ମହାବାତ୍ୟାକୁ ପୂରିଲା ୨୫ ବର୍ଷ, ଏବେବି ସେଦିନର କଥା ମନେ ପଡିଲେ ଥରିଉଠୁଛି ଛାତି

ଜଗତସିଂହପୁର: ଏବେ ବାତ୍ୟା “ଦାନା” ଛାଡିଯିବା ପରେ ଲୋକମାନେ ମନେ ପକାଉଛନ୍ତି ୧୯୯୯ ମସିହା ଅକ୍ଟୋବର ମାସ ୨୯ ତାରିଖ ସେହି ଛାତିଥରା ଘଟଣା । ସେଇଦିନ ସକାଳୁ ସକାଳୁ ପବନର ଗତି ଧିରେ ଧିରେ ବଢ଼ିଲା । ତାପରେ ଘୁ ଘୁ ଗର୍ଜନରେ ଆରମ୍ଭ ହେଲା ମହାବାତ୍ୟାର ତାଣ୍ଡବ । କଚାଘର ସବୁ ମାଟିରେ ମିଶିଗଲା । ସମୁଦ୍ର ମାଡି ଆସି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକର ଗୋଟେ ପରେ ଗୋଟେ ଗାଁକୁ ଭସେଇନେଲା । କିଏ ଗଛ ଉପରେ ତ କିଏ ଚାଳ ଉପରେ ରହି ମୃତ୍ୟୁ ସହ କରୁଥିଲେ ସଂଗ୍ରାମ ।
କେଉଁଠି ବାପା ହାତରୁ ମା ଓ ପିଲାମାନେ ଭାସିଗଲେ ତ, କେଉଁଠି ସ୍ତ୍ରୀ ସାମନାରେ ସ୍ୱାମୀ ଭାସିଗଲା । ଉଜୁଡିଗଲା ସୁନାର ସଂସାର । କେହି କିଛି ଭାବିବା ପୂର୍ବରୁ ସବୁ ବିଛିନ୍ନ ହୋଇଗଲା । ସେକଥା ମନେ ପଡିଲେ ଆଜି ମଧ୍ୟ ଲୋମମୂଳ ଟାଙ୍କୁରୀ ଉଠୁଛି । ତେବେ ଦର୍ଶକବନ୍ଧୁ ସେଇ ମହାବାତ୍ୟାକୁ ବିତିଗଲାଣି ୨୫ ବର୍ଷ । ଚଳିତ ବର୍ଷ ବାତ୍ୟା “ଦାନା” ମୁହଁ ମାରିଯାଇଛି । ଏହାଭିତରେ ଅନେକ ବାତ୍ୟା ଆସିଲାଣି ଓ ଗଲାଣି, କିନ୍ତୁ ଏବେ ମଧ୍ୟ ଏରସମା ଅଞ୍ଚଳରେ କିଛି ଗାଁକୁ ରାସ୍ତା ନାହିଁ, କି ପାଣି ନାହିଁ । ବାତ୍ୟା ଆଶ୍ରୟସ୍ଥଳ ଭଗ୍ନ ଅବସ୍ଥାରେ । ଏରସମାର କିଛି ଅଞ୍ଚଳ ଏବେ ମଧ୍ୟ ଅପହଞ୍ଚ ହୋଇ ରହିଛି ।
