ଅଧା ରହିଗଲା ଓଏସ୍ଏସ୍ସି ପରୀକ୍ଷା, ଦୌଡୁ ଦୌଡୁ ଟଳିପଡ଼ିଲେ ୨ ପରୀକ୍ଷାର୍ଥୀ

ମେଡିକାଲରେ ଜମିଛି ପୋଲିସଙ୍କ ଗହଳି । ପାଖରେ ପଡିଛି ମୃତଶରୀର । ପରିବାର ଲୋକେ ଯେମିତି ସ୍ଥାଣୁ ପାଲଟିଯାଇଛନ୍ତି । ନିମିଷକ ଭିତରେ କ’ଣ ଘଟିଗଲା କେହି କିଛି ବୁଝି ପାରୁନାହାନ୍ତି । ଅକାଳରେ ଚାଲିଗଲା ନୀରହ ଜୀବନ । ଦଇବର ଏ କି ଖେଳ । ଓଏସ୍ଏସ୍ସି ପରୀକ୍ଷା ଦେବାକୁ ଯାଇଥିଲେ । ପରୀକ୍ଷାରେ ଉତ୍ତୀର୍ଣ ହୋଇ ଭଲ ଚାକିରୀ ଖଣ୍ଡେ କରିବେ । ନିଜ ବାପା ମାଙ୍କୁ ଗର୍ବିତ କରିବେ… ପରିବାର ଚଳାଇବେ । ଏମିତି କେତେ କଣ ସ୍ବପ୍ନ ଦେଖିଥିଲେ । କିନ୍ତୁ ଦଇବର ଖେଳ କିଛି ଭିନ୍ନ ଥିଲା । କ୍ଷଣକରେ ସବୁକିଛି ଓଲଟ ପାଲଟ ହୋଇଗଲା ।
ଅଧା ରହିଗଲା ଓଏସ୍ଏସ୍ସି ପରୀକ୍ଷା । ଫିଜିକାଲ୍ ଟେଷ୍ଟରେ ଦୌଡ଼ିବା ସମୟରେ ଟଳିପଡ଼ିଲେ ୨ ପରୀକ୍ଷାର୍ଥୀ । ହଁ ଆଜ୍ଞା ଓଏସ୍ଏସ୍ସି ପରୀକ୍ଷାରେ ଅଘଟଣ । ଫରେଷ୍ଟର ଏବଂ ଲାଇଭ୍ ଷ୍ଟକ୍ ଇନ୍ସପେକ୍ଟର ପଦବୀ ନିଯୁକ୍ତି ପାଇଁ ଗତକାଲି ବିଭିନ୍ନ ସ୍ଥାନରେ ଚାଲିଥିଲା ଫିଜିକାଲ୍ ଟେଷ୍ଟ । ସମସ୍ତଙ୍କ ମନରେ ଗୋଟିଏ ଚିନ୍ତା କେମିତି ଏ ଫିଜିକାଲ୍ ଟେଷ୍ଟରେ ଭଲ କରି ଓଏସ୍ଏସ୍ସି ପାଇବେ । କିନ୍ତୁ ଏହାରି ଭିତରେ ଘଟିଯାଇଛି ଏକ ଦୁଃଖଦାୟୀ ଘଟଣା । ଅକାଳରେ ଚାଲିଯାଇଛି ୨ ଜଣଙ୍କ ଜୀବନ ।
ଶାରିରୀକ ପରୀକ୍ଷା ଚାଲିଥିବା ସମୟରେ କେନ୍ଦୁଝରର ବ୍ୟୋମକେଶ ନାୟକ ଓ ସୁନ୍ଦରଗଡର ପ୍ରବୀଣ କୁମାର ପଣ୍ଡାଙ୍କ ମୃତ୍ୟୁ ଘଟିଛି । ଖବର ଅନୁଯାୟୀ, ରାଉରକେଲାର ବ୍ୟାଚ୍ ନମ୍ବର ଏ ୦୨ ପ୍ରବୀଣ କୁମାର ପଣ୍ଡା । ଭବାନୀପୁରରୁ ବାରଗାଡ ଯାଏଁ ୨୫ କିଲୋମିଟରର ଦୌଡ଼ ପରୀକ୍ଷା ଚାଲିଥିଲା । ଏହି ସମୟରେ ଚାଲିଯାଇଛି ଦୁଇ ଦୁଇ ଜଣ ପରୀକ୍ଷାର୍ଥୀଙ୍କ ଜୀବନ । ୨୫ କିଲୋମିଟରର ଦୌଡ଼ ପରୀକ୍ଷା ସମୟରେ କିରେଇ ଛକ ନିକଟରେ ହଠାତ ଟଳି ପଡ଼ିଥିଲେ ପ୍ରବୀଣ । ଯାହାପରେ ତାଙ୍କୁ ତୁରନ୍ତ ଉଦ୍ଧାର କରି ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ।
ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ କେନ୍ଦୁଝରର ବ୍ୟୋମକେଶ ନାୟକ ମଧ୍ୟ ୨୫ କିମି ଦୌଡ଼ ସାରିବା ପରେ ବେହୋସ ହୋଇ ଯାଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ କଟକ ବଡ଼ଡ଼ାକ୍ତରଖାନାକୁ ସ୍ତାନାତର ହୋଇଥିଲେ । କଟକରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ସତରେ ମଣିଷ ଜୀବନ ପାଣି ଫୋଟକା । ଆଜି ଅଛି ତ କାଲିକୁ ନାହିଁ । ବୋଧହୁଏ ସେଥିପାଇଁ କୁହାଯାଏ ମୃତ୍ୟୁ ଅନିଶ୍ଚିତ । ମୃତ୍ୟୁ ଆସିବା ପୂର୍ବରୁ ନା ଦେଖେ ସମୟ ନା ଦେଖେ ସ୍ଥାନ ।
କିନ୍ତୁ ମୃତ୍ୟୁର ଏମିତି କିଛି ଭୟାନକ ଓ ଦୁଃଖଦାୟୀ ଘଟଣା ଘଟିଥାଏ ଯାହା ବିଷୟରେ କଳ୍ପନା କରିବା ସମ୍ଭବ ନୁହେଁ । ତେବେ ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ସେମାନଙ୍କ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ଏହା ସହିତ ମୁଖ୍ୟମନ୍ତ୍ରୀ ଏହି ଦୁଇ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କରିଛନ୍ତି । ଏହି ସହାୟତା ରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ପ୍ରଦାନ କରାଯିବ । ଅନ୍ୟପଟେ ଭେଣ୍ଡିଆ ପୁଅଙ୍କର ଏଭଳି ଅଚାନକ ମୃତ୍ୟକୁ ନେଇ ଭାଙ୍ଗି ପଡିଛନ୍ତି ପରିବାର ଲୋକେ ।
Also read: ଅଧା ରହିଗଲା ସ୍ୱପ୍ନ , ମାଟ୍ରିକ୍ ପରୀକ୍ଷା ଦେବାକୁ ବାହାରିବା ବେଳେ ଟଳିପଡ଼ିଲେ ଛାତ୍ର