ଅସହାୟଙ୍କ ପାଇଁ ‘ଦେବଦୂତ’ ସାଜିଛନ୍ତି ପଞ୍ଜାବ ଟ୍ୟାକ୍ସି ଡ୍ରାଇଭର

ପାତିଆଲା : ସେମାନେ ସାଧାରଣ ମଣିଷ ଠାରୁ ଅଲଗା ନୁହାନ୍ତି । ନିଜ ପେଟ ପାଟଣା ପାଇଁ ଟ୍ୟାକ୍ସି ଚଲାନ୍ତି । ହେଲେ ନିଜ ପେସାକୁ ବାଦ୍ ଦେଇ ସେମାନେ ଏମିତି କିଛି କରନ୍ତି ଯେଉଁଥିପାଇଁ ସେମାନଙ୍କୁ ସମସ୍ତେ ମାନନ୍ତି ଈଶ୍ବରଙ୍କ ଦୂତ ଭାବେ । ପଞ୍ଜାବର ପ୍ରାୟ ୪୦୦ ଜଣ ଟ୍ୟାକ୍ସି ଚାଳକ ସବୁ ବେଳେ ସହାୟତା ପାଇଁ ତତ୍ପର । କେହି କିଛି ଅସୁବିଧାରେ ପଡ଼ିଥିଲେ ସୂଚନା ପାଇବା ମାତ୍ରେ ଏମାନେ ପହଞ୍ଚାଯାନ୍ତି ସେମାନଙ୍କ ପାଖରେ ।

ପଞ୍ଜାବ ଟ୍ୟାକ୍ସି ୟୁନିୟନ ଏଥିଲାଗି ଏକ ହ୍ବାଟସ ଆପ୍ ନମ୍ବର ରଖିଛି । ଏଥିରେ ମେସେଜ୍ ପାଇଲା ମାତ୍ରେ ଅସୁବିଧାରେ ପଡ଼ିଥିବା ଲୋକ ପାଖରେ ୟୁନିୟନର ଯେକୌଣସି ସଦସ୍ୟ ପହଞ୍ଚି ତାଙ୍କ ସାଧ୍ୟମତେ ସହାୟତା ଯୋଗାଡ଼ କରିଥାନ୍ତି । ଦୁର୍ଘଟଣା କିମ୍ବା ଗୁରୁତର ପୀଡ଼ିତ ରୋଗୀକୁ ଡାକ୍ତରଖାନାରେ ପହଞ୍ଚାଇବା । ଆବଶ୍ୟକ ହେଉଥିଲେ ରକ୍ତ ଦାନ କରିବା ସହ ଅନ୍ୟ ବିଭିନ୍ନ ପ୍ରକାର ସହାୟତା ଯୋଗାଇ ଦିଅନ୍ତି ଏହି ଟ୍ୟାକ୍ସି ଚାଳକମାନେ ।

ୟୁନିୟନର ଜିଲ୍ଲା ପ୍ରଧାନ ଥିବା ସୋହନ ସିଂହ ନାଭା କହିଛନ୍ତି ଜିଲ୍ଲା ସ୍ତରରେ ୧୧ ଜଣ ଓ ବ୍ଲକ୍ ସ୍ତରରେ ୫ ଜଣ ସଦସ୍ୟଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । ରାଜ୍ୟର ମୋଟ ୨୨ଟି ଜିଲ୍ଲାରେ ରହିଛି ଏଭଳି କମିଟି । ଏଥିରେ ଏବେ ହରିଆଣାର ଟ୍ୟାକ୍ସି ଡ୍ରାଇଭରଙ୍କ ସମେତ ଅନ୍ୟ କିଛି ସଂସ୍ଥା ଏବଂ କିଛି ସରକାରୀ ଅଧିକାରୀ ମଧ୍ୟ ସାମିଲ ହେଲେଣି ବୋଲି ସେ କହିଛନ୍ତି । ୟୁନିୟନର ମୋବାଇଲ୍ ନମ୍ବର ହେଉଛି 7888625800 । ଏହା ସହିତ ହ୍ବାଟସଆପ୍ ଓ ଫେସବୁକରେ ମଧ୍ୟ ଲୋକଙ୍କ ସହ ଯୋଗାଯୋଗ ରହୁଛି ।