ଘରେ ଅଧା ଦିନ ଚୁଲି ଜଳୁନାହିଁ, ପୁଅର ଚିକିତ୍ସା ପାଇଁ କେମିତି ବା ଯୋଗାଡ କରିବେ ଅର୍ଥ

କଣ୍ଟାମାଳ: ଯେଉଁ ବୟସରେ ଖେଳାବୁଲା କରି ପାଠ ପଢିବା କଥା ସେଇ ବୟସରେ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଖଟରେ ଶଯ୍ୟାଶାୟୀ । ଚାଲିବୁଲି ପାରୁନଥିବାରୁ ଏବେ ପାଠ ପଢ଼ାରେ ଡୋରି ବନ୍ଧାହେବା ସହ ମୃତ୍ୟୁ ସହ କରୁଛନ୍ତି ସଂଗ୍ରାମ ।

ଏ ହେଉଛନ୍ତି ବୋୖଦ୍ଧ ଜିଲ୍ଲା ଶଗଡା ପଂଚାୟତର ରୁଗୁଡାପଡ଼ା ଗାଁର ଶୀତଳ ସୁନା । ବୟସ ମାତ୍ର ୧୬ ବର୍ଷ । ହେଲେ ଗତ ଛଅ ବର୍ଷ ହେଲା ଶୀତଳ ଖଟରେ ଶଯ୍ୟାଶାୟୀ । ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ସବୁ ଠିକଠାକ ଥିଲା । ପାଠ ବି ଭଲ ପଢୁଥିଲେ । ହେଲେ ପଞ୍ଚମ ଶ୍ରେଣୀରୁ ସେ ଆଉ ଚଳାବୁଲା କରି ପାରିଲେ ନାହିଁ । ଫଳରେ ସେ ଖଟରେ ପଡ଼ିରହିଲେ ।

ବାପା ମାଆ ବୁର୍ଲା ଡାକ୍ତରଖାନାଠାରୁ କଟକ ପର୍ଯ୍ୟନ୍ତ ଚିକିତ୍ସା କରାଇଲେ ହେଲେ ରୋଗ ଭଲ ହୋଇ ପାରିଲେ ନାହିଁ । ଚିକିତ୍ସା ପାଇଁ ଯାହାଥିଲା ଜମିବାଡ଼ି ସୁନା ରୁପା ବିକି ପୁଅର ଚିକିତ୍ସା କରାଇ ସର୍ବସ୍ଵାନ୍ତ ହୋଇଗଲେ । ହେଲେବି ରୋଗ ଭଲ ହେଲା ନାହିଁ । ଦିନକୁ ଦିନ ଅଣ୍ଟା ପିଠି ବଙ୍କା ହେବା ସହ ହାତ ଗୋଡ଼ ମଧ୍ୟ ସରୁ ସରୁ ହୋଇଗଲାଣି । ଫଳରେ ପୁଅର ଚିନ୍ତାରେ ମାଆ ଆଖିରୁ ଲୁହ ଶୁଖୁ ନାହିଁ ।

ଏପଟେ ବାପା ଜୀବର୍ଦ୍ଧନ ସୁନା ମଧ୍ୟ ଗତ ଦୁଇ ବର୍ଷ ହେଲା ଦୁର୍ଘଟଣାରେ ଶୀକାର ହୋଇ ସେ ମଧ୍ୟ ଦିବ୍ୟାଙ୍ଗ । ଫଳରେ କାମ ଧନ୍ଦା କରିନପାରିବାରୁ ଏବେ ପେଟକୁ ଦାନା ପାଇଁ ସଂଘର୍ଷ କରିବାକୁ ପଡୁଛି । ଅନେକ ସମୟରେ ଘରେ ଚୁଲି ମଧ୍ୟ ଜଳୁନହିଁ । ପଞ୍ଚାୟତ ପକ୍ଷରୁ କେବଳ ୨୫ କିଲୋ ଚାଉଳ ଛଡା ଅନ୍ୟ କୌଣସି ସହାୟତା ମିଳିପାରିନାହିଁ ।

ବାପାଙ୍କୁ ମଧ୍ୟ ଦିବ୍ୟାଙ୍ଗ ଭତ୍ତା ଆଜି ପର୍ଯ୍ୟନ୍ତ ମିଳିନାହିଁ । ମାଆ ଅନେକ ସମୟରେ କୁଲି ମଜୁରୀ କରି ପାଞ୍ଚ ପ୍ରାଣୀ ପରିବାର ଚଳାଉଛନ୍ତି । ଚିକିତ୍ସା ଅଭାବରୁ ଏବେ ଶୀତଳ ଦେହ ଆହୁରି ଖରାପ ହେବାରେ ଲାଗିଛି ।ଯଦି କୌଣସି ସରକାରୀ ସହାୟତା କିମ୍ବା କୌଣସି ବଦାନ୍ୟ ବ୍ୟକ୍ତି ଏହି ପରିବାରକୁ ସହାୟତା ଯୋଗାଇ ଦେବାକୁ ଚାହୁଁଛନ୍ତି । ତେବେ ଏହି ଠିକଣାରେ ଯୋଗାଯୋଗ କରନ୍ତୁ ।

ନାମ: ଶୀତଳ ସୁନା
ପିତା:ଜୀବର୍ଦ୍ଧନ ସୁନା
ଗ୍ରାମ:ରୁଗୁଡାପଡ଼ା, ପୋଷ୍ଟ:ଶଗଡା ଜିଲ୍ଲା:ବୋୖଦ୍ଧ,ମୋବାଇଲ:9692119646 ଠିକଣାରେ ଯୋଗାଯୋଗ କରନ୍ତୁ।
ଏକାଉଣ୍ଟ ନମ୍ବର -31195404314
SBIN0000007764

 

You might also like