ହାଇଦ୍ରାବାଦ: ସମୃଦ୍ଧି ପ୍ରଦାନକାରୀ ୨୧ କିଲୋର ଗଣେଶ ଲଡୁ, ୧୮.୯୦ ଲକ୍ଷ ଟଙ୍କାରେ ହେଲା ନିଲାମ

ହାଇଦ୍ରାବାଦର ବାଲାପୁର ଗଣେଶଙ୍କର ଲୋକପ୍ରିୟ ୨୧ କିଲୋ ଲଡୁ ରବିବାର ୧୮.୯୦ ଲକ୍ଷ ଟଙ୍କାରେ ସର୍ବକାଳୀନ ରେକର୍ଡ ସହିତ ନିଲାମ୍‌ ହୋଇଛି। ଆନ୍ଧ୍ର ପ୍ରଦେଶ ବିଧାନ ପରିଷଦର ସଦସ୍ୟ ରମେଶ ଯାଦବ ତେଲେଙ୍ଗାନା ନାଦରଗୁଲର ଜଣେ ବ୍ୟବସାୟୀ ମ୍ୟାରୀ ଶଶନ ରେଡ୍ଡୀଙ୍କ ସହିତ ମିଶି ଏହି ପ୍ରସିଦ୍ଧ ଲଡୁ କିଣିଛନ୍ତି।

ଏହାର ନିଲାମୀ ଡାକ ୧,୧୧୬ ଟଙ୍କାରୁ ଆରମ୍ଭ ହୋଇଥିଲା। ବର୍ତ୍ତମାନ ଏହି ଲଡୁକୁ କିଣି ରମେଶ ଯାଦବ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ଵାଇ ଏସ୍‌ ଜଗନ ମୋହନ ରେଡ୍ଡୀଙ୍କୁ ଉପହାର ଦେଇଛନ୍ତି। ୨୦୧୯ରେ କୋଲାନୁ ରାମ ରେଡ୍ଡୀ ନାମକ ବ୍ୟବସାୟୀ ତଥା ଚାଷୀ ୧୭.୬୦ ଲକ୍ଷ ଟଙ୍କାରେ ଲଡୁ କିଣିଥିଲେ। ସେ ମଧ୍ୟ ଚଳିତ ବର୍ଷ ନିଲାମୀରେ ଭାଗ ନେଇଥିଲେ।

ନିଲାମୀ ପ୍ରକ୍ରିୟାକୁ ଦେଖିବା ପାଇଁ ରାଜ୍ୟର ଶିକ୍ଷାମନ୍ତ୍ରୀ ପି. ସବିତା ଇନ୍ଦ୍ରା ରେଡ୍ଡୀ, ପୂର୍ବତନ ବିଧାୟକ ଟି. କୃଷ୍ଣା ରେଡ୍ଡୀ ଓ ଅନ୍ୟ ରାଜନେତା ମଧ୍ୟ ଉପସ୍ଥିତ ଥିଲେ। ସହର ଉପକଣ୍ଠ ବାଲାପୁର ଗାଁରେ ଲଡୁର ବାର୍ଷିକ ନିଲାମୀ ପ୍ରତିବର୍ଷ ଗଣେଶ ବିସର୍ଜନ ଶୋଭାଯାତ୍ରା ସମୟରେ କରାଯାଇଥାଏ। ଏହି ଶୋଭାଯାତ୍ରା ସହରର ମଧ୍ୟ ଭାଗରେ ଥିବା ହୁସୈନ ସାଗର ହ୍ରଦ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ବିଭିନ୍ନ ଅଞ୍ଚଳ ଦେଇ ଯାଇଥାଏ।

ଚଳିତବର୍ଷ ନିଲାମୀର ଆୟୋଜନ କରିଥିବା ବାଲାପୁର ଗଣେଶ ଉତ୍ସବ ସମିତି ମୁତାବକ, ୧୯୯୪ରେ ହୋଇଥିବା ପ୍ରଥମ ନିଲାମୀରେ ଲଡୁ ୪୫୦ ଟଙ୍କାରେ ବିକ୍ରି ହୋଇଥିଲା। ସେବେଠାରୁ ଏହି ମିଠାର ଲୋକପ୍ରିୟତା ଏବଂ ଦାମ୍‌ ବଢ଼ି ଯାଇଥିଲା। ବିଶ୍ୱାସ ରହିଛି କି, ଏହି ଲଡୁ ବିଜେତାଙ୍କ ପାଇଁ ସମୃଦ୍ଧି ଆଣିଥାଏ। ଏଣୁ ପ୍ରତ୍ୟେକ ବର୍ଷ ବ୍ୟବସାୟୀ ଓ ରାଜନେତାମାନେ ନିଲାମ ଡାକ ଲଗାଇବା ପାଇଁ ପରସ୍ପର ସହ ପ୍ରତିଦ୍ୱନ୍ଦ୍ୱିତା କରିଥାଆନ୍ତି।

୨୦୧୮ରେ ଲଡୁକୁ ୧୬.୬୦ ଲକ୍ଷ ଟଙ୍କାରେ ନିଲାମ କରାଯାଇଥିଲା। ଗତବର୍ଷ ନିଲାମୀ ରଦ୍ଦ କରାଯାଇଥିଲା। କାହିଁକି ନା, କୋଭିଡ୍‌-୧୯ ମହାମାରୀ କାରଣରୁ କୌଣସି ବି ସାର୍ବଜନିକ ସମାରୋହ ଆୟୋଜନ ହୋଇ ନ ଥିଲା। ସୂଚନାଥାଉ କି, କୋଲାନୁ ରାମ ରେଡ୍ଡୀ ୧୯୯୪ରେ ପ୍ରଥମ ନିଲାମୀରେ ଲଡୁ କିଣିଥିଲେ ଏବଂ ଲଗାତାର ୫ ବର୍ଷ ପର୍ଯ୍ୟନ୍ତ ସଫଳ ନିଲାମ ଡାକ ଲଗାଇଥିଲେ। ଯେମିତି ଯେମିତି ସେ ନିଲାମ ଜିତି ସମୃଦ୍ଧିର ଦାବି କରୁଥିଲେ, ତ ଲଡୁ ସେତିକି ସେତିକି ଲୋକପ୍ରିୟ ହୋଇ ଯାଉଥିଲା। ବିଜେତା କେବଳ ନିଜ ପରିବାର ଓ ସାଙ୍ଗଙ୍କ ମଧ୍ୟରେ ଲଡୁ ଖଣ୍ଡକୁ ବିତରଣ କରି ନ ଥାଆନ୍ତି, ବରଂ ନିଜ ଚାଷଜମି, ବେପାରସ୍ଥଳ ଏବଂ ଘରେ ଏହାର ଅବଶେଷକୁ ସିଞ୍ଚନ କରି ଥାଆନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.