ଦୋଷ କଲା କିଏ ଆଉ ଭୋଗିଲା କିଏ? ଅକାଳରେ ଚାଲିଗଲେ ରତ୍ନାକର ଓ ଚନ୍ଦନ

ପାରାଦୀପ: ବାପ୍ ରେ କି ଦୁର୍ଘଟଣା । ଏ ଦୃଶ୍ୟ ଦେଖିଲେ ଯାଇ ଦୁର୍ଘଟଣା କେତେ ଭୟଙ୍କର ଥିଲା ଅନୁମାନ କରିପାରିବେ । ଗାଡ଼ିର ଅବସ୍ଥା ଦେଖିଲେ ଯେ କେହିବି ଜାଣି ପାରିବ କ୍ଷତି କେତେ ବଡ ହୋଇଥିବ । ସତରେ ମୃତ୍ୟୁ ଯେତେବେଳେ ଆସେ, ନା ଦେଖେ ସମୟ ନା ଦେଖେ ମଣିଷ । ନା ଦେଖେ ପର କି ଆପଣାର । ସମ୍ପୂର୍ଣ୍ଣ ସୁସ୍ଥ ଥିବା ମଣିଷ ବି କେତେବେଳେ ଯେ ଯମ ହାବୁଡ଼ରେ ପଡ଼ିଯିବ ସେ କଥା କେହି କହି ପାରିବେ ନାହିଁ । ଠିକ୍ ଏମିତି କିଛି ଘଟିଛି ବନ୍ଦର ନଗରୀ ପାରାଦୀପରେ।

ମର୍ମନ୍ତୁଦ, ଛାତିଥରା ସଡକ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଚାଲି ଯାଇଛି ଦୁଇ ଜଣ ଡ୍ରାଇଭରଙ୍କ ଜୀବନ । ହାଇୱାକୁ ଆଇରନ୍ ବୋଝେଇ ଟ୍ରକ୍ ଧକ୍କା ଦେଲା ପରେ ଘଟିଛି ଏହି ଅଘଟଣ । ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ଦୁଇ ଜଣ ଡ୍ରାଇଭର ଏକ ବ୍ରେକ୍ ଡାଉନ୍ ହାଇୱାରେ ମରାମତି କାମ କରୁଥିବା ବେଳେ ସେମାନଙ୍କ ମୃତ୍ୟୁ ଯେ ସେଇଠି ଲେଖାଥିଲା ଏକଥା କିଏ କାହିଁକି ବା କଳ୍ପନା କରିବ ? ତେବେ ଏକ ଆଇରନ ବୋଝେଇ ଟ୍ରକ ଯମଦୂତ ଭଳି ଆସି ଧକ୍କା ଦେଲା । ଧକ୍କା ଦେଇଥିବା ଟ୍ରକ ଡ୍ରାଇଭର ତୁରନ୍ତ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା । ଦେଖିଲା ନାହିଁ ତାର ଅସାବଧାନତା କିଭଳି ଦୁଇଜଣଙ୍କ ଜୀବନ ନେଇଗଲା । ଦୁର୍ଘଟଣା ପରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ବନ୍ଦରର ଦୁଇ ଓ ତିନି ନମ୍ବର ଗେଟ ସମ୍ମୁଖରେ ଧାରଣା ଦେଇଛନ୍ତି ହାଇୱା ଡ୍ରାଇଭର।

