ବିସ୍ମୟ ବାଳକ ଶିଭାନ୍ସ ବିଶ୍ୱାଳ, ମାତ୍ର ୨ବର୍ଷ ୯ମାସରେ ହାସଲ କଲେ ଇଣ୍ଡିଆ ବୁକ୍ ଅଫ ରେକର୍ଡ

ଜଗତସିଂହପୁର: ବିସ୍ମୟ ବାଳକ ଶିଭାନ୍ସ ବିଶ୍ୱାଳ । ଡାକ ନା ଅଂଶ ।  ବୟସ ମାତ୍ର ୨ବର୍ଷ ୯ ମାସ । ଯେଉଁ ବୟସରେ ପିଲାମାନେ କଥା କହିବା ଠିକରେ ଶିଖି ନଥାନ୍ତି, ଆଜି ସେହି କୋମଳ ବୟସରେ ଇଣ୍ଡିଆ ବୁକ୍ ଅଫ ରେକର୍ଡ ହାସଲ କରିଛନ୍ତି ଶିଭାନ୍ସ । କୁନି କୁନି ଓଠରେ ଅନର୍ଗଳ କହି ଚାଲିଛନ୍ତି ଅସରନ୍ତି ପ୍ରଶ୍ନର ଉତ୍ତର । ଏହି କୁନି ପୁଅ  ନିଜ ବାପା ଓ ମାଆଙ୍କ ତତ୍ୱାବଧାନରେ ନିଜର ପ୍ରତିଭା ପ୍ରକାଶ କରିଛନ୍ତି।

ଜଗତସିଂହପୁର ରଘୁନାଥପୁର ବ୍ଲକ ଅନ୍ତର୍ଗତ ଛପଡା ପଞ୍ଚାୟତର ଛପଡା  ଗାଁରେ ୨୦୨୧ ମସିହା ଜୁନ୍ ମାସ ୨୮  ତାରିଖରେ ପିତା ଲକ୍ଷ୍ମୀନାରାୟଣ ବିଶ୍ୱାଳ ଓ ମାତା ଶୁଭସନ୍ଧ୍ୟା ପ୍ରଧାନଙ୍କ କୋଳ ମଣ୍ଡନ କରିଥିଲେ ଶିଭାନ୍ସ । ବାପା ଏକ ଘରୋଇ କମ୍ପାନୀରେ ଚାକିରି କରିଥିବା ବେଳେ, ମାଆ ଗୃହିଣୀ । ତେବେ ଶିଭାନ୍ସଙ୍କ ପ୍ରତିଭାକୁ ପରିପ୍ରକାଶ କରାଇବାରେ ମାଆ ଶୁଭସନ୍ଧ୍ୟାଙ୍କ ବିଶେଷ ଭାବେ ହାତରହିଛି । ଜେନେରାଲ ନଲେଜ ବାସାଧାରଣ ଜ୍ଞାନଠାରୁ ଆରମ୍ଭ କରି ବେଦ ଓ ଶ୍ଳୋକ ଆଦି କୁନି ଓଠରେ ମିଠା ମିଠା ଶବ୍ଦ ଶୁଣି ଶୁଣି ସମସ୍ତେ  ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ।

ଏତେ କମ୍ ବୟସରେ ନିଜର ଜ୍ଞାନ ଗାରିମା ପାଇଁ ସେ ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନ ପାଇ ଯୋଗ୍ୟ ବିବେଚିତ ହୋଇ ମେଡାଲ ପାଇଛନ୍ତି । ସର୍ବଭାରତୀୟ ସ୍ତରରେ ହେଉଥିବା ଏହି ପ୍ରତିଯୋଗିତାରେ ସେ ୨୦ଟି ଫୁଲର ନାମ, ୨୦ଟି ଫଳର ନାମ, ଭାରତର ୨୮ ରାଜ୍ୟର ରାଜଧାନୀ, ୨୬ ଟି ଇଂରାଜୀ ଶବ୍ଦର ଅନୁବାଦନ, ୭୦ଟି ସାଧାରଣ ଜ୍ଞାନ ସହ ୧୦ଟି ମନ୍ତ୍ର, ୧୦ଟି  ରାଇମ୍ସ, ୨୦ ସ୍ୱାଧୀନତା  ସଂଗ୍ରାମୀଙ୍କ ନାମ, ୧୦ ଟି କମ୍ପୁଟର ଯନ୍ତ୍ରାଂଶର ନାମ ଓ ୧୩ଜଣ ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କର ନାମକୁ କହିପାରୁଛନ୍ତି ।

ତାସହିତ ଏହି କୁନି ବିସ୍ମୟ ବାଳିକ ୧୫ଟି ପଶୁ ମାନଙ୍କ ଛୁଆଙ୍କ ନାମ ଇଂରାଜୀରେ କହିପାରୁଥିବା ବେଳେ, ରାଜ୍ୟର ରାଜଧାନୀ ଓ କେନ୍ଦ୍ରଶାସିତ ଅଂଚଳର ନାମ ନିମିଷକେ କହିପାରୁଛି । ଏଥିପାଇଁ  ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ତାଙ୍କ ନାମ ସ୍ଥାନ ପାଇ ସେ ସମ୍ବର୍ଦ୍ଧିତ ହୋଇଛନ୍ତି । କୁନି ପ୍ରତିଭା ଶିଭାନ୍ସଙ୍କ ଏହି ସଫଳତା ପରେ ସେ ଭବିଷ୍ୟତରେ ଅନେକ ସଫଳତା ହାସଲ କରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି ବାପା ,ଦାଦା ଓ ପଡୋଶୀ ।

ଜଗତସିଂହପୁର ନାମକୁ ଗୌରବାନ୍ୱିତ କରିଥିବା ଏହି କୁନି ପ୍ରତିଭା ଶିଭାନ୍ସଙ୍କର ଏହି ସଫଳତାକୁ ନେଇ କେବଳ ପରିବାର ନୁହନ୍ତି ବରଂ ଆଖପାଖ ଅଂଚଳର ଲୋକମାନେ ଖୁସିବ୍ୟକ୍ତ କରିବା ସହିତ ଶିଭାନ୍ସଙ୍କ ସଫଳ ଭବିଷ୍ୟତ କାମନା କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like