ପୁରା ଗାଁରେ ଅଜଣା ଜନ୍ତୁ ଆତଙ୍କ, ଜୀବ ଆକ୍ରମଣରେ ୩ ଜଣ ଗୁରୁତର

ଗାଁରେ ମାତିଛି ଅଜଣା ଜୀବ । କୁକୁର ଭଳି ଦାନ୍ତ ଭାଲୁ ପରି ଚେହେରା । ପୋଖରୀ କୂଳେ କୂଳେ ବୁଲୁଛି ମଣିଷକୁ ଟାର୍ଗେଟ କରୁଛି । ଆକ୍ରମଣ କରି ପୂଳା ପୂଳା ମାଂସ ନେଇଯାଉଛି । ଅଜଣା ଜନ୍ତୁକୁ ନେଇ ପୁରା ଗାଁରେ ଖେଳିଯାଇଛି ଆତଙ୍କ । ଭୟରେ ଥରହର ହେଉଛନ୍ତି ଲୋକେ । କେତେବେଳେ ଯେ ଜନ୍ତୁ ହାବୁଡ଼ରେ କିଏ ପଡ଼ିଯିବେ ସେକଥା ଭାବି ଭାବି ଦିନ କଟୁଛି ଏହି ଗାଁ ଲୋକଙ୍କର । ଜାଣି ନଥିବେ ହେଲେ ହଠାତ୍ ଆକ୍ରମଣ ଶିକାର ହୋଇଯିବେ ।
ତେବେ ଏଭଳି ଅଜଣା ଜନ୍ତୁ ଆନନ୍ଦପୁର ଉପଖଣ୍ଡ ଘଷିପୁରା ଅଞ୍ଚଳରେ ଆତଙ୍କ ଖେଳାଇଛି । ଏବେ ସୁଦ୍ଧା ଜୀବ ଆକ୍ରମଣରେ ୩ ଜଣ ଗୁରୁତର ହୋଇ ଆନନ୍ଦପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଗାଁର ବନମାଳୀ ମହାନ୍ତି, ତାଙ୍କ ପୁଅ ବିରଞ୍ଚି, ଏବଂ ସାଇଁକୁଳ ଗାଁର ଗୟାଧର ପ୍ରଧାନ ଗୁରୁତର ହୋଇଛନ୍ତି ।
ତେବେ ନୂଆଗାଁର ବନମାଳୀ ମହାନ୍ତି ଶୌଚ ହେବାକୁ ଯାଉଥିବା ସମୟରେ ତାଙ୍କୁ ଏହି ଅଜଣା ଜୀବଟି ଆକ୍ରମଣ କରିବା ସହିତ ତାଙ୍କ ଗୋଡ଼କୁ କାମୁଡି ପୁଳା ପୁଳା ମାଂସ ନେଇଯାଇଛି । ବନମାଳୀଙ୍କ ପୁଅ ବିରଞ୍ଚିଙ୍କୁ ମଧ୍ୟ କାମୁଡି କ୍ଷତାକ୍ତ କରି ପକାଇଛି । ସେହିପରି ସାଇଁକୁଳ ଗାଁର ଗୟାଧର ପ୍ରଧାନ କାଜୁ ବାଡ଼ି ଜଗିଥିବା ସମୟରେ ତାଙ୍କୁ ମଧ୍ୟ ଗୋଡ଼ାଇ ଗୋଡ଼ାଇ କାମୁଡିଥିଲା । ତେବେ ୩ ଜଣ ଯାକ ଗୁରୁତର ଅବସ୍ଥାରେ ଆନନ୍ଦପୁର ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଅନ୍ୟପଟେ ବନ ବିଭାଗ ଉକ୍ତ ଜୀବକୁ ଜାଲ ପକାଇ କାବୁ କରିବା ପରେ ଅଧିକ ତଦନ୍ତ ଜାରି ରଖିଛି । ସେପଟେ ଏହି ଅଜଣା ଜନ୍ତୁର ଆକ୍ରମଣରେ ଶିକାର ହୋଇଥିବା ବ୍ୟକ୍ତି କହିଛନ୍ତି ଯେ, ଏହି ଜନ୍ତୁଟି ଗାଢ଼ ଭାଲୁ ଭଳି ଦେଖାଯାଉଥିଲେ ମଧ୍ୟ ଏ ଜୀବ ଗାଢ଼ ଭାଲୁ ନୁହେଁ ।
ଏହି ଜନ୍ତୁଟି କେଉଁଠୁ ଆସିଲା ? ଏବଂ ଏହି ଜନ୍ତୁଟି କେଉଁ ପ୍ରକାରର ଜୀବ ? ବନ ବିଭାଗର ତଦନ୍ତ ପରେ ସାମ୍ନାକୁ ଆସିବ । କିନ୍ତୁ ତା’ ପୂର୍ବରୁ ଅଜଣା ଜନ୍ତୁ କବଳରୁ କିପରି ଗାଁ ଲୋକେ ରକ୍ଷା ପାଇପାରିବେ ସେନେଇ ଦୃଷ୍ଟି ଦେବା ଜରୁରୀ ହୋଇପଡ଼ିଛି ।
Also read:ମାସିକ ଋତୁସ୍ରାବ ପାଇଁ କ୍ଲାସ ବାହାରେ ପରୀକ୍ଷା ଦେଲେ ଛାତ୍ରୀ