ଜଗତସିଂହପୁର ଜ଼ିଲ୍ଲା ଏରସମା ବ୍ଲକର ଆମ୍ବିକି,ଜପା ,ପଦ୍ମପୁର ,ଗୋଡ଼ା ,ପଞ୍ଚାୟତରେ ଅଧିକ କ୍ଷୟକ୍ଷତି ଘଟିଥିଲା ୧୯୯୯ ମହାବାତ୍ୟାରେ । ଜପା ପଞ୍ଚାୟତର ଦହିବର ଗ୍ରାମରେ ୫୮୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ଗୋପାଳ ଗ୍ରାମରେ ୨୦୦, ଦାଶମଠରେ ୨୦୦, ଝାଟିପାରିରେ ୨୦୦ ଓ ଏହିପରି ଅନେକ ଗ୍ରାମରେ ବହୁ ଲୋକଙ୍କର ମୃତ୍ୟୁ ଘଟିଥିଲା । ସେତେବେଳର କଥାକୁ ମନେ ପକେଇ ସେହି ହୃଦୟବିଦାରକ ଘଟଣାକୁ କହିଲାବେଳେ ସେମାନଙ୍କର ଆଖି ଛଳ ଛଳ ହୋଇଯାଉଛି ।
ଏହାଭିତରେ ୨୦୧୩ ମସିହାରେ ଫାଇଲିନ, ୨୦୧୪ ମସିହାରେ ହୁଡହୁଡ, ୨୦୧୬ରେ ତିତିଲି, ୨୦୧୮ ମସିହାରେ ଡାଏ, ୨୦୧୯ ମସିହାରେ ଫନି, ୨୦୨୦ ମସିହାରେ ଆମ୍ଫାନ, ୨୦୨୧ରେ ୟସ୍, ଗୁଲାବ, ୨୦୨୨ରେ ଜୱାଦ, ଆଶାନି ଓ ଏବେ ୨୦୨ ୪ରେ ଦାନା ଇତ୍ୟାଦି ବାତ୍ୟାକୁ ସାମ୍ନା କଲେଣି ଲୋକମାନେ । ସରକାରଙ୍କ ବହୁମୁଖୀ ଯୋଜନାରେ ଏବେ ଜିରୋ କାଜୁଆଲିଟି ହେଉଛି ବୋଲି ସରକାର କହୁଛନ୍ତି । ଲୋକମାନଙ୍କୁ ଉଦ୍ଧାର ସହ ଆଶ୍ରୟସ୍ଥଳରେ ଖାଦ୍ୟ ବ୍ୟବସ୍ଥା, ଲୋକମାନଙ୍କୁ ସ୍ଥାନାନ୍ତର, ରାଡ଼ାର ଯୋଗୁ ଲୋକମାନଙ୍କୁ ଆଗୁଆ ସୂଚନା ପ୍ରଦାନ ଯୋଗୁ ଲୋକମାନେ ଉପକୃତ ହେବା ସହ ସରକାର ପ୍ରଶଂସାର ପାତ୍ର ହୋଇଛନ୍ତି ।
କିନ୍ତୁ ବାତ୍ୟା ସମୟରେ ଜନ୍ମ ହୋଇଥିବା ପିଲାଙ୍କୁ କୋଳରେ ଧରି ଭଙ୍ଗା କାନ୍ଥ ତଳେ ରହିଥିବା ଲୋକଙ୍କ କାହାଣୀ ଶୁଣିଲେ ଏବେ ମଧ୍ୟ ଭୟ ଅନୁଭୂତ ହେଉଛି । ସେତେବେଳେ ଜନ୍ମ ନେଇଥିବା ପିଲା ଓ ମାଆ ଠାରୁ ସେମାନଙ୍କର ଅନୁଭୂତି ଶୁଣି ଲୋମମୂଳ ଟାଙ୍କୁରୀ ଉଠୁଛି । ୧୯୯୯ ମହାବାତ୍ୟା ପରେ ଲୋକମାନେ ୧୧ ରୁ ଊର୍ଦ୍ଧ୍ୱ ବାତ୍ୟାର ସମ୍ମୁଖୀନ ହେଲେଣି, କିନ୍ତୁ ଏବେ ମଧ୍ୟ ଏରସମାର ଅଞ୍ଚଳର ଲୋକମାନେ ଭଙ୍ଗା ଚାଳ ଘରେ ଜୀବନ ବିତାଉଛନ୍ତି । ନା ଅଛି ରାସ୍ତା, ନା ଅଛି ପିଇବା ପାଣି । ତଥାପି ୨୫ ବର୍ଷ ପରେ ବି ଜୀବନ ସହ ସଂଗ୍ରାମ କରୁଛନ୍ତି ଏମାନେ ।