ରଜ ଦୋଳି କଟମଟ, ମୋ ଭାଇ ମୁଣ୍ଡରେ ସୁନା ମୁକୁଟ…ରଜକୁ ଖାସ କରିଥାଏ ରଜ ଦୋଳି, ସମସ୍ତେ ନିଅନ୍ତି ଏହାର ମଜା

ରଜ ଦୋଳି କଟମଟ, ମୋ ଭାଇ ମୁଣ୍ଡରେ ସୁନା ମୁକୁଟ, ସୁନା ମୁକୁଟ ଲୋ ଦିଶୁଥାଏ ଝଟମଟ.. ରଜରେ ଦୋଳିର ରହିଛି ଏକ ସ୍ୱତନ୍ତ୍ର ସ୍ଥାନ। ଦୋଳି ନ ଖେଳିଲେ ସତେ ଯେମିତି ରଜ ଅଧା ଅଧା ଲାଗିଥାଏ। ଗାଁ ବରଗଛରେ ଝୁଲୁଥାଏ ଏକାଧିକ ରଜ ଦୋଳି। କେଉଁଟା ଫୁଲରେ ସଜା ହୋଇଥାଏ ତ କେଉଁଟା ବାଉଁଶରେ ତିଆରି ହୋଇଥାଏ। ପୁଣି ମୋଟା ଦଉଡିରେ ପିଢ଼ା ଖଣ୍ଡିଏ ବାନ୍ଧି ଗଛ ଡାଳରେ ଦୋଳି ବନ୍ଧା ଯାଇଥାଏ। ଏମିତି ଭଳି କି ଭଳି ଦୋଳିର ମଜା ନେଇଥାନ୍ତି ଝିଅମାନେ।

ରଜର ଦୁଇ ତିନି ଦିନ ଆଗରୁ ଘରର ପୁରୁଷମାନେ ଗଛରେ ଦୋଳି ବାନ୍ଧିବା ଆରମ୍ଭ କରି ଦିଅନ୍ତି। ଝିଅ, ବୋହୂମାନେ ରଜ ପାନ ଖାଇ ଖାଇ ଦୋଳିର ବେଶ ମଜା ନିଅନ୍ତି। ସେହିପରି ପୁରୁଷମାନେ ମଧ୍ୟ ବାଉଁଶ ଦୋଳିର ମଜା ନିଅନ୍ତି।  ଓଡ଼ିଶାର କେତେକ ସ୍ଥାନରେ ରଜ ତିନିଦିନ ଦୋଳି ଖେଳ ପ୍ରତିଯୋଗିତାର ଆୟୋଜନ କରାଯାଇଥାଏ। ଯିଏ ଯେତେ ଉଚ୍ଚ ଯାଏ, ସିଏ ପ୍ରତିଯୋଗିତାର ବିଜୟୀ ହୋଇଥାଏ।

ସେହିପରି କେଉଁଠି କେଉଁଠି ଗଛ ଡାଳରେ ବିଭିନ୍ନ ପ୍ରକାରର ସୁସ୍ୱାଦୁ ଖାଦ୍ୟ ବନ୍ଧା ଯାଇ ଦୋଳି ଖେଳ ପ୍ରତିଯୋଗିତା ହୋଇଥାଏ। ଦୋଳିରେ ବସିଥିବା ଲୋକଟି ଦୋଳି ସହିତ ଯାଇ ତା’ ସାମ୍ନା ଗଛ ଡାଳରେ ବନ୍ଧା ଯାଇଥିବା ଖାଦ୍ୟକୁ ଯଦି ସମୟ ଭିତରେ ଖାଇ ପାରିଲା, ତେବେ ସେ ବିଜୟୀ ହୋଇଥାଏ। ଏମିତି ଅନେକ ଜାଗାରେ ଭିନ୍ନ ଭିନ୍ନ ପ୍ରକାରର ପ୍ରଥା, ପରମ୍ପରା ରହିଛି।

ଆଜିକାଲି ସହରମାନଙ୍କରେ ମଧ୍ୟ ଦୋଳି ଖେଳର ଆୟୋଜନ ହେଉଛି। ସରକାରୀ ଏବଂ ଘରୋଇ ଅନୁଷ୍ଠାନଗୁଡ଼ିକ ରଜକୁ ଖାସ କରିବା ପାଇଁ ଦୋଳିର ଆୟୋଜନ କରୁଛନ୍ତି। ଗୋଟିଏ ଗୋଟିଏ ଦୋଳିରେ ଦୁଇରୁ ଅଧିକ ଜଣ ବସିବାର ବ୍ୟବସ୍ଥା କରାଯାଉଛି। ଦୋଳିକୁ ଭଳିକି ଭଳି ରଙ୍ଗିନ କପଡ଼ା ଓ ଫୁଲରେ ସଜାଯାଉଛି। ରଜ ପାନ ଖିଆ ସାଙ୍ଗକୁ ଦୋଳିର ପସରା ରଜ ମଉଜକୁ ଦ୍ବିଗୁଣିତ କରି ଦେଉଛି। ତେବେ ଏଥର ରାଜ୍ୟରେ କରୋନା କଟକଣା ଥିବାରୁ ଲୋକେ ଘରେ ରହି ରଜ ଦୋଳିର ମଜା ନେଉଛନ୍ତି।

Leave A Reply

Your email address will not be published.