ଯନ୍ତ୍ରଣାରେ ଛଟପଟ ଗୋଟିଏ ପରିବାରାର ଦୁଇ ଜଣ ମୁରବି, ସହାୟତାକୁ ଅପେକ୍ଷା

ନରସିଂହପୁର: ଯନ୍ତ୍ରଣାରେ ଛଟପଟ । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଗୋଟିଏ ପରିବାରାର ଦୁଇ ଦୁଇ ଜଣ ମୁରବି ଏବେ ରୋଗ ଶଯ୍ୟାରେ । କଣ କରିବେ କିଛି ବୁଝିପାରୁନାହାନ୍ତି । ଦୁଇ ଶିଶୁ କନ୍ୟାଙ୍କ ଉପରେ ପରିବାରର ବୋଝ । ବଡ ଝିଅଟିକୁ ୭ ବର୍ଷ ଓ ସାନ ଝିଅଟିକୁ ୪ବର୍ଷ । ଏମାନଙ୍କ ଉପରେ ଏବେ ନିର୍ଭର ପରିବାର । ଏପରି ଘଟଣା ଦେଖିବାକୁ ମିଳିଛି କଟକ ଜିଲା ନରସିଂହପୁର ବ୍ଲକ କମଳାଡିହ ଗ୍ରାମ ପଞ୍ଚାୟତରେ ।

ନରସିଂହପୁର ସଦର ମହକୁମା ଠାରୁ ୨୩ କିଲୋମିଟର ଦୂରରେ କମଲାଡିହ ଗ୍ରାମପଞ୍ଚାୟତ ଅବସ୍ଥିତ । ଏହି ପଞ୍ଚାଯତର ଉପର ସାହିରେ ରହନ୍ତି ଗିରିଶ ସିଠ ଓ ତାଙ୍କର ପରିବାର । ପରିବାର କହିଲେ ବାପା,ମା,ସ୍ତ୍ରୀ ଓ ଦୁଇ ଝିଅ । ନିଜେ ଗିରିଶ କିଛି ବର୍ଷ ତଳେ ଟ୍ରକ୍ ଚଳାଇ ଯାହା ପଇସା ରୋଜଗାର କରୁଥିଲେ ସେଥିରେ ଖୁସିରେ ଚଳିଯାଉଥିଲା ସଂସାର । ହେଲେ ହଠାତ୍ ଏକ ସଡକ ଦୁର୍ଘଟଣା ପରେ ଗିରିଶଙ୍କ ଜୀବନ ସମ୍ପୂର୍ଣ୍ଣ ବଦଳିଗଲା ।

ଗିରିଶଙ୍କର ଦୁଇଟି ଗୋଡ ଅକର୍ମଣ୍ୟ ହୋଇଗଲା । ବହୁ ଦିନ ଧରି ଡାକ୍ତରଖାନାରେ ପଡି ପଡି ନିଜର ସବୁ ସମ୍ପତି ବିକି ଦେଲା ପରେ ବି ଭଲ ହୋଇପାରିଲା ନାହିଁ । ଡାକ୍ତର କହିଲେ ଅପରେସନ ହେବ । ଯେଉଁଥି ପାଇଁ ବହୁତ ଟଙ୍କା ଦରକାରେ ପଡିବ । ତେବେ ଏତେ ଗୁଡାଏ ଟଙ୍କା ଆଣିବେ କେଉଁଠୁ । ତେଣୁ ଭାଗ୍ୟକୁ ଆଦରି ଘରକୁ ଫେରି ଆସିଥିଲେ । ସେହି ଦିନ ଠାରୁ ପଙ୍ଗୁ ହୋଇ ସହାୟତା ଅପେକ୍ଷାରେ ଗିରିଶ ।

sister

ଏମିତି ବେଳରେ ଗିରିଶଙ୍କ ଉପରେ ପୁଣି ଏକ ଦୁଃଖ ମାଡି ବସିଛି । ଯେଉଁ ସ୍ତ୍ରୀ କୁ ହାତଧରୀ ସାରା ଜୀବନ କଟାଇବେ ବୋଲି ଭାବିଥିଲେ, ସେହି ସ୍ତ୍ରୀ ଏବେ ଅଜଣା ରୋଗରେ ପୀଡିତ । ଦେହ ହାତ, ପାଟି ସବୁଠି ଘା ହୋଇଯାଇଛି । ଟଙ୍କା ଅଭାବରୁ ତାଙ୍କୁ ଡାକ୍ତର ଦେଖାଇ ପାରୁନାହାନ୍ତି ଗିରିଶ । ଯାହାଫଳରେ ରୋଗରେ ବହୁ ଯନ୍ତ୍ରଣା ଭୋଗୁଛନ୍ତି ସ୍ତ୍ରୀ ସଙ୍କୁନ୍ତଳା ସିଠ । ଏବେ ବେସାହାରା ପରିବାର ।

ବୃଦ୍ଧ ବାପା କାମ କରିପାରୁନାହାନ୍ତି ତେଣୁ ଘର ସମ୍ଭାଳିବା ପାଇଁ ଏବେ ଦୁଇ ଶିଶୁ କନ୍ୟା । ତେବେ ଗରିବ ପରିବାରର ଏପରି ଦୂଖଦେଖିବା ପରେ ସରକାର ଓ ବିଭିନ୍ନ ସାମାଜିକ ସଂଗଠନ ଓ ବଦ୍ୟାନ ବ୍ୟକ୍ତି ସାହାଯ୍ୟ କରିବା ପାଇଁ ନିବେଦନ କରିଛନ୍ତି ଗ୍ରାମବାସୀ ଓ ଡ୍ରାଇଭର ସଂଘ ସଭାପତି । ଏନେଇ ଆମେ ଏହାର ପ୍ରତିକାର ନିମନ୍ତେ ସ୍ଥାନୀୟ ସରପଞ୍ଚଙ୍କୁ ଯୋଗାଯୋଗ କରିବା ପରେ ସେ କିଛି କହିନଥିଲେ । ଏହା ପରେ ବିଡିଓଙ୍କ ସହ ଯୋଗାଯୋଗ ପରେ ସେ ନିଜେ ଯାଇ ଦେଖିବେ ଓ ଯାହା ହୋଇପାରିବ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

ଗରିବ ଘରର ରୋଜଗାରକ୍ଷମ ବ୍ୟକ୍ତି ଯଦି ଆକର୍ମଣ୍ୟ ହୋଇଯାଏ, ତେବେ ସେହି ଘରର ଅବସ୍ଥା ଯେ କଣ ହେବ, ତାହା ନିଜେ ନଦେଖିଲେ ବିଶ୍ୱାସ କରିହେବ ନାହିଁ । ଯଥାଶୀଘ୍ର ଗିରିଶଙ୍କ ପରିବାରକୁ ସରକାରୀ ସହାୟତା ମିଳିଛି ନିହାତୀ ଜରୁରୀ ।

 

You might also like