୧୨ ଲକ୍ଷ ବର୍ଷ ପୂର୍ବର ବରଫ ଖଣ୍ଡ ଠାବ, ବୈଜ୍ଞାନିକଙ୍କୁ ମିଳିବ ଅନେକ ରହସ୍ୟମୟ ତଥ୍ୟ

ଆଣ୍ଟାର୍କଟିକାର ବରଫା ବୃତ୍ତ ଭୂମି ତଳୁ ମିଳିଛି ବହୁ ପୁରାତ ବରଫ ଖଣ୍ଡ । ଯାହା ୧୨ ଲକ୍ଷ ବର୍ଷ ତଳର ବୋଲି କୁହାଯାଉଛି । ଯେଉଁଥିରେ ଲୁଚି ରହିଛି ବେଶ୍ କିଛି ଗଭୀର ରହସ୍ୟମୟ ତଥ୍ୟ । ସେତେବେଳେ ପୃଥିବୀର ଜଳବାୟୁ କିଭଳି ଥିଲା ଏବଂ ସେଥିରେ କେତେ ପରିବର୍ତ୍ତନ ହୋଇଛି ତାହା ଜଣାପଡ଼ିବ ଏହି ବରଫ ଖଣ୍ଡରୁ । ଅନେକ ଐତିହାସିକ ତଥ୍ୟ ଏହି ବରଫ ଖଣ୍ଡରୁ ମିଳିବ ବୋଲି ଆଶା କରାଯାଉଛି ।

ଏକ ଆନ୍ତର୍ଜାତିକ ବିଶେଷଜ୍ଞ ଟିମ୍ ଆଣ୍ଟାର୍କଟିକାରେ ଗତ ଚାରି ବର୍ଷ ହେଲା ଗବେଷଣାରେ ଲାଗିଛନ୍ତି । ମାଇନସ୍ ୩୫ ଡିଗ୍ରୀ ସେଲସିୟସ ତାପମାତ୍ରାରେ ଆନ୍ବେଷଣ କରି ଏହି ବରଫ ଖଣ୍ଡକୁ ସେମାନେ ଠାବ କରିଛନ୍ତି । ପୁରାତନ ବରଫ ଖଣ୍ଡଟି ଆଣ୍ଟାର୍ଟିକାର ବରଫ ଭୂମିରୁ ୨.୮ କିଲୋମିଟର ଗଭୀରତାରୁ ମିଳିଛି ।

‘ବିୟଣ୍ଡ ଏପିକା‘ ନାମକ ଏହି କାର୍ଯ୍ୟକ୍ରମକୁ ୟୁରୋପୀୟ ୟୁନିୟନ ତରଫରୁ ଆର୍ଥିକ ସହୟତା ଓ ସମର୍ଥନ ଦିଆଯାଉଛି । ଠାବ ହୋଇଥିବା ଏହି ବରଫ ଖଣ୍ଡର ଲମ୍ବ ୯ ହଜାର ୧୮୬ ଫୁଟ । ଏହି ବରଫ ଖଣ୍ଡରେ ୧୨ ଲକ୍ଷ ବର୍ଷ ତଳର ବାୟୁ ଫୋଟକା ଅବସ୍ଥାରେ ରହିଛି । ଏହି ଫୋଟକାରେ ଥିବା ବାୟୁ ହିଁ ସେତେବେଳର ବାୟୁମଣ୍ଡଳ ସ୍ଥିତି ସମ୍ପର୍କରେ ତଥ୍ୟ ଦେବ । ବରଫ ଖଣ୍ଡକୁ ଛୋଟ ଛୋଟ କରି କାଟି ଦିଆଯାଇଛି । ଯାହାଫଳରେ ଏହାର ଭଲ ଭାବେ ପରୀକ୍ଷା ନିରୀକ୍ଷା କରାଯାଇ ପାରିବ ।

ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି କି ଏହି ପୁରାତନ ବରଫ ଖଣ୍ଡରେ ଅଙ୍ଗାରକାମ୍ଳ ଓ ମିଥେନ୍ ଭଳି ଗ୍ରୀନ୍ ହାଉସ୍ ଗ୍ୟାସ ଅଛି । ଏସବୁକୁ ଗବେଷଣା କଲେ ସେତେବେଳେ ସୂର୍ଯ୍ୟଙ୍କ କିରଣ କିଭଳି ଥିଲା, ଆଗ୍ନେୟ ଗିରିର ଗତିବିଧି ଏବଂ ପୃଥିବୀର କକ୍ଷୀୟ ସ୍ଥିତି ସମ୍ପର୍କରେ ବହୁ ଅଜଣା ତଥ୍ୟ ସାମନାକୁ ଆସିବ । ପୁଣି ପୃଥିବୀର ବରଫ ଯୁଗରୁ କେମିତି ପରିବର୍ତ୍ତନ ହୋଇ ବର୍ତ୍ତମାନ ସ୍ଥିତିକୁ ଆସିଛି ଏବଂ ପୂର୍ବର ଜଳବାୟୁରେ ଏବେ କି କି ପରିବର୍ତ୍ତନ ହୋଇଛି ସେକଥା ସ୍ପଷ୍ଟ ହେବ ବୋଲି ବୈଜ୍ଞାନିକମାନେ ଆଶା କରୁଛନ୍ତି । ତେବେ ୧୨ ଲକ୍ଷ ବର୍ଷ ପୂର୍ବର ବରଫ ଖଣ୍ଡ ଠାବ ହେବ ଏକ ବଡ଼ ଉପଲବଧି ନିଶ୍ଚୟ । ବୈଜ୍ଞାନିକମାନେ ଏହାକୁ ଟାଇମ୍ ମେସିନ୍ ନାଁ ଦେଇଛନ୍ତି । …