ଅଙ୍ଗନବାଡ଼ି ଛତୁଆ ଖାଇ ଚାଲିଗଲା ୨ ଶିଶୁଙ୍କ ପ୍ରାଣ, ଦୁଇ ଗୁରୁତର

ଗଜପତି : ଛତୁଆ ଖାଇ ଜୀବନ ଗଲା । ଛତୁଆ ସ୍ବାସ୍ଥ୍ୟ ପାଇଁ କେତେ ଉପଯୋଗୀ ସମସ୍ତେ ଜାଣନ୍ତି । ଛୋଟ ପିଲାଠୁ ଆରମ୍ଭ କରି ବଡ଼ ଲୋକ ପର୍ଯ୍ୟନ୍ତ ଏହି ଛତୁଆ ଖାଇବାକୁ ପସନ୍ଦ କରିଥାଆନ୍ତି । କିନ୍ତୁ ଏହି ଛତୁଆ ଖାଇ ଏମିତି ଜୀବନ ଯିବ ସେକଥା ଏଇ କୁନି କୁନି ପିଲା ୨ ଜଣ କେବେ ସ୍ବପ୍ନରେ ସୁଦ୍ଧା ଭାବି ନଥିଲେ । ଖାଲି କୁନି ପିଲା ନୁହଁନ୍ତି ବଡ଼ ଲୋକ ମଧ୍ୟ ଛତୁଆ ଖାଇ ଗୁରୁତର ହୋଇଛନ୍ତି ।
ହଁ ଆଜ୍ଞା, ଅଙ୍ଗନବାଡ଼ି ଛତୁଆ ଖାଇ ଚାଲିଗଲା ୨ ଶିଶୁଙ୍କ ପ୍ରାଣ । ଗୋଟିଏ ପରିବାରର ଦୁଇ ମୃତ୍ୟୁ ବରଣ କରିଥିବା ବେଳେ ଦୁଇ ଗୁରୁତର ଅଛନ୍ତି । ଗତକାଲି ରାମଗିରି ସ୍ୱାସ୍ଥ୍ୟ କେନ୍ଦ୍ରରେ ଗୋଟେ ଝିଅର ମୃତ୍ୟୁ ଘଟିଥିବା ବେଳେ ରାତିରେ ପାରଳାଖେମୁଣ୍ଡି ହସ୍ପିଟାଲରେ ଆଉ ଜଣେ ଝିଅର ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଥିଲା l ଗୁରତର ଥିବା ବାପ ଓ ଝିଅ ଗତକାଲି ରାତିରୁ ବ୍ରହ୍ମପୁର ମେଡିକାଲରେ ଚିକିତ୍ସିତ ହେଉଛନ୍ତି l ମୃତକମାନେ ହେଉଛନ୍ତି ୬ ବର୍ଷୀୟ ତୁଳସୀ ବଡ଼ମୁଣ୍ଡି ଓ ୩ ବର୍ଷୀୟ ଗୁଣବତୀ ବଡ଼ମୁଣ୍ଡି । ସେହିପରି ୧୨ ବର୍ଷୀୟ ସୁମିତ୍ରା ବଡ଼ମୁଣ୍ଡି ଓ ତାଙ୍କ ବାପା ଅର୍ଜୁନ ବଡ଼ମୁଣ୍ଡି ଅସୁସ୍ଥ ହୋଇଛନ୍ତି । ମୃତ ତୁଳସୀ ହେଉଛି ଶିବଶଙ୍କର ବଡ଼ମୁଣ୍ଡିଙ୍କ ଝିଅ । ୨ମୃତ ଶିଶୁକନ୍ୟା ସଂପର୍କୀୟ ବୋଲି ଜଣାପଡ଼ିଛି ।
ତେବେ ଶିବଶଙ୍କର ବଡ଼ମୁଣ୍ଡି ଓ ତାଙ୍କ ପତ୍ନୀ ଗତକାଲି ଦିନ ଗୋଟାଏରେ ତୁଳସୀ ଓ ଗୁଣବତୀଙ୍କୁ ଅସୁସ୍ଥ ଅବସ୍ଥାରେ ରାମଗିରି ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସାଢ଼େ ୪ଟାରେ ତୁଳସୀଙ୍କ ମୃତ୍ୟୁ ହୋଇଥିଲା । ଦୁଇ ଶିଶୁକନ୍ୟାଙ୍କ ଏଭଳି ଅବସ୍ଥା ଦେଖି ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ବ୍ରଜରାଜ କର ଏହାର କାରଣ ଜାଣିବାକୁ ଚାହିଁଥିଲେ । ପଚରାଉଚରା ପରେ ପରିବାରର ୪ଜଣ ଛତୁଆ ଖାଇ ଅସୁସ୍ଥ ହୋଇଥିବା ଜଣାପଡ଼ିଥିଲା । ଡାକ୍ତରଙ୍କ ପରାମର୍ଶ କ୍ରମେ ସୁମିତ୍ରା ଓ ତାଙ୍କ ବାପା ଅର୍ଜୁନଙ୍କୁ ମଧ୍ୟ ରାମଗିରି ଡାକ୍ତରଖାନାକୁ ଅଣାଇଥିଲା। ସମସ୍ତଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ରାତି ସାଢ଼େ ୯ଟାରେ ଗୁଣବତୀଙ୍କ ମୃତ୍ୟୁ ଘଟିଥିଲା । ପରେ ସୁମିତ୍ରା ଓ ଅର୍ଜୁନଙ୍କୁ ରାତିରେ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ପଠାଯାଇଛି ।
ତେବେ ଗତ ଗୁରୁବାର ଦିନ ରାମଗିରି ହାଟପଦା ଅଙ୍ଗନବାଡ଼ିରୁ ମିଳିଥିବା ଛତୁଆକୁ ପରିବାରବର୍ଗ ଖାଇଥିଲେ । ଏନେଇ ରାମଗିରି ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଘଟଣାକୁ ଗୁରୁତ୍ବର ସହ ନେଇଛନ୍ତି ଜିଲ୍ଲା ପ୍ରଶାସନ । ପ୍ରଶାସନ ପକ୍ଷରୁ ରାମଗିରିରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସେପଟେ ଛତୁଆ ଖାଇ ମୃତ୍ୟୁ ଘଟଣାକୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଖଣ୍ଡନ କରିବା ସହ ତଦନ୍ତ ପରେ ହିଁ ସବୁ କିଛି ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି । ଏଠି ପ୍ରଶ୍ନ ଉଠୁଛି ଛତୁଆ କଣ ଏହି ଗୋଟିଏ ପରିବାର ଖାଇଥିଲେ ? ଛତୁଆ ଯୋଗୁଁ ଅନ୍ୟ ଲୋକଙ୍କର କିଛି କ୍ଷତି ଘଟିଥିବା ନେଇ ସାମ୍ନାକୁ ଆସିନି । ତେବେ ପ୍ରକୃତରେ ଛତୁଆ ଖାଇ ନା’ ଅନ୍ୟ କୌଣସି ବିଷକ୍ରିୟାରୁ ଦୁଇ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି ତାହା ତଦନ୍ତ ପରେ ସାମ୍ନାକୁ ଆସିବ ।
Also Read:ଟଙ୍କା ଓ ସୁନା ଲୋଭରେ ହିତାହିତ ଜ୍ଞାନ ହରାଇ ବସୁଛନ୍ତି ଲୁଟେରା, ଆକ୍ରମଣ କରି ଲହୁଲୁହାଣ କରୁଛନ୍ତି