ବସୁମତୀ ସ୍ନାନରେ ଶେଷ ହୁଏ ରଜ ପର୍ବ, ମହାଲକ୍ଷ୍ମୀଙ୍କ ନାଁରେ କରାଯାଏ ବସୁମତୀ ସ୍ନାନ, ଜାଣନ୍ତୁ ପୂଜା ବିଧି

ରଜ ଓଡ଼ିଶାର ଏକ ମହାନ ଗଣପର୍ବ। ସାଧାରଣତଃ ୫ ଦିନ ଧରି ପାଳିତ ହେଉଥିବା ଏହି ପର୍ବର ଶେଷ ଦିନକୁ ବସୁମତୀ ସ୍ନାନ କୁହାଯାଏ। ବିଶ୍ୱାସ ରହିଛି, ରଜ ତିନିଦିନ ରଜବତୀ ଥିବା ଧରିତ୍ରୀ ମାଆ ଏହି ସମୟରେ ବିଶ୍ରାମ କରିଥାନ୍ତି। ରଜରେ କୌଣସି ବି କୃଷି କାର୍ଯ୍ୟ କରାଯାଏ ନାହିଁ। ୫ମ ଦିନ ରଜରେ ସୂର୍ଯ୍ୟୋଦୟ ସଙ୍ଗେ ସଙ୍ଗେ ବସୁମତୀ ସ୍ନାନ କରାଯାଏ। ଏହାପରେ ସକଳ ଶୁଭ କାମ ଆରମ୍ଭ ହୋଇଥାଏ।

ବସୁମତୀ ସ୍ନାନ ବିଧି ମୁତାବକ ପାଳନ କରାଯାଇଥାଏ। ଏହାକୁ ଆମେ ମହାଲକ୍ଷ୍ମୀ ସ୍ନାନ ବୋଲି ମଧ୍ୟ କହିଥାଉ। ଏହି ଦିନ ଘରର ମହିଳାମାନେ ମୁଣ୍ଡ ଧୋଇ ଗାଧୋଇ ବସୁମତୀ ସ୍ନାନ କରେଇ ଥାନ୍ତି ଏବଂ ମହାଲକ୍ଷ୍ମୀଙ୍କୁ ପୂଜା କରିଥାନ୍ତି।

ପୂଜା ବିଧି

ପ୍ରଥମେ ପୂଜା ସ୍ଥାନକୁ ଲିପାପୋଛା କରି ନିଆଯାଏ। ସେଠାରେ ମଣ୍ଡଳ ବା ଚିତା ପକାଇ କଳସ ସ୍ଥାପନ କରାଯାଏ। ଚିତା ଉପରେ ପିଢ଼ା ରଖି ତା’ ଉପରେ ନାଲି କପଡ଼ା ପକାଯାଏ। ପୁଣି ତା’ ଉପରେ ନୂଆ ଗୁଆ ରଖି ସେଥିରେ ଚନ୍ଦନ ଓ ସିନ୍ଦୁର ଲଗାଯାଏ। ଏହାପରେ ଶୀଳପୁଆ ଆଣି ପିଢ଼ା ପାଖରେ ରଖାଯାଏ। ସେଥିରେ ମଧ୍ୟ ଚନ୍ଦନ, ସିନ୍ଦୁର ଲଗାଯାଏ। ଗୁଆ ପାଖରେ ସିନ୍ଦୁର ଡବା ଓ କଜଳପାତି ରଖାଯାଇଥାଏ। ଶୀଳପୁଆକୁ ଦୁବ ଓ ଫୁଲରେ ସଜା ଯାଇଥାଏ।

ବସୁମତୀ ସ୍ନାନ ଦିନ ଆମ୍ବ, ପଣସ, କଦଳୀ, ମୁଗ ଆଦି ଭୋଗ କରାଯାଏ। ଶେଷରେ ମହାଲକ୍ଷ୍ମୀଙ୍କ ନାମରେ ଆଳତି, ବନ୍ଦାପନା କରାଯାଇଥାଏ। ବସୁମତୀ ସ୍ନାନ ଚଉରା ମୂଳରେ ନଚେତ ଦାଣ୍ଡ ଅଗଣାରେ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.