ଦୁର୍ଘଟଣାରେ ଲିଭିଗଲା ତିନି ତିନୋଟି ଜୀବନ ଦୀପ, ପୂରା ଗାଁରେ ଶୋକାକୁଳ ପରିବେଶ

ସୁନ୍ଦରଗଡ଼ : ଶିଶୁ ଟିଏ ଜନ୍ମ ହେଲେ ପରିବାର ସମେତ ବନ୍ଧୁ ବାନ୍ଧବଙ୍କ ଘରେ ଖୁସିର ଲହରୀ ଖେଳି ଯାଏ। କାରଣ ଶିଶୁଟି ଦିନେ ବଡ ହୋଇ ମା ବାପାଙ୍କ ସାହାରା ପାଲଟିବ । ହେଲେ ପରିଣତ ବୟସରେ ମା ବାପାଙ୍କୁ ଛାଡି ଆରପାରିକୁ ଚାଲିଯିବ ଏ କଥା ସମସ୍ତଙ୍କୁ ମର୍ମାହତ କରିଦେଇଛି ।
ଗାଁ ରୁ ୨୫ କିଲୋମିଟର ଦୂର ବଡଗାଁ ବ୍ଲକ ମୁଖ୍ୟାଳୟରେ ପ୍ରତିବର୍ଷ ପରି ରାମ ନବମୀ ଯାତ୍ରା ଚାଲିଥାଏ ଆଉ ରାମ ନବମୀର ଶେଷ ଦିନ ଗତ ୧୪ ତାରିଖ ରାତିରେ ଏ ତିନି ସାଙ୍ଗ ଏକ ବାଇକ୍ ଯୋଗେ ଯାତ୍ରା ଦେଖି ଫେରୁଥିବା ବେଳେ ବଡଗାଁ ଆଦର୍ଶ ବିଦ୍ୟାଳୟ ରାଜପଥର ମଝି ରାସ୍ତାରେ ଠିଆ ହୋଇଥିବା ଏକ ଟ୍ରାକ୍ଟରରେ ବାଇକ୍ ଟି ପିଟି ହୋଇଥିଲା ଫଳରେ ଘଟଣା ସ୍ଥଳରେ ହିଁ ତିନି ସାଙ୍ଗଙ୍କ ମୃତ୍ୟୁ ହୋଇଯାଇଥିଲା। ହାତ ଧରାଧରି ହୋଇ ତିନି ବନ୍ଧୁ ଆରପାରିକୁ ଚାଲିଯାଇଥିଲେ ।
ପାହାନ୍ତିଆ ସକାଳ ସମୟରେ ଗାଁ ରେ ଖବର ପ୍ରସାରିତ ହେବା ପରେ ପରିବାର ଲୋକେ ଜାଣି ପାରିଲେ। ଏକଥା ଶୁଣିବା ପରେ ପରିବାର ଲୋକଙ୍କ ପାଦ ତଳୁ ମାଟି ଖସିଗଲା । ପୁରା ଗାଁ ରେ ଖେଳିଗଲା ଶୋକାକୁଳ ପରିବେଶ । କାନ୍ଦ ବୋବାଳିରେ ଫାଟି ପଡ଼ିଲା ପୂରା ଗାଁ । ସତେ ଯେମିତି ବିରତୋଲା ଗାଁ ସ୍ତବ୍ଧ ପାଲଟି ଗଲା। ଅନ୍ୟପଟେ ଏହି ତିନି ସାଙ୍ଗ ଗାଁ ପରିବେଶରେ ଏପରି ଭାବରେ ନିଜେ ନିଜକୁ ସଜାଡି ରଖିଥିଲେ ଯେ ମୃତ୍ୟୁ ବେଳକୁ ଗାଁ ର ସମସ୍ତଙ୍କ ଆଖିରୁ ଲୁହ ଝରିବା ବନ୍ଦ ହେଉ ନଥିଲା।
ଠଣସୁନ୍ଦର ସା ର ମା ଦୀର୍ଘ ବର୍ଷ ଧରି ରୋଗାଗ୍ରସ୍ତ ଥିଲେ । ଘରର ଏକମାତ୍ର ରୋଜଗାରିଆ ପୁଅ ଠଣସୁନ୍ଦର । କାମଧନ୍ଦା କରି ମା କୁ ଅନେକ ଚିକିତ୍ସା କରାଇଲା ହେଲେ ଦଇବ ବୁଝିଲା ନି ଗତ ମାସ ମା ଆରପାରିକୁ ଚାଲିଗଲେ ।ଏଣେ ବାପା ମଧ୍ୟ ଦୀର୍ଘ ଦିନ ହେଲା ରୋଗରେ ପୀଡିତ । ଏହା ଉପରେ ବାପାଙ୍କ ଚିକିତ୍ସା ସମେତ ଘରର ବୋଝ । ଠିକ୍ ସେହିପରି ଚନ୍ଦନ ଲୋହାର ମଧ୍ୟ ଘରର ଏକମାତ୍ର ରୋଜଗାରିଆ ପୁଅ । ପାଇପ ଲାଇନ ରେ କାମ କରି ଘର ଚଳାଉ ଥିଲା ଓ ଦିଲୀପ ସା ମଧ୍ୟ ଚାରି ଭଉଣୀର ଗୋଟିଏ ଭାଇ । ବାପା ମା ଚାରି ଭଉଣୀର ବିବାହ ପରଠୁ ଦିଲୀପ ବାପା ମା’ ଙ୍କ କାମରେ ସହଯୋଗ କରି ଆସୁଥିଲା। ନୀତି ଦିନିଆ ଖଟିବାକୁ ଗଲେ ପରିବାର ଭଲରେ ଚଳେ ଏ ତିନି ସାଙ୍ଗଙ୍କ ପରିବାର। ଏବେ ଦୁର୍ବିସହ ହୋଇ ପଡ଼ିଥିବା ଏ ତିନି ପରିବାରଙ୍କ ଦୁଃଖ ଲାଘବ କରିବ କିଏ। ଗାଁ ଲୋକଙ୍କ କହିବା ଅନୁଯାୟୀ, ତିନି ପିଲା ମଦ କି କୌଣସି ନିଶା ସେବନ କରୁ ନଥିଲେ । ବ୍ୟବହାର ତାଙ୍କର ବହୁତ ଭଲ । ଯଥାଶୀଘ୍ର ଏ ତିନି ପରିବାର ବର୍ଗଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।
Also Read:ଅକ୍ଷୟ ତୃତୀୟାରୁ ଚାରିଧାମ ଯାତ୍ରା ଆରମ୍ଭ, ଘରେ ବସି ପୂଜା ପାଇଁ କରନ୍ତୁ ଅନଲାଇନ ବୁକିଂ, ଜାଣନ୍ତୁ କେମିତି