୩ ବର୍ଷର କୁନି ଶିଶୁ । ଠିକ ଭାବରେ କହିପାରୁ ନାହିଁ କଥା । ମାତ୍ର ସଂସ୍କୃତ ଶ୍ଳୋକ, ବିଭିନ୍ନ ରାଜ୍ୟ ତଥା ଦେଶର ରାଜଧାନୀର ନାମ, ନଦୀ ସଂଖ୍ୟା, ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ, ଲେଖକ ଓ କବିଙ୍କ ନାଁ ପ୍ରାଞ୍ଜଳ ଭାବେ କହିପାରୁଛି । ଇଂରାଜୀ ରାଇମ୍ସ ଠୁ ଆରମ୍ଭ କରି ଅନେକ କିଛି ରାଇମ୍ସ ଗାଇପାରୁଛି । ଏଥିପାଇଁ ଇଣ୍ଡିଆ ବୁକ ଅଫ୍ ରେକର୍ଡ୍ସ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଛି । କୁନି ପୁଅଟି ଯେଉଁଭଳି ଭାବେ ସବୁ କିଛି ମନେ ରଖି ପାରିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ।
ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଳକ ପୁରୁଷୋତ୍ତମପୁର ପଞ୍ଚାୟତର ମୂର୍ଭୁଙ୍ଗା ଗାଁରେ ଏମିତି ଜଣେ କୁନି ପୁଅ ରହୁଛି । ଯାହାର ନାଁ ହେଉଛି ଦିବ୍ୟଜ୍ୟୋତି ଜେନା । ବାପା ଅନିରୁଦ୍ଧ ଜେନା ବିଦ୍ୟୁତ କର୍ମଚାରୀ ଭାବେ କାମ କରନ୍ତି ଏବଂ ମା’ ଗାୟତ୍ରୀ ଜେନା ଫକୀର ମୋହନ ବିଶ୍ବ ବିଦ୍ୟାଳୟର କର୍ମଚାରୀ ଭାବେ କାର୍ଯ୍ୟ କରନ୍ତି । କୁନି ପୁଅର ଏଭଳି ବିସ୍ମୟ ପ୍ରତିଭା ଦେଖି ବାପା ମା’ ଇଣ୍ଡିଆ ବୁକ ସଂସ୍ଥା ସହ ଅକ୍ଟୋବର ମାସ ୨୮ ତାରିଖରେ ଅନଲାଇନରେ ଯୋଗାଯୋଗ କରିଥିଲେ । ସଂସ୍ଥା ପକ୍ଷରୁ ନଭେମ୍ବର ୧୫ ତାରିଖରେ ଇଣ୍ଡିଆ ବୁକ ଅଫ ରେକର୍ଡସ ପକ୍ଷରୁ ପୁଅକୁ ସାର୍ଟିଫିକେଟ ପ୍ରଦାନ କରାଯାଇଛି ।
ପଙ୍କରୁ ପଦ୍ମ ଫୁଟିଲା ଭଳି ଦିବ୍ୟଜ୍ୟୋତିଙ୍କ ମୁହଁରୁ ଅନର୍ଗଳ ଇଂରାଜୀ ବାହାରୁଛି । ତାଙ୍କର ଏ ପ୍ରତିଭାକୁ ଦେଖି ବାପା ମା’ଙ୍କ ଠାରୁ ଆରମ୍ଭ କରି ପଡ଼ୋଶୀମାନେ ମଧ୍ୟ ଗର୍ବ କରୁଛନ୍ତି । ଆଗାମୀ ଭବିଷ୍ୟତରେ ସେ ନିଶ୍ଚିତ ଭାବେ ନାଁ ରଖିବେ ବୋଲି ବାପା ମା’ ଆଶା ବାନ୍ଧିଛନ୍ତି ।