କାଳ ବୈଶାଖୀର ତାଣ୍ଡବଲୀଳା, ଦୁଇଟି ବ୍ଲକରେ ଭାଙ୍ଗିଲା ୧୩୦ରୁ ଉର୍ଦ୍ଧ୍ବ ଘର

ହଠାତ ବିଜୁଳି ଘଡ଼ଘଡ଼ି ସହ ମାଡ଼ି ଆସିଲା ଭୟଙ୍କର ପବନ । ତୁହାକୁ ତୁହା ବର୍ଷା ତା ସାଙ୍ଗକୁ କୁଆ ପଥର ମାଡ଼ । ମାତ୍ର କେଇ ଘଣ୍ଟାର ବର୍ଷା ଯେ ଲୋକଙ୍କ ଧନଜୀବନକୁ ଅସ୍ତ ବ୍ୟସ୍ତ କରିଦେବ କେହି ଭାବିନଥିଲେ । ରାଜ୍ୟରେ ହେଉଥିବା କାଳବୈଶାଖୀର ପ୍ରଭାବ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି ସତ । କିନ୍ତୁ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆରେ ହୋଇଥିବା କଳା ବୈଶାଖୀର ତାଣ୍ଡବ ଲୋକଙ୍କ ନିଦ ହଜାଇ ଦେଇଛି ।

ତାଣ୍ଡବ ରଚିଲା କାଳ ବୈଶାଖୀ । ବର୍ଷାରେ ପଡ଼ିଥିବା କୁଆ ପଥରର ଓଜନ ୨୦୦ ରୁ ୨୫୦ ଗ୍ରାମ ପର୍ଯ୍ୟନ୍ତ ରହିଥିଲା । ଯାହା ଫଳରେ ଅନେକ ଗରିବ ଲୋକଙ୍କ କଚ୍ଚା ଘର ଭାଙ୍ଗି ଯାଇଛି । ସ୍କୁଲ ଛାତ ଉଡିବା ସହ କରଞ୍ଜିଆର ଦୁଇଟି ବ୍ଲକରେ ୧୩୦ରୁ ଉର୍ଦ୍ଧ୍ବ ଲୋକଙ୍କ ଘର ଭାଙ୍ଗିଯାଇଛି । ଗତକାଲି ଅପରାହ୍ନ ୨:୫୦ ମିନିଟରେ ଶୁକୃଲି ଏବଂ ରରୁଆ ବ୍ଲକରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ସହିତ କୁଆ ପଥର ମାଡ଼ ହୋଇଥିଲା । ଠାକୁରମୁଣ୍ଡା ବ୍ଲକରେ ଚାଲିଥିବା ଉଡା ଯାତ୍ରାରେ ଅନେକ ଷ୍ଟଲ ଭାଙ୍ଗିବା ସହିତ ଅପେରା ଷ୍ଟେଜ୍ ପଡି ନଷ୍ଟ ହୋଇଛି । ରରୁଆଁ ଓ ଶୁକୃଳି ବ୍ଲକରେ କାଳବୈଶାଖୀର ତାଣ୍ଡବ ଲୀଳାରେ ଅନେକ ଘର ଭାଙ୍ଗିଛି । ବିଶେଷ କରି ରରୁଆ ବ୍ଲକରେ କାଳ ବୈଶାଖୀର ପ୍ରଭାବ ଅଧିକ ଦେଖିବାକୁ ମିଳିଛି । ରରୁଆ ବ୍ଲକରେ ଅଙ୍ଗାରପଦା ଏବଂ ରରୁଆ ପଞ୍ଚାୟତରେ ୧୦୦ରୁ ଉର୍ଦ୍ଧ୍ବ ଘର ଭାଙ୍ଗିଥିବାର ରରୁଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରେମାନନ୍ଦ ବେହେରା ସୂଚନା ଦେଇଛନ୍ତି । ବୈଶାଖୀ ଝଡ ରରୁଆ ବିଡିଓଙ୍କ ଘରକୁ ମଧ୍ୟ ଛାଡି ନାହିଁ । ବିଡିଓଙ୍କ ଘର ଭାଙ୍ଗିବା ସହିତ ପାଣି ପଶି ଅନେକ ସାମଗ୍ରୀ ନଷ୍ଟ ହୋଇଛି । ସେହିପରି ଶୁକୃଳି ବ୍ଲକରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡରେ ବ୍ୟାପକ ପନିପରିବା ଚାଷ ନଷ୍ଟ ସହ କାଳ ବୈଶାଖୀରେ ୩୦ରୁ ଉର୍ଦ୍ଧ୍ବ  ଘର ଭାଙ୍ଗିଛି ।  ଶୁକୃଳି ବ୍ଲକ ନାଉପନା ପ୍ରାଥମିକ ବିଦ୍ୟାଳୟର ଘର ଆଜବେଷ୍ଟସ ସମ୍ପୂର୍ଣ୍ଣ ଭାବେ ଉଡ଼ି ଯାଇଥିବା ବେଳେ ଗାଁର ଅନେକ ଲୋକଙ୍କ ଘରର ଆଜବେଷ୍ଟସ ଉଡିଯାଇଛି । ତେବେ କିଛି ସ୍ଥାନରେ ବୁଲି ରରୁଆ ବିଡିଓ ଏବଂ ତହସିଲଦାର ପଲିଥିନ ବାଣ୍ଟିଛନ୍ତି ।

କରଞ୍ଜିଆରେ ହୋଇଥିବା ଏହି ତାଣ୍ଡବ ଲୋକଙ୍କ ବାସସ୍ଥାନକୁ ଛଡ଼ାଇ ନେଇଛି । ଲୋକଙ୍କ ଘରର ଆଜବେଷ୍ଟସ୍ ଭାଙ୍ଗିବା ସହ ଜିନିଷ ପତ୍ର ମଧ୍ୟ ନଷ୍ଟ ହୋଇଛି । ସେମାନେ ଏବେ ରହିବେ କେଉଁଠି ସେନେଇ ଚିନ୍ତାରେ ଅଛନ୍ତି । ତେବେ ପ୍ରଶାସନ ତରଫରୁ ଏମାନଙ୍କୁ ସାହାଯ୍ୟ ମିଳିଲେ ହିଁ ଏମାନେ ସୁରୁଖୁରରେ ନିଜ ଘରେ ରହି ପାରିବେ ।

Also Read:ବିଭିନ୍ନ ସ୍ଥାନରେ କାଳ ବୈଶାଖୀର ତାଣ୍ଡବ, ବ୍ୟାପକ କ୍ଷୟକ୍ଷତି ନେଇ ଚିନ୍ତାରେ ଲୋକେ