ଫଣା ଟେକି ଫଁ ଫଁ ଗର୍ଜନ କରି ମାଡି ଆସିଲା ୨୦ଫୁଟିଆ ଅହିରାଜ, ଧରିବାକୁ ନାକେଦମ୍ ସ୍ନେକ ହେଲ୍ପଲାଇନ ସଦସ୍ୟ

ଗଜପତି: ଫଣା ଟେକି ଫଁ ଫଁ ଗର୍ଜନ କରି ମାଡି ଆସିଲା କିଙ୍ଗ କୋବ୍ରା ବା ଅହିରାଜ । ଦେଖଣାହାରୀ ଦେଖି ଚକିତ । ଇଣ୍ଟରନେଟରେ ଏହି ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଭିଡି଼ଓଟିକୁ ଦେଖି କିଛି ଜଣ ଭୟବିତ ହୋଇଯାଉଥିବା ବେଳେ କିଛି ଜଣ ଏହାର ଖୁବ ମଜା ଉଠାଉଛନ୍ତି । ଭିଡିଓଟିକୁ ଭଲରେ ଦେଖିଲେ ଆପଣ ଜାଣିପାରିବେ ବିରାଟକାୟ ଏକ ଅହିରାଜ ସାପ କେମିତି ଏକ ବିଦ୍ୟାଳୟ ଶ୍ରେଣୀ ଗୃହ ଭିତରେ ପଶି ଯାଇଥିବାବେଳେ ସ୍ନେକ ହେଲ୍ପଲାଇନର ସଦସ୍ୟ ମାନେ ତାକୁ ଉଦ୍ଧାର କରିବାରେ ଲାଗିପଡିଛନ୍ତି ଏବଂ ଶେଷରେ ସେମାନେ ସଫଳ ବି ହୋଇଛନ୍ତି ।
ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସଦରସ୍ଥ ଏସ୍ଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବୁଧବାର ସନ୍ଧ୍ୟାରେ ଦେଖିବାକୁ ମିଳିଥିଲା ଏହି ଦୃଶ୍ୟ । ପ୍ରାୟ ୨୦ ଫୁଟ ଲମ୍ବାର ଏକ ବିରାଟକାୟ ଅହିରାଜ ସାପ ଉଦ୍ଧାର ହୋଇଛି ଏହି ବିଦ୍ୟାଳୟ ପରିସରରୁ । ଗଞ୍ଜାମ ଜିଲ୍ଲା ଚିକିଟିରୁ ସ୍ନେକ ହେଲ୍ପଲାଇନର ସଦସ୍ୟ ମାନେ ଆସି ତାକୁ ଉଦ୍ଧାର କରିଥିବା ଜଣାପଡିଛି । ସୂଚନା ମୁତାବକ, ଗତ କିଛି ଦିନ ହେବ ବିଦ୍ୟାଳୟ ପରିସରରେ ଉକ୍ତ ସାପଟି ବୁଲା ବୁଲି କରୁଥିବା ବେଳେ ତାକୁ କେହି ଧରି ପାରୁନଥିଲେ ।
ହେଲେ ଗତକାଲି ବୁଧବାର ସନ୍ଧ୍ୟାରେ ବିଦ୍ୟାଳୟ ପରିସରରେ ଥିବା ଷଷ୍ଠ ଶ୍ରେଣୀ ଗୃହକୁ ସାପ ଟି ପଶି ଆସିଥିବା ବେଳେ ସେଠାକାର କର୍ମଚାରୀ ମାନେ ଉପସ୍ଥିତ ବୁଦ୍ଧି ଖଟାଇ ଶ୍ରେଣୀ ଗୃହର କବାଟ ବନ୍ଦ କରିଦେଇଥିଲେ । ଯାହା ଫଳରେ ସାପଟି ବାହାରକୁ ବାହାରି ପାରିନଥିଲା । ସାପକୁ ଦେଖି ବିଦ୍ୟାଳୟ କତୃପକ୍ଷ ତୁରନ୍ତ ସ୍ନେକ ହେଲ୍ପଲାଇନ କୁ ଜଣାଇଥିଲେ । ସାପଟି ପ୍ରାୟ ତିନି ଘଣ୍ଟା ଧରି ବନ୍ଦ କୋଠରୀ ଭିତରେ ରହିଥିଲା । ଗଞ୍ଜାମ ଜିଲ୍ଲାରୁ ସ୍ନେକ ହେଲ୍ପଲାଇନର ଦୁଇ ଜଣ ସଦସ୍ୟ ରାମଚନ୍ଦ୍ର ସାହୁ ଓ ଜଗନ୍ନାଥ ସାହୁ ଆସି ସାପଟିକୁ ଉଦ୍ଧାର କରିବାରେ ସଫଳ ହୋଇଥିବା ଜଣାପଡ଼ଛି l
ସାପଟିକୁ ଉଦ୍ଧାର କରିବା ପାଇଁ ସେମାନଙ୍କୁ ନାକେଦମ୍ ହେବାକୁ ପଡ଼ିଥିଲା । ପ୍ରାୟ ଅଧ ଘଣ୍ଟା ପରେ ସାପଟି ଧରାପଡ଼ିଥିଲା । ଫଣା ଟେକି ଫଁ ଫଁ ଗର୍ଜନ କରୁଥିବା ଏହି ୨୦ ଫୁଟ ଲମ୍ବାର ଏହି ଅହିରାଜକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କର ପ୍ରବଳ ଗହଳି ଜମାଇଥିଲେ । ଉକ୍ତ ସାପଟି ଭାରତର ସବୁଠାରୁ ବିଷଧର ସାପ ବୋଲି କୁହାଯାଇଥାଏ । କିଙ୍ଗ କୋବ୍ରା ବା ଅହିରାଜର ଲମ୍ବ ପ୍ରାୟ ୧୨ ରୁ ୧୩ ଫୁଟ ଥାଏ କିନ୍ତୁ ବେଳେବେଳେ ୨୦ ଫୁଟରୁ ଅଧିକ ଲମ୍ବର ସାପ ବି ଉଦ୍ଧାର ହୋଇଥାନ୍ତି । ଅହିରାଜ ନିଜ ଶରୀରର ଏକ ତୃତୀୟାଂଶକୁ ଭୂମିରୁ ଉଠାଇପାରନ୍ତି । ଅହିରାଜ ସାପ ନିଜ ଶିକାରକୁ ଭୟଭୀତ କରିବା ପାଇଁ ଏଭଳି ଉଚ୍ଚ ପର୍ଯ୍ୟନ୍ତ ଉଠିଥାନ୍ତି ।
ଆହୁରି ପଢନ୍ତୁ: ସେଲଫି ନେଲା ବେଳେ ମହୁମାଛି ଆକ୍ରମଣ, ପାଣି ଟାଙ୍କି ଭିତରକୁ ଡେଇଁ ପଡ଼ିଲେ ୩ ଯୁବକ