କଅଁଳ କାନ୍ଧରେ ପରିବାର ବୋଝ, ଖେଳିବା ବୁଲିବା ବୟସରେ ବଞ୍ଚିବା ପାଇଁ ସଙ୍ଘର୍ଷ

ଛତ୍ରପୁର : ଯେଉଁ ବୟସରେ ପାଠପଢ଼ି, ସାଙ୍ଗସାଥି ମାନଙ୍କ ସହିତ ଖେଳକୁଦ କରିବା କଥା ସେହି ବୟସରେ ବୋହୁଛନ୍ତି ପରିବାରର ବୋଝ । ମାତ୍ର ୧୩ ବର୍ଷ ବୟସରେ ଗାଁରୁ ସହରକୁ ଯାଇ ସାହିକୁ ସାହି ବୁଲି ବିକ୍ରି କରୁଛନ୍ତି ଦାନ୍ତିକିଲି, ନିମକି । ଏସବୁ ବିକ୍ରି କଲେ ହିଁ ଚଳିବ ୮ ପ୍ରାଣୀ କୁଟୁମ୍ବ । ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଛତ୍ରପୁର ବ୍ଲକ ଅନ୍ତର୍ଗତ ଟାଙ୍ଗଣାପଲ୍ଲୀ ପଞ୍ଚାୟତର ରାମପଲ୍ଲୀରେ ।

ରାମପଲ୍ଲୀରେ ରହୁଛନ୍ତି ବସନ୍ତ ସାହୁଙ୍କ ପରିବାର । ବସନ୍ତ ସାହୁ ଶ୍ୱାସ ରୋଗରେ ପୀଡ଼ିତ ଥିବାବେଳେ ଘରେ ଅଛନ୍ତି ୮୫ ବର୍ଷର ରୋଗୀଣା ଜେଜେମା, ଆଉ ୫ ପୁଅ ସହ ପତ୍ନୀ । ବସନ୍ତ ଘରେ ହିଁ ତେଜରାତି ଦୋକାନ କରିଥିବା ବେଳେ ତାଙ୍କର ଶ୍ୱାସ ରୋଗ ହେବାରୁ ଦୋକାନ ବନ୍ଦ କରି ସେବେଠାରୁ ଘରେ ବସି ରହିଛନ୍ତି । ଶ୍ୱାସ ରୋଗ କାରଣରୁ ସେ ବାହାରକୁ କାମ କରିବାକୁ ଯାଇପାରୁନାହାନ୍ତି । ଆଉ ଏଭଳି ସ୍ଥଳେ ବସନ୍ତଙ୍କ ୮ ପ୍ରାଣୀ କୁଟୁମ୍ବକୁ ଚଳାଉଛନ୍ତି ବସନ୍ତଙ୍କ ୧୩ ବର୍ଷର ବଡ଼ ପୁଅ ଚନ୍ଦନ ସାହୁ ।

ଚନ୍ଦନ ଗାଁ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଛନ୍ତି । ଘରେ ରୋଗୀଣା ଜେଜେମା ସାଙ୍ଗକୁ, ବାପାଙ୍କ ଶ୍ୱାସ ରୋଗ । ସେପଟେ ଘରେ ଚାରି ଚାରୋଟି ସାନ ସାନ ଭାଇଙ୍କ ମୁହଁକୁ ଦେଖି ଚନ୍ଦନ ରୋଜଗାର କରିବା ପାଇଁ ଘରୁ ପାଦ ବାହାର କରିଛନ୍ତି । ପ୍ରତିଦିନ ଚନ୍ଦନଙ୍କ ମାଆ ସୁଜ୍ଞାନୀ ଦାନ୍ତିକିଲି, ନିମକି ଭଳି ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି ଚନ୍ଦନକୁ ଦେଇଥାନ୍ତି । ଚନ୍ଦନ ତାହାକୁ ଏକ ବ୍ୟାଗରେ ଧରି ବ୍ରହ୍ମପୁର ସହରର ବିଭିନ୍ନ ସାହିକୁ ସାହି ବୁଲି ବୁଲି ବିକ୍ରି କରିଥାନ୍ତି ।

