ଏଥର ଫିକା ପଡ଼ିଛି ରଜ, ହେଲେ କମିନି ଉତ୍ସାହ! କରୋନା କଟକଣା ଭିତରେ ଆଜି ପାଳିତ ହେଉଛି ପହିଲି ରଜ

ରଜ ଓଡ଼ିଶାର ଏକ ମୁଖ୍ୟ ଗଣପର୍ବ। ଏହାକୁ ସାଂସ୍କୃତିକ ପର୍ବ ମଧ୍ୟ କୁହାଯାଏ। ରଜ ଶବ୍ଦଟି ଓଡିଶାକୁ ଉତ୍ସବମୁଖର କରିଥାଏ, ଯାହାକୁ ଆମେ ଧରିତ୍ରୀ ମାଆର ଋତୁସ୍ରାବ ପର୍ବ ଭାବେ ପାଳନ କରିଥାଉ। ଏହି ପର୍ବକୁ ଓଡ଼ିଶାର ସମସ୍ତ ଝିଅ ଉଲ୍ଲାସର ସହିତ ଅପେକ୍ଷା କରିଥାନ୍ତି। ଆଜି ହେଉଛି ରଜର ପ୍ରଥମ ଦିନ ଅର୍ଥାତ ପହିଲି ରଜ। କରୋନା କଟକଣା ଭିତରେ ବି ସାରା ରାଜ୍ୟରେ ପାଳିତ ହେଉଛି ରଜ। ଘରେ ରହି ରଜର ମଜା ନେଉଛନ୍ତି ଆବଳବୃଦ୍ଧବନିତା। ଏଥର ରଜ ସାମାନ୍ୟ ଫିକା ପଡ଼ିଥିଲେ ମଧ୍ୟ କାହାରି ମନରୁ କମିନି ଉତ୍ସାହ। ବର୍ଷା ଭିଜା ପହଲି ରଜର ମଜା ଉଠାଉଛନ୍ତି ଓଡ଼ିଶାବାସୀ।
ରଜ ଏମିତି ଏକ ପର୍ବ, ଯେଉଁଠି କୁଆଁରୀ ଝିଅମାନେ ବିଭିନ୍ନ ବିଧି ମାନି ଚାଲିଥାନ୍ତି। ଏହି ଦିନ ସେମାନଙ୍କୁ କୌଣସି ବି କାମ କରିବାକୁ ଦିଆଯାଇ ନ ଥାଏ। ଧରିତ୍ରୀ ମାଆକୁ କଷ୍ଟ ନ ହେବା ପାଇଁ ଝିଅ, ବୋହୂମାନେ ଗୋଡ଼ରେ ଗୁଆ ଖୋଳକୁ ଚପଲ କରି ପିନ୍ଧି ଥାନ୍ତି। ରଜ ତିନିଦିନ କୌଣସି ଜିନିଷ କଟା ବଟା କରନ୍ତି ନାହିଁ। ରାତି ପାହାନ୍ତାରୁ ଉଠି ଗାଧୋଇ ଥାନ୍ତି। ନୂଆ ଡ୍ରେସ ପିନ୍ଧି ଘରର ଗୁରୁଜନମାନଙ୍କୁ ମୁଣ୍ଡିଆ ମାରନ୍ତି। ରଜରେ ଝିଅମାନେ ବହୁତ ସୁନ୍ଦର ଭାବେ ନିଜକୁ ସଜେଇ ଥାନ୍ତି। ପାଦରେ ଅଳତା, ମୁଣ୍ଡରେ କୁଂକୁମ, ଚନ୍ଦନ ଲଗାଇ ସାଜସଜ୍ଜା ହୋଇଥାନ୍ତି।
ଘରେ ଭଳିକି ଭଳି ପିଠାର ଆୟୋଜନ ହୋଇଥାଏ। ପିଠା, ଖିରି, ଖେଚୁଡ଼ି, ମିଠାରେ ଘର ଅଗଣା ମହକି ଉଠିଥାଏ। ରଜରେ ପୋଡ଼ପିଠା ପ୍ରସ୍ତୁତ କରାଯାଇଥାଏ। ସମସ୍ତେ ପିଠା ଖାଇ ଆନନ୍ଦ ଅନୁଭବ କରିଥାନ୍ତି। ସେହିପରି ଗାଁ ଦାଣ୍ଡରେ ରଜ ଦୋଳି ଖେଳ ବେଶ ଜମିଥାଏ। ଆଉ ତା’ ସାଙ୍ଗକୁ ରଜ ପାନ ଖିଆ ଉତ୍ସବକୁ ଆହୁରି ଉତ୍ସବମୁଖର କରିଦିଏ। ଘରେ ଘରେ ସ୍ୱତନ୍ତ୍ର ଭାବେ ଭଙ୍ଗା ଯାଏ ରଜ ପାନ। ଏହି ଦିନ ମିଠା ପାନର ଚାହିଦା କାହିଁରେ କ’ଣ। ରଜ ତିନିଦିନ ଯାକ ପିଠା ଖାଇ, ଦୋଳି ଖେଳି ଝିଅ, ବୋହୂମାନେ ବେଶ ଉତ୍ସାହର ସହିତ ଏହାକୁ ପାଳନ କରିଥାନ୍ତି।