ଆଜି ଭାରତରେ ପହଞ୍ଚିବ ଅତ୍ୟାଧୁନିକ ଯୁଦ୍ଧ ବିମାନ ରାଫେଲ: ଅମ୍ବାଲା ଏୟାରବେସର ନିକଟବର୍ତ୍ତୀ ୪ଟି ଗାଁରେ ୧୪୪ଧାରା ଲାଗୁ

ନୂଆଦିଲ୍ଲୀ: ଆଜି ଭାରତରେ ପହଞ୍ଚିବ ଅତ୍ୟାଧୁନିକ ଯୁଦ୍ଧ ବିମାନ ରାଫେଲ । ପ୍ରାୟ ୭ହଜାର କିମି ଅତିକ୍ରମ କରି ହରିଆଣାର ଅମ୍ବାଲା ଏୟାରବେସ୍‌ରେ ଅବତରଣ କରିବ । ଏଥିପାଇଁ ଅମ୍ବାଲା ଏୟାରବେସର ନିକଟବର୍ତ୍ତୀ ୪ଟି ଗାଁରେ ୧୪୪ଧାରା ଲାଗୁ କରାଯାଇଛି । ଅତ୍ୟାଧୁନିକ ଯୁଦ୍ଧ ବିମାନର ଅବତରଣ ବେଳେ ଘରର ଛାତ ଉପରେ ଲୋକଙ୍କ ଭିଡ଼ ଓ ଫଟୋଗ୍ରାଫି ଉପରେ କଠୋର କଟକଣା ଲଗାଯାଇଛି । ୨୭ ତାରିଖରେ ଫ୍ରାନସ୍‌ର ମେରିଗନାକ ଏୟାର ବେସରୁ ପ୍ରଥମ ପର୍ଯ୍ୟାୟରେ ଉଡ଼ାଣ ଭରିଛି ୫ଟି ଲଢୁଆ ଯୁଦ୍ଧ ବିମାନ ରାଫେଲ । ଏଥିରେ ୩ଟି ସିଙ୍ଗଲ ସିଟ୍‌ ଓ ଦୁଇଟି ଡବଲ ସିଟ ବିମାନ ରହିଛି।

ଫ୍ରାନସ ଅଧିକାରୀଙ୍କ ସହ ବାୟୁସେନା ଅଧିକାରୀ, ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଆଲୋଚନା ପରେ ୧୦ଜଣ ପାଇଲଟ ଏହାକୁ ସ୍ୱଦେଶ ଆଣିଛନ୍ତି। ପରମାଣୁ ଆକ୍ରମଣ କରିବାକୁ ସକ୍ଷମ ଏହି ବିମାନରେ ଅତ୍ୟାଧୁନିକ ମିସାଇଲ ସହ ଘାତକ ବୋମା ଖଞ୍ଜା ହୋଇଛି। ରାଫେଲରେ ଏୟାର ଟୁ ଏୟାର ଲଙ୍ଗ ରେଞ୍ଜ କ୍ଷମତା ବିଶିଷ୍ଟ ମୋର୍ଟାର ଓ ସ୍କାଲ୍‌ପ ମିସାଇଲ ରହିଛି। ଏହାସହ ଏଥିରେ ଥିବା ହାମର କ୍ଷେପଣାସ୍ତ୍ର ୬୦ ରୁ ୭୦ କିଲୋମିଟର ଭିତରେ ଯେକୌଣସି ଟାର୍ଗେଟ୍‌କୁ ଭେଦ କରିପାରିବ। ଏପରିକି ପାହାଡ଼ର ବଙ୍କର ମଧ୍ୟରେ ଲୁଚିରହିଥିବା ଶତ୍ରୁପକ୍ଷକୁ ମଧ୍ୟ ଟାର୍ଗେଟ କରିପାରିବ ହାମର। ଅଗଷ୍ଟ ପ୍ରଥମ ସପ୍ତାହରେ ଏହାର ଫର୍ମାଲ ଇଣ୍ଡକ୍ଟସନ ସେରିମନି କରାଯିବ। ଚୀନ ସହ ଉତ୍ତେଜନାକୁ ଦେଖି ଏହାକୁ ପ୍ରଥମେ ଲଦାଖରେ ମୁତୟନ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ଜଣାପଡ଼ିଛି।

ସେପଟେ ବିମାନ ୭ହଜାର କିମି ଅତିକ୍ରମ କରିଥିବା ରାଫେଲ ମଝି ଆକାଶରେ ଇନ୍ଧନ ଭରିଛି। ୩୦ ହଜାର ଫୁଟ୍‌ ଉଚ୍ଚରେ ଇନ୍ଧନ ଭରିଛି । ଏଥିରେ ସହଯୋଗ ପାଇଁ ଫ୍ରାନ୍‌ସ ବାୟୁସେନାକୁ ଧନ୍ୟବାଦ ଜଣାଇଛି ଭାରତୀୟ ବାୟୁସେନା । ଟ୍ଵିଟ୍‌ କରି ସୂଚନା ଦେଇଛି ଭାରତୀୟ ବାୟୁସେନା ।

 

 

Leave A Reply

Your email address will not be published.