କେଉଁଦିନ ସମସ୍ତ ସାମଗ୍ରୀ ବିକ୍ରି ହୋଇଥାଏ ତ ଆଉ କେଉଁଦିନ ବିକ୍ରି ନ ହୋଇ ସେମିତି ଖାଦ୍ୟ ସାମଗ୍ରୀକୁ ଧରି ଘରକୁ ଫେରିଥାନ୍ତି । ଚନ୍ଦନ ଯାହା ବିକ୍ରି କରି ଟଙ୍କା ଆଣିଥାନ୍ତି ସେହି ଟଙ୍କାରେ ଚନ୍ଦନଙ୍କ ପରିବାର ଚଳିଥାଏ । ଚନ୍ଦନ ଅପରାହ୍ନ ୨ଟାରୁ ଖାଦ୍ୟ ସାମଗ୍ରୀ ଧରି ଘରୁ ବ୍ରହ୍ମପୁର ଅଭିମୁଖେ ବାହାରିଥିବାବେଳେ ରାତି ୮ଟାରୁ ୯ଟା ମଧ୍ୟରେ ଘରକୁ ଫେରିଥାନ୍ତି । ପାଠପଢ଼ିବା ପାଇଁ ବେଶ ଇଚ୍ଛା କିନ୍ତୁ ଘରର ସ୍ଥିତିକୁ ଦେଖି କେବେ ସ୍କୁଲ ଯାଉଛନ୍ତି ତ ଆଉ କେବେ ସ୍କୁଲ ନ ଯାଇ ଖାଦ୍ୟ ସାମଗ୍ରୀ ବିକ୍ରି କରିବା ନିମନ୍ତେ ରହିଯାଇଥାନ୍ତି ବୋଲି କହିଛନ୍ତି ଚନ୍ଦନ । ସେପଟେ ଚନ୍ଦନ ଯାହା ବିକ୍ରି କରି ଆଣନ୍ତି ଘର ଚାଳୁଥିବା ବେଳେ, ଏପଟେ ଜିଲ୍ଲା ପ୍ରଶାସନ ସହାୟତାର ହାତ ବଢ଼ାନ୍ତୁ ବୋଲି ନିବେଦନ କରିଛନ୍ତି ଚନ୍ଦନଙ୍କ ମାଆ ।

ସେପଟେ ବସନ୍ତଙ୍କ ପରିବାରର ଏଭଳି ସ୍ଥିତିକୁ ଦେଖି ସ୍ଥାନୀୟ ଗ୍ରାମବାସୀ ମାନେ ନିଜର ସାମର୍ଥ୍ୟ ଅନୁସାରେ ସାହାର୍ଯ୍ୟ କରୁଛନ୍ତି । ତେବେ ଜିଲ୍ଲା ପ୍ରଶାସନ, ଜନ ପ୍ରତିନିଧି ଏନେଇ ଦୃଷ୍ଟି ଦେଇ ବସନ୍ତଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରନ୍ତୁ ବୋଲି ନିବେଦନ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଅନ୍ୟପଟେ ଖବର ପାଇ ଛତ୍ରପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ରାଧାଶ୍ୟାମ ଫାଉଣ୍ଡେସନ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟର ସଭାପତି ଦେବାଶିଷ ମିଶ୍ର ତାଙ୍କ ଘରେ ପହଂଚି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।

ବସନ୍ତଙ୍କ ପାଞ୍ଚ ପୁଅ । ଚନ୍ଦନ ସବୁଠାରୁ ବଡ଼ ପୁଅ ହୋଇଥିବା ବେଳେ ଦ୍ୱିତୀୟକୁ ୫ ବର୍ଷ, ତୃତୀୟକୁ ୩ ବର୍ଷ, ଚତୁର୍ଥକୁ ୨ ବର୍ଷ ବୟସ ଓ ସବୁଠୁ ସାନ ପୁଅକୁ ବର୍ଷକରୁ କମ୍ ବୟସ । ତେଣୁ ଯଦି ଏଭଳି ସ୍ଥିତିରେ କେହି ବଦାନ୍ୟ ବ୍ୟକ୍ତି କିମ୍ବା ଜିଲ୍ଲା ପ୍ରଶାସନ ସହାୟତା କରନ୍ତେ ତେବେ ନିଜର ଚିକିତ୍ସା କରି ସୁସ୍ଥ ହେବା ପରେ ପୁଣି ଥରେ ନିଜ ଦୋକାନକୁ ଖୋଲି ବ୍ୟବସାୟ କରିପାରନ୍ତେ ବୋଲି କହିଛନ୍ତି ବସନ୍ତ ।

 

You might also like