କୋଲଡ ଡ୍ରିଙ୍କସ ପାଇଁ ଯାଉଥିବା ବେଳେ ୪ ବର୍ଷର ପୁଅ ଉପରେ ମାଡ଼ିଗଲା ଗାଡ଼ି

ଅଧା ରହିଗଲା ଜଗା ଦର୍ଶନ। ପୁରୀ ଚକ୍ରତୀର୍ଥ ରୋଡରେ ବୋଲେରୋ ଗାଡ଼ି ଚଢ଼ି ଯିବାରୁ ଜଣେ ନାବାଳକର ଚାଲିଗଲା ଜୀବନ। ଚକ୍ରତୀର୍ଥ ରୋଡରେ ଥିବା ଆରଟିଓ ସମ୍ମୁଖରେ ଘଟିଛି ଏଭଳି ଭୟଙ୍କର ଦୁର୍ଘଟଣା। ଚିକିତ୍ସା ପାଇଁ ଗୁରୁତର ଅବସ୍ଥାରେ ନାବାଳକ ପୁଅକୁ ପରିବାର ଲୋକେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ନାବାଳକ ଜଣକ ହେଉଛନ୍ତି ଖୋର୍ଦ୍ଧା ବେଗୁନିଆ ଅଞ୍ଚଳର ସୂର୍ଯ୍ୟକାନ୍ତ ଦାସ ଙ୍କ ଚାରିବର୍ଷର ପୁଅ ଆଶୁ ଦାସ। ନାବାଳକ ପୁଅର ମୃତ୍ୟୁ ଖବର ଶୁଣି କାନ୍ଦ ବୋବାଳି ରେ ଫାଟି ପଡୁଥିଲା ସମ୍ପୂର୍ଣ୍ଣ ହସ୍ପିଟାଲ ପରିସର। ମୋ ପୁଅକୁ କେହି ଫେରାଇ ଆଣ ବୋଲି କୋହ ଭରା କଣ୍ଠରେ ନେହୁରା ହେଉଥିଲା ମା।

ତେବେ ମୃତ ନାବାଳକର ସମ୍ପର୍କୀୟଙ୍କ କହିବାନୁଯାୟୀ ଆଜି ମହାପ୍ରଭୁଙ୍କ ଦର୍ଶନ ପାଇଁ ଟ୍ରେନ୍ ରେ ପରିବାର ଲୋକଙ୍କ ସହ ପୁରୀ ଆସିଥିଲା ଆଶୁ। ମହାପ୍ରଭୁଙ୍କ ଦର୍ଶନ ପୂର୍ବରୁ ଆରଟିଓ ନିକଟରେ ଥିବା ତାଙ୍କ ବନ୍ଧୁଙ୍କ ଘରକୁ ପରିବାର ସହିତ ଆଶୁ ଆସିଥିଲା। ଜଣେ ସମ୍ପର୍କୀୟଙ୍କ ସହ ନାବାଳକ ଜଣକ କୋଲଡ୍ରିଙ୍କ ପାଇଁ ଯାଉଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ବୋଲେରୋ ଗାଡ଼ି ନାବାଳକକୁ ଧକ୍କା ଦେଇଥିଲା। ଦୁର୍ଘଟଣା ଘଟାଇଥିବା ଗାଡ଼ି ଡ୍ରାଇଭରକୁ ପୋଲିସ ଗିରଫ କରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ପରିବାର ଲୋକେ ।

ସେପଟେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲେ । ଦୁର୍ଘଟଣା ଘଟାଇଥିବା ବୋଲେରୋ ଗାଡିକୁ ଜବତ କରିବା ସହ ସମ୍ପୃକ୍ତ ଚାଳକକୁ ଅଟକ ରଖିବା ପରେ ଗିରଫ କରିଛନ୍ତି । ଶବ ବ୍ୟବଚ୍ଛେଦ ପରେ ନାବାଳକର ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ତେବେ ସେମାନେ ମୃତଦେହ ହସ୍ପିଟାଲରୁ ଆଣି ପୁରୀ ରେଳଷ୍ଟେସନ ସମ୍ମୁଖରେ ରାସ୍ତା ରୋକ କରିଥିଲେ । ପରେ ରେଡକ୍ରସ ପାଣ୍ଠିରୁ ୧୦,୦୦୦ ଟଙ୍କା ସହାୟତା ରାଶି ଏବଂ ରେଳବାଇ ପକ୍ଷରୁ କ୍ଷତିପୂରଣ ପ୍ରତିଶ୍ରୁତି ମିଳିବା ପରେ ଧାରଣାରୁ ଓହରିଥିଲେ ମୃତକଙ୍କ ପରିବାର ଲୋକେ ।

ଦୁର୍ଘଟଣା ଘଟାଇଥିବା ବୋଲେରୋ ଗାଡ଼ିଟି ଇଷ୍ଟ କୋଷ୍ଟ ରେଲୱେର ବୋଲି ଜଣାପଡ଼ିଛି । ଗାଡ଼ିଟି ଦ୍ରୁତ ଗତିରେ ଆସୁଥିବା ଯୋଗୁ ଏଭଳି ଅଭାବନୀୟ ଘଟଣା ଘଟିଛି ବୋଲି ଅଭିଯୋଗ ହୋଇଛି । ସେପଟେ ଆରଟିଓ ସମ୍ମୁଖରେ କୌଣସି ପାର୍କିଂ ସ୍ଥଳ ନଥିବାରୁ ଲୋକମାନେ ରାସ୍ତାର ଉଭୟ ପାର୍ଶ୍ଵ ଏବଂ ଏଣେ ତେଣେ ଗାଡ଼ି ରଖୁଥିବାରୁ ପ୍ରତିଦିନ ଏଭଳି ଘଟଣା ଘଟୁଥିବା ଅଭିଯୋଗ ହୋଇଛି। ନାବାଳକ ମୃତ୍ୟୁ ଘଟଣାର ତଦନ୍ତ ଚାଲିଥିବା ବେଳେ ଖୁବଶୀଘ୍ର ଚାର୍ଜସିଟ୍ ପ୍ରସ୍ତୁତ କରାଯାଇ କୋର୍ଟରେ ଦାଖଲ କରାଯିବ ।

Also read:ମୃତ ପ୍ରଶାନ୍ତ ଶତପଥୀଙ୍କ ଘରେ ପହଞ୍ଚିଲେ NIA ଟିମ୍‌, ପତ୍ନୀ ଓ ପୁଅଙ୍କୁ କରୁଛନ୍ତି ପଚରାଉଚରା