ହୋଇଯାଏ ସ୍ଥିତପ୍ରଜ୍ଞ ଯୁଧିଷ୍ଠିରଙ୍କ କଥାରେ ଈଶ୍ୱରଙ୍କୁ ଶେଷ ବିଦାୟ ଦେବା ପ୍ରସ୍ତୁତି ।
ବିଦାୟ ଦିଆଯିବ ଛଅ ଖଣ୍ଡ ସୁବାସିତ ଚନ୍ଦନ କାଠ ଗଡରେ ବିଧି ଈଶଙ୍କୁ ସଦ୍ୟ ଯୋଗାଡ ହୋଇଥିବା ମହଣ ମହଣ ଗୁଆ ଘିଅରେ ।
ଗୋମତୀ ନଦୀ ତୀରରେ ଏଥର ଦାହ ହେବ ମାୟାଧରଙ୍କ ମାୟା ଶରୀର ।
ଏସବୁ ଦୂରରେ ଦେଖି ଲୁହ ଗଡାଉଥାଏ ଅଙ୍ଗଦ ରୂପୀ ଜାରା ଶବର । ସାମ୍ନାକୁ ନଆସି କହୁଥାଏ….
:- ମୋ ସହ ଛଳ କଲ ମହାପ୍ରଭୁ ! ମୋତେ ଈଶହତ୍ୟା ପାପର ଭାଗୀଦାର କଲେ ଆପଣ । ମୁଁ ଅଶ୍ୱତଥମା ପରି ବଞ୍ଚିଥାଇ ନର୍କ ଭୋଗିବି ଏବେ ।
ହେ ଈଶ…..
ମୁଁ ଈଶ୍ୱରଙ୍କୁ ହତ୍ୟା କରିଛି କହି ଅପରାଧ ସ୍ୱୀକାରି ବା ଅକ୍ଷମଣୀୟ ଭୁଲ୍ କରିଛି ଭାବି ନିଜକୁ ସେ ତୀରରେ ଜାରା କ୍ଷତବିକ୍ଷତ କରି ପକାଉଥାଏ ।
ଈଶ ଆଉ ଫେରେ କି…?
ସମୁଦାୟ ଦାହସ୍ଥାନ ଅନ୍ୟମନସ୍କ ସତ୍ତ୍ୱେ ବି ଦୂରୁ ରହିରହି ଶୁଭୁଥାଏ ଶିଆଳୀ ଲଟାର ନିରବ ନୟାନ୍ତ ସ୍ୱର ।
ଏ କଣ! ଅମା ମଶାଣୀରେ କେଇ ଘେରାର ଚକ୍କର ପରେ ପରେ ଭଙ୍ଗା ମାଠିଆର ଶବ୍ଦ ଓ ମାଲ ଭାଇ ସାଜିଥିବା ରାଇଜବାସୀଙ୍କ ଲୁହ ଭିଜା ଆଖିରେ ଖେଞ୍ଚା ମରା ପର୍ବ !
ପବନର ସୁ ସୁ କାନ୍ଦ ଓ ବତୁରା ଲୁହରେ ଝାଉଁଳି ପଡିଥିବା ଗଛଲତା ।
ଏମିତିକି, ମାଟି ଦରାଣ୍ଡି ଲୋଟି ପଡିଥାନ୍ତି ଚେତା ଶୂନ୍ୟ ପଞ୍ଚୁପାଣ୍ଡବ ପରମ ବିଚ୍ଛେଦରେ ।
ଏବେ…ଏସବୁ ହୁତହୁତ୍ ଭିତରେ ଅଲୋଡା ରହିଗଲା ଯେମିତି ସମୟ କୁହୁତାନ ଓ ହୋସ୍ କୁ ଆସିଲା ବେଳକୁ କିଏ, ନିଆଁ କାହାର ଦେହସାରା ଖୁବ୍ ଜୋରରେ ଧରିସାରିଲାଣି ।
ନିଆଁ……..ହଁ ଈଶ୍ୱରଙ୍କ ଦେହରେ !

(ଆଗକୁ ଅଛି. . . . . . . . ନୀଳନାଭିର ଜନ୍ମ କଥା ! )

 

ଲେଖକ : ମାମପ୍ରବା ଉଗିସୁ

Leave A Reply

Your email address will not be published.