ବନସ୍ତେ ଡାକିଲା ଗଜ, ଆସିଛି ରଜ ସଜବାଜ…ଆଜି ହେଉଛି ସଜବାଜ, ପୁରପଲ୍ଲୀ ଉତ୍ସବମୁଖର

ଆମ ଉତ୍କଳୀୟ ସଂସ୍କୃତି ଓ ପରମ୍ପରା ଅନୁସାରେ ବାର ମାସରେ ତେର ପର୍ବ ପାଳନ କରାଯାଏ। ଏହି ସବୁ ପର୍ବ ମଧ୍ୟରୁ ରଜ ପର୍ବ ଟିକିଏ ନିଆରା, ଆଉ ଟିକିଏ ଭିନ୍ନ। ପୁରପଲ୍ଲୀଠାରୁ ଆରମ୍ଭ କରି ସହର ବଜାର ପର୍ଯ୍ୟନ୍ତ, ସବୁଠି ବେଶ ଆଡ଼ମ୍ବର ସହକାରେ ପାଳନ କରାଯାଏ ରଜ। ରଜ ଆସିଲେ ମହକି ଉଠେ ଗାଁଗଣ୍ଡା, ମାଟିର ବାସ୍ନାରେ ଦେହ, ମନ ପୁଲକିତ ହୋଇଯାଏ। ରଜ ଆସେ କୁଆଁରୀ ପାଦର ଅଳତାରେ, ରଜ ଆସେ ଦୋଳିର କଟମଟ ଶବ୍ଦରେ। ରଜ ଆସେ ପୋଡ଼ପିଠାର ମହ ମହ ବାସ୍ନାରେ, ଆଉ ରଜ ଆସେ ଗାଁ ଦାଣ୍ଡ ପୁଚି ଖେଳରେ।

ରଜ ପର୍ବ ପାଳନରେ ରହିଛି ଅନେକ ବିଧି। ରଜ ସାଧାରଣତଃ ତିନିଦିନ ଧରି ପାଳନ କରାଯାଏ। ତାହା ହେଲା, ପହିଲି ରଜ, ଦ୍ୱିତୀୟ ରଜ ବା ରଜ ସଂକ୍ରାନ୍ତି ଓ ଶେଷ ରଜ। କିନ୍ତୁ କେଉଁଠି କେଉଁଠି ଏହାକୁ ୫ ଦିନ ଧରି ପାଳନ କରାଯାଇଥାଏ। ଯେପରି, ସଜବାଜ, ତା’ପରେ ପହିଲି ରଜ, ରଜ ସଂକ୍ରାନ୍ତି, ଶେଷ ରଜ ଓ ୫ମ ଦିନ ବସୁମତୀ ସ୍ନାନ ବା ଭୂଇଁ ଦହନ।

ଘରର ଝିଅ, ବୋହୂମାନେ ରଜ ୫ ଦିନ ଯାକ ସିନ୍ଦୁର, ଅଳତା ନାଇ ସଜେଇ ହୁଅନ୍ତି। ପୁଅମାନେ ଖେଳକୁଦରେ ମାତିଯାନ୍ତି। ରଜର ମାହାତ୍ମ୍ୟ ଆଜି ବି ଅନେକ ଜାଗାରେ ଉଜ୍ଜୀବିତ ରହିଛି। ବିଧି ଅନୁସାରେ, ଆଜି ହେଉଛି ରଜର ପ୍ରଥମ ଦିନ ଅର୍ଥାତ ରଜ ସଜବାଜ। ଆଜିଠୁ ଆରମ୍ଭ ହେଲା ଉତ୍ସବ, ଯାହାକି ୫ ଦିନ ଧରି ଚାଲିବ।

ରଜ ସଜବାଜ ଆସିଲେ ଗାଁ, ସହର ସଜେଇ ହୁଏ। ଝିଅ, ବୋହୂମାନେ କେଶସଜ୍ଜା କରି, ମେହେନ୍ଦୀ, କୁକୁଂମ, ଅଳତା, ସିନ୍ଦୂର ନାଇ ନିଜକୁ ସଜାଇ ଥାଆନ୍ତି। ବେଶ ଖୁସି ଆଣିଥାଏ ଏହି ସଜବାଜ। ସାଧାରଣତଃ ଏହି ଦିନ ଝିଅ, ବୋହୂମାନେ ସକାଳୁ ଉଠି ସ୍ନାନ ଯାଆନ୍ତି। ମୁଣ୍ଡ ସଫା କରି, ଦେହରେ ହଳଦୀ ମାଖନ୍ତି। ସ୍ନାନାଦି ସାରି ଭଗବାନଙ୍କୁ ସ୍ମରଣ କରନ୍ତି।

ପାଦରେ ଅଳତା, ହାତରେ ମେହେନ୍ଦୀ, ମୁଣ୍ଡରେ ଟିପି ଟିପି କୁଂକୁମ ଆଉ ଦେହରେ ଅତର ବୋଳି ରଜକୁ ଆମନ୍ତ୍ରଣ କରନ୍ତି। ସମସ୍ତେ ବେଶ ଉତ୍ସାହିତ ଥାନ୍ତି ଏହିଦିନ। ସଜେଇ ହୋଇ ଅପେକ୍ଷା କରିଥାନ୍ତି ପହିଲି ରଜର ସେହି ନୂଆ ସକାଳକୁ।

Leave A Reply

Your email address will not be published.