ଯାହା ଖବର ମିଳିଛି, ପାରାଦୀପ ବନ୍ଦର ର i-10 ପ୍ଲଟ୍ ସମ୍ମୁଖରେ ଏକ ହାଇୱା ଗାଡ଼ି ଖରାପ ହେବାରୁ ତାକୁ ଦୁଇ ଜଣ ଡ୍ରାଇଭର ମିଶି କ୍ୟାବିନ୍ ଭିତରେ ସଜାଡ଼ିବାକୁ ଚେଷ୍ଟା କରୁଥିଲେ । ଯେହେତୁ ବିଳମ୍ବିତ ରାତିରେ ଜଣଙ୍କର ହାଇୱା ଗାଡ଼ି ଖରାପ୍ ହୋଇଥିଲା ତେଣୁ ସେହି ଗାଡିର ଡ୍ରାଇଭର, ତାଙ୍କର ଆଉ ସହଯୋଗୀ ଡ୍ରାଇଭରଙ୍କୁ ଡାକି କାମ କରୁଥିଲେ । ଏହି ସମୟରେ ଏକ ଆଇରନ ବୋଝେଇ ଟ୍ରକ୍ ଦ୍ରୁତ ଗତିରେ ଆସି ହାଇୱାଟିକୁ ଧକ୍କା ଦେଇଥିଲା । ଯାହାଫଳରେ କ୍ୟାବିନ୍ ଭିତରେ ଥିବା ଦୁଇ ହାଇୱା ଡ୍ରାଇଭର ଚାପି ହୋଇ ଯାଇଥିଲେ । ଘଟଣା ପରେ ତୁରନ୍ତ ଅନ୍ୟ ଡ୍ରାଇଭରମାନେ ତାଙ୍କୁ ଚାପି ହୋଇଥିବା କ୍ୟାବିନରୁ ବାହାର କରି ସଙ୍ଗେ ସଙ୍ଗେ ଅଠରବାଙ୍କି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ମାତ୍ର ଆଉ କିଛି ବାକି ନଥିଲା । ଡାକ୍ତର ଉଭୟଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ।

ମୃତ ଦୁଇ ଡ୍ରାଇଭର ହେଲେ ରତ୍ନାକର ସ୍ୱାଇଁ ଓ ଚନ୍ଦନ ଜେନା । ରତ୍ନାକର ସ୍ୱାଇଁଙ୍କ ଘର ଅସ୍ତରଙ୍ଗ ଅଞ୍ଚଳରେ ଏବଂ ଚନ୍ଦନ ଜେନାଙ୍କ ଘର ସ୍ଥାନୀୟ ଷଣ୍ଢକୁଦ ବୋଲି ଜଣାପଡ଼ିଛି । ଏପଟେ ଧକ୍କା ଦେଇଥିବା ଆଇରନ ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଏହି ଘଟଣାକୁ ନେଇ ବନ୍ଦର ନିଷିଦ୍ଧାଞ୍ଚଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । କାମ ବନ୍ଦ କରି ପାଖାପାଖି ୧୨୦୦ ହାଇୱା ଡ୍ରାଇଭର ବନ୍ଦରର ଦୁଇ ନମ୍ବର, ତିନି ନମ୍ବର, ଚାରି ନମ୍ବର ସମେତ ଅନ୍ୟ ସବୁ ଗେଟ୍ ନିକଟରେ ଧାରଣା ଦେଇଛନ୍ତି । ରାତି ଦୁଇଟା ଠାରୁ ବର୍ଥରୁ ପ୍ଲଟକୁ ପଣ୍ୟ ପରିବହନ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ଯେ ପର୍ଯ୍ୟନ୍ତ ଦାବି ପୂରଣ ନ ହୋଇଛି ସେ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଶ୍ରମିକମାନେ ଚେତାବନୀ ଦେଇଛନ୍ତି ।

ଆଜି ଚନ୍ଦନ ତାଙ୍କ ପତ୍ନୀଙ୍କୁ ନେଇ ଡାକ୍ତରଖାନା ଯାଇଥାନ୍ତେ । ହେଲେ ସେ ନିଜେ ହିଁ ଏ ଦୁନିଆରୁ ସବୁଦିନ ପାଇଁ ଚାଲିଗଲେ । ଦୋଷ କଲା କିଏ ଆଉ ଭୋଗିଲା କିଏ? ଜଣଙ୍କ ଅସାବଧନତା, ଦାୟିତ୍ୱହୀନତା ପାଇଁ ଚାଲିଗଲା ଦୁଇ ଦୁଇଟି ଜୀବନ । ଅକାରଣରେ ଉଜୁଡି ଗଲା ଚନ୍ଦନ ଓ ରତ୍ନାକରଙ୍କ ସଂସାର ।

ଆହୁରି ପଢନ୍ତୁ: ଅଟୋରେ ଲେଖା ହେବ ଡ୍ରାଇଭର ଓ ମାଲିକଙ୍କ ନାଁ, ଅଣ ଓଡ଼ିଆଙ୍କ ପାଇଁ ପୋଲିସ ଭେରିଫିକେସନ୍ ବାଧ୍ୟତାମୂଳକ