ଇଣ୍ଡିଆ ବୁକ୍ ଅଫ ରେକର୍ଡସରେ ମାତ୍ର ୩ବର୍ଷ ସାତ ମାସର କୁନି ଝିଅ ଭାଗ୍ୟଶ୍ରୀ, ବାପା-ମାଆଙ୍କ ଖୁସି କହିଲେ ନସରେ

ଚାନ୍ଦବାଲି: ଆମ ଓଡିଶାରେ ପ୍ରତିଭାର ଅଭାବ ନାହିଁ । କିଏ ଅନର୍ଗଳ ଶ୍ଳୋକ ପଢୁଛନ୍ତି ତ, ଆଉ କିଏ ଦେଶ ବିଦେଶର ଜଣାଅଜଣା କଥାକୁ ନିର୍ଭୁଲ ଭାବରେ କହୁଛନ୍ତି । ଠିକ୍ ଏଭଳି ଏକ ନିଆରା ପ୍ରତିଭାକୁ ପୁଣି ମିଳିଛି ପୁରସ୍କାର । ହଁ ଦର୍ଶକବନ୍ଧୁ କୁନି ହତାରେ ବଡ଼ ମେଡାଲା । ଅତି ଛୋଟ ବୟସରୁ ଅନେକ ପ୍ରତିଭାର ଅଧିକାରୀ ସେ । ନିଜର ବିଚକ୍ଷଣ ବୁଦ୍ଧି ବଳରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି ଏହି କୁନି ଝିଅଟି । ଏମିତି ଏକ ରେକର୍ଡ ହାସଲ କରିଥିବାରୁ ବାପା, ମାଆଙ୍କ ମନରେ ଖୁସି କହିଲେ ନସରେ ।
ଏ ହେଉଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଧାମରା ପଞ୍ଚାୟତ ଗୁଆଁଳ ଗାଁର ସୁବାସ ଓ ସିଲା ମହାଳିକଙ୍କ ଝିଅ ଭାଗ୍ୟଶ୍ରୀ ମହାଳିକ । ବୟସ ମାତ୍ର ତିନି ବର୍ଷ ସାତ ମାସ । ହେଲେ ଏତେ କମ୍ ବୟସରେ ନିଜର ଦକ୍ଷତା ପାଇଁ ଇଣ୍ଡିଆ ବୁକ ଅଫ୍ ରେକର୍ଡରେ ସ୍ଥାନ ପାଇବା ସହ ତାଙ୍କୁ ମିଳିଛି ଏକ ମେଡାଲ, ଦୁଇଟି ଟ୍ରଫି ସହ ଏକ ସାଟିଫିକେଟ୍ । ଯାହାକୁ ନେଇ ବାପା ମାଆଙ୍କ ସମେତ ପରିବାର ଲୋକେ ଖୁସି ବ୍ୟକ୍ତ କରିଛନ୍ତି । ବାପା ମାଆଙ୍କ କହିବା କଥା ଯେତେବେଳେ ଝିଅ ଜନ୍ମ ହୋଇଥିଲା ପରିବାର ଲୋକଙ୍କ ମନ ଉଣା ଥିଲା । ବାପା ମାଆ ପୁଅ ଚାଁହୁଥିଲେ । ହେଲେ ଝିଅର ଏହି ସଫଳତା ପରେ ବାପା ଖୁସିରେ କହିଛନ୍ତି ମୋ ଝିଅ ପାଇଁ ମୁଁ ଆଜି ଗର୍ବିତ । ତେଣୁ ମୋ ଝିଅ ଶହେ ପୁଅ ସହ ସମାନ ।
ଭାଗ୍ୟଶ୍ରୀ ଏତେ କମ୍ ବୟସରେ ବିଭିନ୍ନ ପ୍ରକାରର ପନିପରିବା, ରଙ୍ଗ, ବର୍ଷକ ବାର ମାସ, ସେଭେନ ଡେ, ଅଙ୍ଗ ପ୍ରତ୍ୟଙ୍ଗର ନାଁ ଇଂରାଜୀରେ ନିର୍ଭୁଲ ଭାବେ କହିପାରୁଥିବାବେଳେ ବିଭିନ୍ନ ପ୍ରକାରର ନର୍ସରୀ ରାଇମ୍ସ ମଧ୍ୟ ଗାଇ ପାରୁଛନ୍ତି । ତା ବ୍ୟତୀତ ଆମର ଜାତୀୟ ସଂଗୀତ ମଧ୍ୟ ଖୁବ୍ ସୁନ୍ଦର ଭାବେ ବୋଲିପାରୁଛନ୍ତି । ସବୁଠାରୁ ବଡ଼ କଥା ହେଲା ସେ ଯାହା ଥରେ ଶୁଣୁଛନ୍ତି ତାକୁ କମ୍ ସମୟ ଭିତରେ ମନେ ରଖିପାରୁଛନ୍ତି । ତେଣୁ ସବୁ ମନେ ରଖିପାରୁଥିବାରୁ ବାପା ମାଆ ଝିଅର ଏହି ପ୍ରତିଭାକୁ ଭିଡିଓ କରି ବିଭିନ୍ନ ସ୍ଥାନକୁ ପଠାଇଥିଲେ । ଶେଷରେ ନିଜର ଏହି ଇଚ୍ଛା ଶକ୍ତି ବଳରେ ଇଣ୍ଡିଆ ବୁକ୍ ରେକର୍ଡରେ ସ୍ଥାନ ପାଇ ନିଜ ବାପା ମାଆ ତଥା ଅଞ୍ଚଳର ଟେକ ରଖିବା ସହ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଭାଗ୍ୟଶ୍ରୀ ।
ବିସ୍ମୟ ବାଳିକା ଭାଗ୍ୟଶ୍ରୀ । ଯେଉଁ ବୟସରେ ପିଲାମାନେ କଥା କହିବା ଠିକରେ ଶିଖି ନଥାନ୍ତି, ଆଜି ସେହି କୋମଳ ବୟସରେ ସେ ଇଣ୍ଡିଆ ବୁକ୍ ଅଫ ରେକର୍ଡ ହାସଲ କରିଛନ୍ତି । କୁନି ପ୍ରତିଭା ଭାଗ୍ୟଶ୍ରୀଙ୍କର ଏହି ସଫଳତାକୁ ନେଇ କେବଳ ପରିବାର ନୁହନ୍ତି ବରଂ ଆଖପାଖ ଅଞ୍ଚଳର ଲୋକମାନେ ଖୁସିବ୍ୟକ୍ତ କରିବା ସହିତ ଭାଗ୍ୟଶ୍ରୀଙ୍କ ସଫଳ ଭବିଷ୍ୟତ କାମନା କରିଛନ୍ତି ।
ଆହୁରି ପଢନ୍ତୁ: ଇଣ୍ଡିଆ ବୁକ୍ ଅଫ ରେକର୍ଡସରେ ମାତ୍ର ୨୨ମାସର କୁନି ଝିଅ ‘ଅରୁନ୍ଧତୀ’