ଘର ଜଳିଲା ତା’ ସାଙ୍ଗରେ ଜଳିଗଲା ଘରର ଝିଅ, ବାପା ମା’ କଳିରେ ଗଲା ନିରୀହ ଛୁଆର ଜୀବନ

ହିନ୍ଦୋଳ: ଅଭାଗା ବାପାର ଉନ୍ମତ୍ତ କାଣ୍ଡ । ଝିଅ ପାଇଁ ପିଶାଚ ସାଜିଲା ବାପା । ରାଗରେ ଜାଳି ଦେଲା ଘର । ଜଳିଗଲା ୧୪ ମାସର ଶିଶୁ କନ୍ୟା । ବାପା ମା କଳିରେ ଜୀବନ ଗଲା ଛୁଆର । ହଁ ଆଜ୍ଞା ଏଭଳି ଏକ ଛାତିଥରା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ବାଲିମୀ ଥାନା ଅନ୍ତର୍ଗତ ବାରସିଙ୍ଗା ଗାଁରେ । ମଙ୍ଗଳବାର ଦିନ ବେଳା ଗାଁର ବାବୁଲି ସାହୁ ଘରେ କଳି ଝଗଡ଼ା କରିଥିଲେ । ଏହି ବିବାଦ ପରେ ଭୟଙ୍କର ରୂପ ନେଇଥିଲା । ସ୍ତ୍ରୀକୁ ମାରିବା ପାଇଁ ଉଦ୍ୟମ କରିଥିଲା ବାବୁଲି ।

ତେଣୁ ଜୀବନ ବିକଳରେ ତାଙ୍କ ପତ୍ନୀ କୌଣସି ପ୍ରକାରେ ସେଠାରୁ ଦୌଡ଼ି ପଳାଇ ଥିଲେ । ଯାହା ପରେ ଉତ୍ତ୍ୟକ୍ତ ହୋଇ ନିଜ ଘରେ ହିଁ ନିଆଁ ଲଗାଇ ଦେଇଥିଲା ମଦ୍ୟପ ସ୍ୱାମୀ । ମଦ ନିଶାରେ ଭୁଲି ଗଲା ଯେ ଘରେ ଅଛି ନିଜ ଜନ୍ମ କଲା ଝିଅ । ନିଆଁ ଲଗାଇଲା ପରେ ଘର ଛାଡ଼ି ପଳାଇ ଯାଇଥିଲା । ଧୀରେ ଧୀରେ ଘର ଜଳିବାକୁ ଲାଗିଲା । କିନ୍ତୁ ଏହି ସମୟରେ ଘରେ ଶୋଇଥିଲା ବାବୁଲି ସାହୁଙ୍କ ୧୪ ମାସର ଶିଶୁକନ୍ୟା କ୍ରିତିକା । ତା ବିଷୟରେ ସମସ୍ତେ ଭୁଲି ଯାଇଥିଲେ ।

ହଠାତ ଘର ଜଳୁଥିବା ଦେଖି ପଡ଼ିଶା ଲୋକେ ଦୌଡ଼ି ଆସିଥିଲେ । ଆଉ ଜାଣିବାକୁ ପାଇଥିଲେ ସେହି ଜଳୁଥିବା ଘରେ ରହିଯାଇଛି କୁନି ଝିଅ କ୍ରିତିକା । ସମସ୍ତେ ବିକଳ ହୋଇ ନିଆଁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ନିଆଁ ଲିଭିଲା ବେଳକୁ କ୍ରିତିକା ଆଉ ନଥିଲା । ମାତ୍ର ୧୪ ମାସର ଛୁଆଟା କେମିତି ସହି ପାରିଥାନ୍ତା ନିଆଁ ଆଉ ଧୂଆଁକୁ? ଏପଟେ ଖଜୁରିଆକଟା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । କିନ୍ତୁ ଏ ଦୁନିଆ ଦେଖିବା ଆଗରୁ ହିଁ ଆଖି ବୁଜି ଦେଇଥିଲା ଶିଶୁକନ୍ୟା କ୍ରିତିକା ।

ବାପା ମା’ଙ୍କ କଳିର ଭୟଙ୍କର ରୂପ ଥିଲା ତାର ମୃତ୍ୟୁ । ଘଟଣାସ୍ଥଳରେ ବାଲିମୀ ପୋଲିସ ପହଞ୍ଚି କୁନି ଝିଅର ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମଦ୍ୟପ ବାପାକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ଘର ଜଳିଲା ତା ସାଙ୍ଗରେ ଜଳିଗଲା ଘରର ଝିଅ । ଏପଟେ ସର୍ବସ୍ବ ଗଲା ସେପଟେ ପିଲା ବି ଚାଲିଗଲା । ମଦ ନିଶା, ଘରୋଇ କଳି ଆଉ ରାଗ କିଭଳି ସର୍ବନାଶ କରେ ଇଏ ତାର ବଡ଼ ଉଦାହରଣ । ଏଭଳି ଘଟଣା ଏବେ ପୂରା ଗାଁରେ ଶୋକର ଛାୟା ଖେଳାଇ ଦେଇଛି ।

Also read: ଅଟୋ ସହ ସ୍କୁଟି ଧକ୍କା, ଦମ୍ପତି ମୃତ, ଅଳ୍ପକେ ବର୍ତ୍ତିଗଲା ୩ ବର୍ଷର କୁନି ଝିଅ